ପୁରୀ– କରୋନା ମହାମାରୀ ସଂକ୍ରମଣକୁ ଏଡାଇବା ଲକ୍ଷ୍ୟ ନେଇ ରାଜ୍ୟବ୍ୟାପୀ ଲକ୍ ଡାଉନ୍ ଜାରୀ ରହିଛି । ଏପରି ସ୍ଥିତିରେ ଖବର ସଂଗ୍ରହ କରିବା କାଠିକାର ପାଠ ହୋଇପଡୁଛି । ଗଣମାଧ୍ୟମ ପ୍ରତିନିଧି ମାନେ ଯଥା ସମ୍ଭବ ଏହି ନିୟମକୁ ପାଳନ କରିବା ସହ ଅତି ଆବଶ୍ୟକ ପଡିଲେ ବାହାରକୁ ବାହାରୁଛନ୍ତି । ମୁହଁରେ ମାସ୍କ ଲଗାଇ ସାମାଜିକ ଦୂରତ୍ୱ ରକ୍ଷା କରି ଯଥା ସମ୍ଭବ ସବିଶେଷ ଓ ତଥ୍ୟ ସମ୍ବଳିତ ଖବର ସଂଗ୍ରହ କରିବା ପାଇଁ ପ୍ରୟାସ ଜାରୀ ରଖିଛନ୍ତି । ଏପରି ସ୍ଥିତିରେ ପୁରୀ ଜିଲ୍ଲାର ବିଭିନ୍ନ ଥାନାର ଅଧିକାରୀ ମାନେ ଫୋନ୍ ରିସିଭ୍ ନକରିବା, ଫୋନ୍ ସ୍ୱିଚ୍ ଅଫ୍ କରିବା, ଜାଣି ଶୁଣି ନଟ୍ ରିଚେବଲ୍ ମୋଡ୍ ରେ ରଖିବା, ଏପରିକି କେତେକ ଥାନା ଅଧିକାରୀ କହୁଛନ୍ତି ଆମେ କିଛି କହି ପାରିବୁ ନାହିଁ, ଯାହା କହିବେ ସାର୍ କହିବେ । ସାର୍ ମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ବୁଝାଉଛି ।
ତେବେ ଆଜି ଏସବୁ ବାବଦରେ ହିନ୍ଦୁସ୍ଥାନ ସମାଚାର ପକ୍ଷରୁ ଜିଲ୍ଲା ଏସପି ଡଃ. ଉମାଶଙ୍କର ଦାଶଙ୍କୁ ଜଣାଇବାରେ ସେ କହିଛନ୍ତି ଯେ, ଖୁବ୍ ଶିଘ୍ର ଏନେଇ ପ୍ରେସ୍ ରିଲିଜ୍ ଜାରୀ କରୁଛି । କ’ଣ ହୋଇଛି ଦେଖୁଛି । ଆଗକୁ କିପରି ଗଣମାଧ୍ୟମ ପ୍ରତିନିଧିଙ୍କୁ ଠିକ୍ ଭାବେ ତଥ୍ୟ ମିଳିପାରିବ ସେନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରଚେଷ୍ଟା କରାଯିବ ।