କଟକ– କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ଥିବା କ୍ୱାରେଂଟାଇନ ସେଂଟର ପାଚେରୀ ବାହାରୁ ଆଜି ଭୋରରୁ ଜଣେ ପ୍ରବାସୀଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଓ ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛନ୍ତି । କିପରି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା ପୋଲିସ ପକ୍ଷରୁ ସେନେଇ ଅଧିକ ତଦନ୍ତ ଜାରୀ ରହିଛି ।
ମୃତକଙ୍କ ନାମ ବ୍ରଜବନ୍ଧୁ ରଣା ଏବଂ ତାଙ୍କ ପିତାଙ୍କ ନାମ ଦିନବନ୍ଧୁ ରଣା । ୩୭ ବର୍ଷିୟ ବ୍ରଜବନ୍ଧୁଙ୍କ ଘର ସେହି କୃଷ୍ଣଚନ୍ଦ୍ରପୁର ଗ୍ରାମରେ ଏବଂ କ୍ୱାରେଂଟାଇନ ସେଂଟରର ଅନତି ଦୂରରେ । ଗତ ୨୬ ତାରିଖରେ ସେ ମୁମ୍ବାଇରୁ ଫେରିଥିବା ବେଳେ ସ୍ଥାନୀୟ କ୍ୱାରେଂଟାଇନ ସେଂଟରରେ ରହୁଥିଲେ । ତିନି ବର୍ଷ ପୂର୍ବରୁ ତାଙ୍କ ହାର୍ଟରେ ଅପରେସନ ହୋଇଥିଲା । ସେ ଦୀର୍ଘ ଦିନ ହେଲା ମଧୁମେହରେ ଆକ୍ରାନ୍ତ ଥିଲେ । ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ସେ ନିୟମିତ ଭାବେ ଔଷଧ ସେବନ କରୁଥିଲେ । ଗତକାଲି ସେ ରାତ୍ରୀଭୋଜନ ପରେ ସେ ସେଂଟରରେ ତାଙ୍କ ବେଡ୍ ରେ ବିଶ୍ରାମ ନେବାକୁ ଯାଇଥିଲେ । ବିଳମ୍ବିତ ରାତିରେ ସେ କ୍ୱାରେଂଟାନ କେନ୍ଦ୍ରର ୭ରୁ ୮ ଫୁଟ୍ ଉଚ୍ଚର ପାଚେରୀ ଡେଇଁ ଘରକୁ ଯିବାକୁ ଚେଷ୍ଟା କରିବା ବେଳେ ପାଚେରୀରୁ ଗୋଡ଼ ଖସିଯିବାରେ ପାଚେରୀ ଆରପାଖରେ ପଡିଥିବା ଭଙ୍ଗା ଇଟା ଓ ଗେଟି ଉପରେ ପଡି ଛାତିରେ ଆଘାତ ଲାଗିବା କାରଣରୁ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ପୋଲିସ ଅନୁମାନ କରୁଛି । ପାଚେରୀରୁ ପାଦ ଖସିବାର ଚିହ୍ନ ଥିବା ସାଇଂଟିଫିକ୍ ଟିମ୍ ଛାନଭିନ୍ ବେଳେ ଜାଣିବାକୁ ପାଇଛି । ମୃତକଙ୍କ ଶବ ଜବତ ପରେ ଏହାକୁ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ମେଡିକାଲକୁ ପଠାଯାଇଛି । ବଡ଼ମ୍ବା ଥାନା ପକ୍ଷରୁ ଏ ସଂକ୍ରାନ୍ତରେ ୬/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରୀ ରହିଥିବା ନେଇ ଥାନା ଅଧିକାରୀ ପ୍ରଭାତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି । ଖବର ପାଇ କଟକ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର ଘଟଣାସ୍ଥଳରେ ପହଂଚି ସ୍ଥିତିର ଅନୁଧ୍ୟାନ କରି ଫେରିଛନ୍ତିି । ତେବେ ସେ କେଉଁ କାରଣରୁ କ୍ୱାରେଂଟାଇନ ସେଂଟରରୁ ଲୁଚି ଘରକୁ ଯିବାକୁ ଉଦ୍ୟମ କରୁଥିଲେ ତାହା ବର୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମୃତ ବ୍ରଜବନ୍ଧୁ ବିବାହିତ, ତାଙ୍କର ପତ୍ନୀ ଓ ଦୁଇଟି ଝିଅ ଥିବା ଜଣାପଡିଛି । ଘଟଣା ପରେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ସମ୍ପୂର୍ଣ୍ଣ ବେସାହାରା ହୋଇପଡିଛନ୍ତି ପରିବାର ଲୋକେ । ମୃତକଙ୍କ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।