ଭୁବନେଶ୍ୱର, କେନ୍ଦ୍ରାପଡା – କେନ୍ଦ୍ରାପଡା ଜିଲ୍ଲାରେ କରୋନାର ନୂଆ ୧୦ଟି ପଜିଟିଭ ମାମଲା ସାମନାକୁ ଆସିଛି । ଏମାନଙ୍କ ମଧ୍ୟରୁ ୪ ଜଣ ସଂଗରୋଧ କେନ୍ଦ୍ରରେ ଥିବା ବେଳେ ୬ ଜଣ ଇନଷ୍ଟିଚ୍ୟୁସନାଲ କ୍ୱାରେଂଟାଇନ ଶେଷ କରି ଘରେ ସଂଗରୋଧରେ ଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା ସାମ୍ବାଦିକ ମାନଙ୍କୁ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଦଶ ଜଣ ଯାକ ବାହାର ରାଜ୍ୟରୁ ଆସିଥିବା ବେଳେ ୮ ଜଣ ସୁରତ, ଜଣେ କୋଟା ଓ ଅନ୍ୟ ଜଣେ ମୁମ୍ବାଇରୁ ଫେରିଛନ୍ତି । ଘରେ ସଂଗରୋଧରେ ରହୁଥିବା ଦୁଇ ଜଣ ବାହାରେ ବୁଲାବୁଲି କରି କ୍ୱାରେଂଟାଇନ ନିୟମ ଉଲ୍ଲଂଘନ କରିଥିବା ଜଣା ପଡିଛି । ତେଣୁ ପଟ୍ଟାମୁଣ୍ଡାଇ ଓ ମାର୍ଶାଘାଇ ବ୍ଲକର କିଛି ଅଂଚଳକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରା ଯାଇଛି । ପ୍ରଥମ ସ୍ତରୀୟ ସର୍ଭିଲାନ୍ସ କାମ ସରିଥିବା ସେ ପ୍ରକାଶ କରିଛନ୍ତି ।