ଭୁବନେଶ୍ୱର/ଭବାନୀପାଟଣା – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଂଚଳର ଜନୈକା ଯୁବତୀଙ୍କୁ ଛୁରୀ ଦେଖାଇ ଗଣଦୁଷ୍କର୍ମ ଘଟଣାରେ ଆଜି ପୀଡ଼ିତାଙ୍କ ପରିବାରଙ୍କୁ ଭେଟିଛନ୍ତି ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ମୀନତୀ ବେହେରା । ପୀଡ଼ିତାଙ୍କୁ ଖୁବ୍ ଶୀଘ୍ର ନ୍ୟାୟ ପ୍ରଦାନ କରାଯିବା ନେଇ ସେ ପରିବାର ସଦସ୍ୟଙ୍କୁ ଆଶ୍ୱସ୍ତି ଦେଇଥିଲେ । ଏହା ବ୍ୟତୀତ ସେ ଥାନାକୁ ଯାଇ ତଦନ୍ତର ଅଗ୍ରଗତି ସମ୍ପର୍କରେ ପୋଲିସ ଠାରୁ ପଚାରି ବୁଝିବା ସହ ଘଟଣାସ୍ଥଳରେ ପହଂଚି ତଥ୍ୟ ସଂଗ୍ରହ କରିଥିଲେ ।
ଏହି ପରିପ୍ରେକ୍ଷୀରେ ସେଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତର ଦେଇ ସେ କହିଥିଲେ ଯେ, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ତଥା ତଦଜନିତ ହତ୍ୟା ଭଳି ଘଟଣାକୁ ରୋକିବା ପାଇଁ ଅଭିଯୁକ୍ତମାନଙ୍କ ବିରୋଧରେ ଆଇନର ବ୍ୟବସ୍ଥା ଅନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୋଲିସ ଓ ମହିଳା କମିଶନ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯିବ । ଯାହାଦ୍ୱାରା ଭବିଷ୍ୟତରେ କେହି ଏଭଳି ଘୃଣ୍ୟ କାର୍ଯ୍ୟ କରିବାକୁ ସାହାସ କରିବେ ନାହିଁ ବୋଲି ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ବେହେରା ପ୍ରକାଶ କରିଛନ୍ତି । ଏଥିରେ ଯେତେବଡ ପ୍ରଭାବଶାଳୀ ବ୍ୟକ୍ତିର ସମ୍ପୃକ୍ତି ରହିଥିଲେ ମଧ୍ୟ ତାଙ୍କୁ ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି ।
ପ୍ରକାଶ ଥାଉ କି, ଗତ ୧୪ ତାରିଖରେ ସେ ଭବାନୀପାଟଣାରୁ ନିଜ ଘରକୁ ଫେରୁଥିବା ବେଳେ ଜାରିଙ୍ଗ ଜଙ୍ଗଲ ନିକଟରେ ୫ରୁ ୬ ଜଣ ଯୁବକ ଆସି ତାଙ୍କୁ ଛୁରୀ ଦେଖାଇ ଜୋରଜବରଦସ୍ତ ଜଙ୍ଗଲ ଭିତରକୁ ଉଠାଇ ନେଇଥିଲେ । ଏହା ପରେ ସେମାନେ ଜଣକ ପରେ ଜଣେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଅଭିଯୁକ୍ତ ମାନେ ଘଟଣା ଦିନର ଭିଡ଼ିଓକୁ ଭାଇରାଲ୍ କରିବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା । ଗତକାଲି ପୀଡ଼ିତା ଜୁନାଗଡ଼ ଥାନାରେ ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ପୋଲିସ ଘଟଣାର ତଦନ୍ତ ଜାରୀ ରଖିଛି ।