-
ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଆସନ୍ତା ୨୯ ତାରିଖରୁ ପୁଣି ଥରେ ଆରମ୍ଭ ହେବ ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସୌନ୍ଦଯ୍ୟକରଣ କାମ । ପୂର୍ବଭଳି ନିର୍ମାଣ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ଦିରର ଚତୁଃପାଶ୍ୱର୍ ଉଚ୍ଛେଦ ସହ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହେବ । ତାଲାବନ୍ଦ ପାଇଁ ୨ ମାସ ହେବ ନିର୍ମାଣ କାମ ବନ୍ଦ ଥିଲା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଐତିହ୍ୟ ପ୍ରକଳ୍ପ ଓ ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିର ଐତିହ୍ୟ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମିକ୍ଷା କରିଥିଲେ ।
ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୁରୀ ଓ ଭୁବନେଶ୍ୱରରେ ଏହହି ଦୁଇଟି ପ୍ରକଳ୍ପ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର ଭାବେ ଗୁରୁତ୍ୱପୂର୍ଣ୍ଣ । ଲକ୍ ଡାଉନ୍ ଯୋଗୁଁ ଏହି କାମ ଦୁଇ ମାସ ଧରି ବନ୍ଦ ରହିଥିଲା । ତେବେ ଏହି କାର୍ଯ୍ୟକୁ ମଇ ୨୯ ତାରିଖରୁ ପୁନର୍ବାର ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ସାମାଜିକ ଦୂରତ୍ୱ ଓ ଅନ୍ୟନ୍ୟ ଗାଇଡ୍ ଲାଇନ୍ ଗୁଡିକୁ କଡାକଡି ଭାବେ ପାଳନ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ବୈଠକରୁ ଜଣାଯାଇଛି ଯେ ଶ୍ରୀ ସେତୁ , ଶ୍ରୀ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର , ମହୋଦଧି ମାର୍କେଟ୍ କମ୍ପେ୍ଲକ୍ସ ଏବଂ ମୂଷା ନଦୀର ସଂପ୍ରସାରଣ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି । ଆଉ ଅଳ୍ପ ଜମିର ଅଧିଗ୍ରହଣ ବାକି ରହିଛି । ଏହା ପ୍ରାୟ ୨-୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ଏହାସହିତ ଜଗନ୍ନାଥ ହେରିଟେଜ୍ କରିଡର , ବଡଦାଣ୍ଡ ଉନ୍ନତିକରଣ ପ୍ରକଳ୍ପ , ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ବିଲଡିଂର ପୁନର୍ବିକାଶ ପ୍ରକଳ୍ପ , ଜଗନ୍ନାଥ ସଂସ୍କୃତି କେନ୍ଦ୍ର ଆଦି ପ୍ରକଳ୍ପ ପାଇଁ ଡିଜାଇନ୍ ପ୍ରସ୍ତୁତ କରାଯାଉଛି ।
ସେହିପରି ଲିଙ୍ଗରାଜ ମନ୍ଦିର ପ୍ରକଳ୍ପର ମଧ୍ୟ ବିଭିନ୍ନ କାର୍ଯ୍ୟ ପାଇଁ ପ୍ରସ୍ତୁତି ଚାଲିଛି । ଜମି ଅଧିଗ୍ରହଣ କାର୍ଯ୍ୟ .ଖୁବ୍ ଶୀଘ୍ର ଶେଷ ହେବ ।ମନ୍ଦିର ଓ ବିନ୍ଦୁସାଗର ମଧ୍ୟବର୍ତୀ ଅଂଚଳର ବିକାଶ ପାଇଁ କାର୍ଯ୍ୟ ଆରମ୍ଭ କରାଯିବ । ଏଥିପାଇଁ ଯୋଜନା ଓ ଡିଜାଇନ୍ କାର୍ଯ୍ୟର .ପ୍ରସ୍ତୁତି ଚାଲିଛି । ବିନ୍ଦୁସାଗର ଓ ଅନ୍ୟାନ୍ୟ ତୀର୍ଥ ପୁଷ୍କରିଣୀର ଜଳକୁ ନୂତନ ବୈଷୟିକ ଜ୍ଞାନ ସହାୟତାରେ ସ୍ୱଚ୍ଛ କରିବା ଓ ଏହାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଭାରତ ସରକାରଙ୍କ ଇଣ୍ଡିଆନ୍ କେମିକାଲ ଇନଷ୍ଟିଚ୍ୟୁଟ୍ ସହିତ ଖୁବଶୀଘ୍ର ଏକ ବୁଝାମଣା ପତ୍ର ସ୍ୱାକ୍ଷର କରାଯିବ ବୋଲି ବୈଠକରୁ ଜଣାଯାଇଛି ।
ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା . ଉନ୍ନୟନ କମିଶନର , ୫-ଟି ସଚିବ , ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ପୂର୍ତ ସଚିବ ଓ ପୁରୀ ଜିଲ୍ଲାପାଳ ଆଦି ଯୋଗ ଦେଇଥିଲେ ।