-
ବୁଧବାର ୧୦ଜଣ କରୋନା ରୋଗୀ ଚିହ୍ନଟ, ୧୧ ସୁସ୍ଥ
-
ପୁରୁଷୋତ୍ତମ ବ୍ଲକ୍ ପାଣ୍ଡିଆ ଗ୍ରାମର ୩ସାହି ସଡ୍ ଡାଉନ୍
ବ୍ରହ୍ମପୁର: ଜିଲ୍ଲାରେ ବୁଧବାର ୧୦ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୦ଜଣ ନୂଆ କରୋନା ରୋଗୀଙ୍କ ମଧ୍ୟରୁ ୮ଜଣ ସଙ୍ଗରୋଧ ଗୃହରେ ରହିଥିଲେ ସେଥିମଧ୍ୟରୁ ୬ଜଣ ସୁରତ ଫେରନ୍ତା ଥିବାବେଳେ ୨ଜଣ ଅନ୍ୟ ରାଜ୍ୟରୁ ଆସିଥିଲେ ଓ ଅନ୍ୟ ୨ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ତେବେ ବର୍ତ୍ତମାନ ଜିଲ୍ଲାରେ ୩୬୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୧୩ଦିନରେ ୨୮୩ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ୮୨ରୋଗୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ୩ରେ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପକ୍ଷରୁ ଘୋଷଣା କରାଯାଇଛି । ସେପଟେ ପ୍ରଥମଥର ପାଇଁ ପୁରୁଷୋତ୍ତମପୁର ବ୍ଲକ୍ ପାଣ୍ଡିଆ ପଞ୍ଚାୟତର ପାଣ୍ଡିଆ ଗ୍ରାମର ୩ ସାହିକୁ ସଡ୍ ଡାଉନ୍ ଘୋଷଣା କରିଛନ୍ତି ତହସିଲଦାର ଅରୁଣ କୁମାର ନାୟକ । ସେହି ସାହି ଅଞ୍ଚଳର ଜଣଙ୍କ ଠାରୁ କରୋନା ପଜେଟିଭ ଆସିବାପରେ ତାଙ୍କର ସଂସ୍ପର୍ଶରେ କିଏ ଆସିଛି ତାହାର ଛାନବିନ୍ ଆରମ୍ଭ ହୋଇଛି । ଗୁରୁବାର ଠାରୁ ୩ ସାହିର ସମସ୍ତ ପରିବାରର ଥର୍ମାଲ ସ୍କ୍ରିନିଂ କରାଯିବ ଓ ସାହିକୁ ବିଶୋଧନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ତହସିଲଦାର ଶ୍ରୀ ନାୟକ ସୂଚନା ଦେଇଛନ୍ତି । ସୁସ୍ଥ ହୋଇ ଘରକୁ ଫେରିବା ଖବର ପ୍ରଚାରିତ ହେବାପରେ ଜିଲ୍ଲାବାସୀ ତଥା ରୋଗୀଙ୍କ ପରିବାର ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ସେପଟେ ୨୧ଦିନିଆ କ୍ୱାରାଣ୍ଟାଇନ୍ ସାରି ଜିଲ୍ଲାର ବିଭିନ୍ନ ବ୍ଲକ୍ର ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପରେ ଥିବା ପ୍ରାୟ ୮ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ନିଜ ନିଜ ଘରକୁ ଫେରିଛନ୍ତି । ସେମାନଙ୍କୁ ପ୍ରଶାସନ ତରଫରୁ ସାର୍ଟିଫିକେଟ୍ ପ୍ରଦାନକରି ନିଜ ଘରକୁ ପଠାଇବା ସହ ଆଉ ୭ଦିନ ହୋମ୍ କ୍ୱାରାଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି । କରୋନା ମୁକାବିଲା ଦିଗରେ ଏମାନେ ନିଜ ନିଜ ଗ୍ରାମାଞ୍ଚଳରେ ସଚେତନତା କରିବେ ବୋଲି ଜଣାପଡିଛି । ୨୧ଦିନ ଅସ୍ଥାୟୀ କ୍ୟାମ୍ପରେ ରହିବା ସମୟରେ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସହାୟତା ଓ ଅତିଥି ଚର୍ଚ୍ଚା ଜୀବନସାରା ମନେ ରହିବ ବୋଲି ପ୍ରବାସୀମାନେ କହିବା ସହ ପ୍ରଶାସନକୁ ପ୍ରଶଂସା