-
ଗୁରୁବାର ୨୬ଜଣ କରୋନା ରୋଗୀ ଚିହ୍ନଟ, ୧୯ ସୁସ୍ଥ
Related Stories
November 23, 2024
ବ୍ରହ୍ମପୁର: ଜିଲ୍ଲାରେ ଗୁରୁବାର ୨୬ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୬ଜଣ ନୂଆ କରୋନା ରୋଗୀଙ୍କ ମଧ୍ୟରୁ ୨୫ଜଣ ସଙ୍ଗରୋଧ ଗୃହରେ ରହିଥିଲେ ସେଥିମଧ୍ୟରୁ ୧୬ଜଣ ସୁରତ ଫେରନ୍ତା ଥିବାବେଳେ ୬ଜଣ ମହାରାଷ୍ଟ୍ର, ୩ଜଣ ତାମିଲନାଡୁରୁ ଆସିଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଗତ ବୁଧବାର ରାତ୍ରରେ ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ପୋଲସରା ଥାନାର ୨ଜଣ ହୋମ୍ଗାର୍ଡ କରୋନା ଆକ୍ରାନ୍ତ ହେବାପରେ ସେମାନଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ବର୍ତ୍ତମାନ ଜିଲ୍ଲାରେ ୩୯୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୧୪ଦିନରେ ୩୦୨ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ୮୯ରୋଗୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ୩ରେ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପକ୍ଷରୁ ଘୋଷଣା କରାଯାଇଛି । ସେପଟେ ପ୍ରଥମଥର ପାଇଁ ପୁରୁଷୋତ୍ତମପୁର ବ୍ଲକ୍ ପାଣ୍ଡିଆ ପଞ୍ଚାୟତର ପାଣ୍ଡିଆ ଗ୍ରାମର ୩ ସାହିକୁ ସଡ୍ ଡାଉନ୍ ଘୋଷଣା କରାଯାଇଥିବା ତହସିଲଦାର ଅରୁଣ କୁମାର ନାୟକ ସୂଚନା ଦେଇଥିଲେ । ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୫ଜଣଙ୍କ ସ୍ୱାବ୍ ସଂଗ୍ରହ କରାଯାଇ ଗୁରୁବାର ପରୀକ୍ଷା ପାଇଁ ପଠାଯାଇଛି । ଆଉ ଯେଉଁମାନଙ୍କ ଦେହରେ ଲକ୍ଷଣ ଦେଖାଯିବ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ତହସିଲଦାର ଶ୍ରୀ ନାୟକ ସୂଚନା ଦେଇଛନ୍ତି । ତେବେ ଗୁରୁବାର ୧୯ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ଖବର ପ୍ରଚାରିତ ହେବାପରେ ଜିଲ୍ଲାବାସୀ ତଥା ରୋଗୀଙ୍କ ପରିବାର ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ସେପଟେ ୨୧ଦିନିଆ କ୍ୱାରାଣ୍ଟାଇନ୍ ସାରି ଜିଲ୍ଲାର ବିଭିନ୍ନ ବ୍ଲକ୍ର ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପରେ ଥିବା ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ନିଜ ନିଜ ଘରକୁ ଫେରିଛନ୍ତି । ସେମାନଙ୍କୁ ପ୍ରଶାସନ ତରଫରୁ ସାର୍ଟିଫିକେଟ୍ ପ୍ରଦାନକରି ନିଜ ଘରକୁ ପଠାଇବା ସହ ଆଉ ୭ଦିନ ହୋମ୍ କ୍ୱାରାଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି । କରୋନା ମୁକାବିଲା ଦିଗରେ ଏମାନେ ନିଜ ନିଜ ଗ୍ରାମାଞ୍ଚଳରେ ସଚେତନତା କରିବେ ବୋଲି ଜଣାପଡିଛି । ୨୧ଦିନ ଅସ୍ଥାୟୀ କ୍ୟାମ୍ପରେ ରହିବା ସମୟରେ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସହାୟତା ଓ ଅତିଥି ଚର୍ଚ୍ଚା ଜୀବନସାରା ମନେ ରହିବ ବୋଲି ପ୍ରବାସୀମାନେ କହିବା ସହ ପ୍ରଶାସନକୁ ପ୍ରଶଂସା କରିଥିଲେ । ବୁଧବାର ମଧ୍ୟରାତ୍ର ଠାରୁ ଆରମ୍ଭକରି ଗୁରୁବାର ମଧ୍ୟରାତ୍ର ପର୍ଯ୍ୟନ୍ତ ରାଜ୍ୟ ବାହାରୁ ୮ଟି ଟ୍ରେନ ସୁରତରୁ ୫, ଗୋଆରୁ ୧, ତାମିଲନାଡୁରୁ ୧ରୁ ଗୋଟିଏ ଲେଖାଏଁ ଟ୍ରେନ୍ ଆସିଛି । ଏଥିରେ ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଗଞ୍ଜାମକୁ ଆସିଛନ୍ତି । ଏମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ ଗୃହକୁ ୨୧ଦିନିଆ କ୍ୱାରାଣ୍ଟାଇନ୍ରେ ରହିବାକୁ ପଠାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ସିଦ୍ଧାର୍ଥଶଙ୍କର ସ୍ୱାଇଁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ପ୍ରମୁଖଙ୍କ ସହ ବରିଷ୍ଠ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ପୋଲିସ ପ୍ରଶାସନର ଏହି ପ୍ରବାସୀ ଓଡ଼ିଆଙ୍କୁ ସ୍ୱାଗତ କରିବା ସହ କରାଯାଇଥିବା ବସ୍ରେ ସଙ୍ଗରୋଧ ଗୃହକୁ ପଠାଯାଇଛି । ପ୍ରବାସୀ ଓଡ଼ିଆ ଆସିବାବେଳେ ଯେପରି ବାହାର ଲୋକ ନ ପଶନ୍ତି ସେଥିନିମନ୍ତେ ଅଞ୍ଚଳକୁ ୧୪୪ ଧାରା ଘୋଷଣା କରାଯାଇଥିଲା । ବର୍ତ୍ତମାନ ଜିଲ୍ଲାକୁ ପ୍ରାୟ ୯୫ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଆସିଥିବା ବେଳେ ସେମାନଙ୍କୁ ୪ହଜାରରୁ ଊର୍ଦ୍ଧ୍ୱ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ ବା ସଙ୍ଗରୋଧ ଗୃହରେ ରଖାଯାଇଛି । ସେମାନଙ୍କ ମଧ୍ୟରୁ ଓ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା କିଛି ସ୍ଥାନୀୟ ଲୋକଙ୍କ ଠାରୁ ହିଁ ବର୍ତ୍ତମାନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।