ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାରେ ଆଜି ଆଉ ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୬ କୁ ବୃଦ୍ଧି ପାଇଛି । ଆକ୍ରାନ୍ତ ମାନଙ୍କୁ ଆର. ସୀତାପୁର ସ୍ଥିତ କୋଭିଡ଼୍ ହସ୍ପିଟାଲରେ ଭର୍ତି କରାଯାଇଛି । ଆଜି ଚିହ୍ନଟ ହୋଇଥିବା ସମସ୍ତେ ମହାରାଷ୍ଟ୍ର ଫେରନ୍ତା ଏବଂ କ୍ୱାରେଂଟାଇନ ସେଂଟରର ରହିଥିବା ନେଇ ଜିଲ୍ଲାପାଳ ଅନୁପମ୍ ଶାହା ସୂଚନା ଦେଇଛନ୍ତି । ସେହିପରି ଗତକାଲି ଚିହ୍ନଟ ହୋଇଥିବା ୧୦ ଜଣ ମଧ୍ୟ ମହାରାଷ୍ଟ୍ର ଫେରନ୍ତା ରହିଥିବା ନେଇ ସେ କହିଛନ୍ତି । ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦୁଇ ତିନୋଟି କ୍ୱାରେଂଟାଇନ ସେଂଟରରେ ଅତିରିକ୍ତ ମନିଟରିଂ ବ୍ୟବସ୍ଥା କରାଯାଇଛି । ସମସ୍ତ ଅନ୍ତେବାସୀଙ୍କର ବାରମ୍ବାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଯାହାଦ୍ୱାରା ଯଦି କାହାରି କୌଣସି ଲକ୍ଷଣ ଥିବ ତାହା ସାମ୍ନାକୁ ଆସିବ । ଆକ୍ରାନ୍ତଙ୍କ ମଧ୍ୟରୁ ଜଣକୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ତାଙ୍କ ହାର୍ଟରେ ସମସ୍ୟା ଥିବାରୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଛି । ସେ ଭଲ ଅଛନ୍ତି । ବାକି ଅନ୍ୟ ମାନଙ୍କର ସମୟ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଚିକିତ୍ସା ଜାରୀ ରହିଛି ବୋଲି ଜିଲ୍ଲାପାଳ ଶ୍ରା ସାହା କହିଛନ୍ତି ।
ନୂଆ ଚିହ୍ନଟ ହୋଇଥିବା ୧୬ ଜଣ ଗତ ୧୮ ଓ ୧୯ ତାରିଖ ଦିନ ମହାରାଷ୍ଟ୍ରରୁ କାଶୀନଗର ଛକରେ ଥିବା ଅଲଡ଼ା ଓ ହାଡୁଭାଙ୍ଗି ନାକା ଦେଇ ପ୍ରବେଶ କରିଥିଲେ । ସେମାନଙ୍କୁ କ୍ୱାରେଂଟାଇନ କେନ୍ଦ୍ରରେ ରଖାଯାଇଥିଲା । ଗତ ୨୦ ଓ ୨୧ ତାରିଖରେ ସେମାନଙ୍କ ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ସକାଶେ ପଠାଯାଇଥିଲା । ନମୂନା ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ ଆର୍. ସୀତାପୁର ସ୍ଥିତ କୋଭିଡ଼୍ ହସ୍ପିଟାଲରେ ଭର୍ତି କରାଯାଇଛି ।
ଆଜି ଚିହ୍ନଟ ହୋଇଥିବା ୧୬ ଜଣଙ୍କ ମଧ୍ୟରେ ଦୁଇ ଜଣ ମହିଳା ରହିଛନ୍ତି । ଦୁଇ ମହିଳାଙ୍କ ମଧ୍ୟରେ ଜଣକର ବୟସ ୨୦ ଓ ଅନ୍ୟ ଜଣକର ୨୫ ବର୍ଷ । ୧୪ ଜଣ ପୁରୁଷ ରହିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ୧୫ ବର୍ଷିୟ ନାବାଳକ ମଧ୍ୟ ରହିଛି । ସେହିପରି ଅନ୍ୟ ମାନଙ୍କର ବୟସ ଯଥାକ୍ରମେ ୧୯, ୨୦, ୨୨, ୨୩, ୨୪ ତିନିଜଣ , ୨୭ ତିନିଜଣ , ୨୮ ଜଣେ , ୪୩ ଏବଂ ଜଣେ ୪୫ ବର୍ଷିୟ ବ୍ୟକ୍ତି ରହିଛନ୍ତି ।