କରିଥିଲେ । ମଙ୍ଗଳବାର ମଧ୍ୟରାତ୍ର ଠାରୁ ଆରମ୍ଭକରି ବୁଧବାର ମଧ୍ୟରାତ୍ର ପର୍ଯ୍ୟନ୍ତ ରାଜ୍ୟ ବାହାରୁ ୮ଟି ଟ୍ରେନ ସୁରତରୁ ୬, ଚେନ୍ନାଇରୁ ଗୋଟିଏ ଓ କେରଳରୁ ଗୋଟିଏ ଲେଖାଏଁ ଟ୍ରେନ୍ ଆସିଥିବା ଜଣାପଡିଛି । ଏଥିରେ ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଗଞ୍ଜାମକୁ ଆସିଛନ୍ତି । ଏମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ ଗୃହକୁ ୨୧ଦିନିଆ କ୍ୱାରାଣ୍ଟାଇନ୍ରେ ରହିବାକୁ ପଠାଯାଇଛି । ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ପୋଲିସ ପ୍ରଶାସନର ଏହି ପ୍ରବାସୀ ଓଡ଼ିଆଙ୍କୁ ସ୍ୱାଗତ କରିବା ସହ କରାଯାଇଥିବା ବସ୍ରେ ସଙ୍ଗରୋଧ ଗୃହକୁ ପଠାଯାଇଛି । ପ୍ରବାସୀ ଓଡ଼ିଆ ଆସିବାବେଳେ ଯେପରି ବାହାର ଲୋକ ନ ପଶନ୍ତି ସେଥିନିମନ୍ତେ ଅଞ୍ଚଳକୁ ୧୪୪ ଧାରା ଘୋଷଣା କରାଯାଇଥିଲା । ତେବେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସେପଟେ ଗତ ୧୩ଦିନ ମଧ୍ୟରେ ମୋଟ ୨୮୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ଖବର ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହିତ କରୁଥିବା ବେଳେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଭୟଭୀତ ରହିଛନ୍ତି । ବର୍ତ୍ତମାନ ଜିଲ୍ଲାକୁ ପ୍ରାୟ ୯୦ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଆସିଥିବା ବେଳେ ସେମାନଙ୍କୁ ୪ହଜାରରୁ ଊର୍ଦ୍ଧ୍ୱ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ ବା ସଙ୍ଗରୋଧ ଗୃହରେ ରଖାଯାଇଛି । ସେମାନଙ୍କ ମଧ୍ୟରୁ ଓ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା କିଛି ସ୍ଥାନୀୟ ଲୋକଙ୍କ ଠାରୁ ହିଁ ବର୍ତ୍ତମାନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆଗକୁ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ଡାକ୍ତର, ନର୍ସଙ୍କ ମିଳିତ ଉଦ୍ୟମରେ ଏବେ କରୋନା ମୁକାବିଲା ସୁରୁଖୁରୁରେ ଚାଲିଛି । ସେପଟେ ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ଜିଲ୍ଲାରେ ବଳବତ୍ତର ରହିଥିବା ବେଳେ ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ କର୍ଫ୍ୟୁ ସ୍ଥିତି ଜାରି କରାଯାଇଛି । ଏହି ସମୟରେ ମେଡିକାଲ୍ କାର୍ଯ୍ୟ ସାରିଲେ ଅନ୍ୟ କୌଣସି କାର୍ଯ୍ୟରେ ଲୋକେ ଯେପରି ବାହାରକୁ ବାହାରିବେନି ସେ ଉପରେ ଗୁରୁତ୍ୱ ଦିଆଯାଇଛି । ଯଦି କୌଣସି ଲୋକ ଅନାୟସରେ ପଦାକୁ ବାହାରେ ତାହେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଳାପାଳ କହିଛନ୍ତି ।