
-
ନାକ ମାନ୍ୟତା ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ନିମନ୍ତେ ସମସ୍ତ ଉଚ୍ଚଶିକ୍ଷା ସଂସ୍ଥାନଗୁଡ଼ିକୁ ଶ୍ରୀ ନିଶଙ୍କଙ୍କ ଅନୁରୋଧ
-
କୋଭିଡ-19 କାରଣରୁ ସୃଷ୍ଟି ହୋଇଥିବା ସ୍ବତନ୍ତ୍ର ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ସମାଧାନ ଲାଗି ଏକ ସ୍ବତନ୍ତ୍ର ସେଲ ଗଠନ କରାଯିବା ଉଚିତ
ନୂଆଦିଲ୍ଲୀ-ନ୍ୟାସନାଲ ଆସେସମେଣ୍ଟ ଓ ଆକ୍ରିଡିଏସନ କାଉନସିଲ, ବେଙ୍ଗାଲୁରୁ ଦ୍ବାରା ଆୟୋଜିତ ୱେବିନାର ଜରିଆରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟଲ ‘ନିଶଙ୍କ’ ଆଜି 45ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ଶିକ୍ଷା ଅନୁଷ୍ଠାନର ମୁଖ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ୱେବିନାରରେ ସାରା ଦେଶରୁ ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନର କୁଳପତି, ରେଜିଷ୍ଟ୍ରାର, ପ୍ରଫେସର, ଆଇକ୍ୟୁଏସି ମୁଖ୍ୟ, ଅଧ୍ୟକ୍ଷ, ଅଧ୍ୟାପକମାନେ ଅଂଶଗ୍ରହଣ କରିଥିଲେ।
ଏହି ମହାମାରୀ ସମୟରେ ନାକର ଭୂମିକାକୁ ଶ୍ରୀ ପୋଖରିୟାଲ ପ୍ରଶଂସା କରିଥିଲେ। ଏହି ପରିସ୍ଥିତିକୁ ଏକ ସୁଯୋଗ ଭାବେ ଗ୍ରହଣ କରି ବ୍ୟବସ୍ଥାର ସୀମାକୁ ଊର୍ଦ୍ଧ୍ବକୁ ନେବା ନିମନ୍ତେ ସେ ଆହ୍ବାନ କରିଥିଲେ। ସେ ଶିକ୍ଷାବିତ, ଛାତ୍ରଛାତ୍ରୀ, ଅଭିଭାବକମାନଙ୍କୁ ଅନଲାଇନ ମାଧ୍ୟମର ଉପଯୋଗ କରିବା ନିମନ୍ତେ ଅନୁରୋଧ କରିଥିଲେ ଯାହାଦ୍ବାରା ଚଳିତ ଶିକ୍ଷା ଅଧିବେଶନରେ ସୃଷ୍ଟି ହୋଇଥିବା ବାଧା ଦୂର ହୋଇପାରିବ। ସେ କହିଥିଲେ, ଭାରତରେ ବର୍ତ୍ତମାନ ଅନଲାଇନ ଶିକ୍ଷାଦାନର ଇକୋସିଷ୍ଟମ ବିକଶିତ କରିବାର ଆବଶ୍ୟକତା ରହିଛି ଏବଂ ଗ୍ରାମାଞ୍ଚଳରେ ଅନଲାଇନ ଶିକ୍ଷାଦାନ ପହଞ୍ଚାଇବା ନିମନ୍ତେ ଶିକ୍ଷାବିତମାନେ ପ୍ରୟାସ କରିବା ଉଚିତ।
ଏହି ଆଲୋଚନା ସମୟରେ ଶିକ୍ଷାବିତମାନଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଶିକ୍ଷାବର୍ଷ, ଅନଲାଇନ ଶିକ୍ଷା, ପରୀକ୍ଷା, ଶୁଳ୍କ, ଛାତ୍ରଛାତ୍ରୀଙ୍କ ମାନସିକ ସ୍ବାସ୍ଥ୍ୟ, ସମସ୍ୟା, ଫେଲୋସିପ, ନିଟ, ପ୍ରବେଶିକା ପରୀକ୍ଷା ଆଦି ବିଭିନ୍ନ ପ୍ରସଙ୍ଗରେ ମନ୍ତ୍ରୀ ଉତ୍ତର ଦେଇଥିଲେ। ସମସ୍ତ ଉଚ୍ଚ ଶିକ୍ଷା ଅନୁଷ୍ଠାନ ନାକ ମାନ୍ୟତା ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ନିମନ୍ତେ ମନ୍ତ୍ରୀ ଆହ୍ବାନ କରିଥିଲେ। ସେ ଆଶ୍ବାସନା ଦେଇଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ବିକାଶକୁ ନେଇ ବିଶେଷ ଚିନ୍ତିତ ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷାବର୍ଷ ବାଧାପ୍ରାପ୍ତ ହେବା କାରଣରୁ ଦେଖାଦେଇଥିବା ସମସ୍ତ ବିଷୟ ପ୍ରତି ମନ୍ତ୍ରଣାଳୟ ପକ୍ଷରୁ ଧ୍ୟାନ ଦିଆଯିବ ।
କୋଭିଡ-19 କାରଣରୁ ସୃଷ୍ଟି ହୋଇଥିବା ସ୍ବତନ୍ତ୍ର ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାବର୍ଷ ଖସଡ଼ା ଏବଂ ପରୀକ୍ଷା ସଂକ୍ରାନ୍ତରେ ଯେକୌଣସି ସମସ୍ୟାର ସମାଧାନ ନିମନ୍ତେ କେନ୍ଦ୍ର ମନ୍ତ୍ରୀ ସମସ୍ତ ବିଶ୍ବବିଦ୍ୟାଳୟଗୁଡ଼ିକୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଲାଗି ୟୁଜିସି ଏବଂ ଏନସିଇଆରଟି ଦ୍ବାରା ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ଏହି ସଙ୍କଟ ସମୟରେ ଛାତ୍ରଛାତ୍ରୀଙ୍କୁ ସବୁପ୍ରକାରର ସହଯୋଗ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଆଶ୍ବାସନା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ୟୁଜିସି ଅଧ୍ୟକ୍ଷ ପ୍ରଫେସର ଡି.ପି ସିଂ, ନାକ ଇସି ଅଧ୍ୟକ୍ଷ ପ୍ରଫେସର ବିରେନ୍ଦ୍ର ଏସ ଚୌହାନ, ନାକ ନିର୍ଦ୍ଦେଶକ ପ୍ରଫେସର ଏସସି ଶର୍ମା ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।