ଭୁବନ– ସମଗ୍ର ବିଶ୍ୱକୁ ଏବେ କରୋନା ମହାମାରୀ କବଳିତ କରି ରଖିଛି । ଏହାଦ୍ୱାରା ବିଶ୍ୱର ଅଧିକାଂଶ ରାଷ୍ଟ୍ରର ଅର୍ଥନୈତିକ ମେରୁଦଣ୍ଡ ଦୋହଲି ଯାଇଛି । ଧନୀ ଠାରୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ସମସ୍ତେ ଏବେ ସଙ୍କଟରେ । ଭାରତ ମଧ୍ୟ ଏଥିରୁ ବାଦ୍ ପଡିନି । କରୋନାକୁ ନିୟନ୍ତ୍ରଣରେ ରଖିବାକୁ ଯଦିଓ ସରକାର ସବୁ ପ୍ରକାର ପ୍ରୟାସ କରିଛନ୍ତି, ତଥାପି ପୂର୍ଣ୍ଣମାତ୍ରାରେ ଏଥିରେ ସଫଳ ହୋଇପାରୁନାହାଁନ୍ତି । ଚେଷ୍ଟା ଅଦ୍ୟାବଧି ଜାରି ରଖିଛନ୍ତି । ହେଲେ କରୋନା କିନ୍ତୁ ଅନେକଙ୍କର ଜୀବିକା ଛଡ଼ାଇ ନେଇଛି । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ମୁକ୍ତମଂଚ ଓ ଯାତ୍ରା କଳାକାର ମାନେ । ଏମାନଙ୍କର ନିଚ୍ଛକ ଅଭିନୟରେ ଆମେ ପାଆନ୍ତି ଆତ୍ମସନ୍ତୋଷ ଆଉ ସେମାନେ ଏଥିରୁ ଦି’ ପଇସା ରୋଜଗାର କରି ଚଳାନ୍ତି ତେଲଲୁଣର ସଂସାର । ଏବେ କିନ୍ତୁ ସବୁ ବନ୍ଦ । ଚିନ୍ତା ଓ ସଙ୍କଟରେ ରହି ଅନେଇ ବସିଛନ୍ତି କେବେ ଖୋଲିବ ଲକ୍ ଡାଉନ୍ । କେବେ ସ୍ୱାଭାବିକ୍ ହେବ ସ୍ଥିତି ।
ସୂଚନା ମୁତାବକ, ଗ୍ରାମାଚଂଳରେ ଅନୁଷ୍ଠିତ ବିଭିନ୍ନ ପର୍ବ ପର୍ବାଣିରେ ମୁକ୍ତମଂଚ ନାଟକ ଓ ଯାତ୍ରା ମଚଂସ୍ଥ ହୋଇଥାଏ । ଏହିସବୁ ନାଟକରେ ଅଭିନୟ କରୁଥିବା ପେଶାଦାର ଅଭିନେତା, ଅଭିନେତ୍ରୀ, ସଙ୍ଗୀତକାର, ନୃତ୍ୟକାର, ବାଦ୍ୟକାର ଓ କଣ୍ଠଶିଳ୍ପୀ ପରି ଅନେକ କଳାକାର କିଛି ଅର୍ଥ ଉପାର୍ଜନ କରିଥାନ୍ତି । ସେହି ଅର୍ଥରେ ସେମାନେ ସ୍ୱାବଲମ୍ବୀ ହେବା ସହିତ ପରିବାର ପ୍ରତିପୋଷଣ କରିଥାନ୍ତି । ସଂପ୍ରତି କରୋନା ପାଇଁ ଦୁଇ ମାସ ହେବ ଲକ୍ ଡାଉନ୍ ଜାରି ରହିଛି । ଫଳରେ ମୁକ୍ତମଂଚ ନାଟକ କିମ୍ବା ଯାତ୍ରା ପରିବେଷଣ ହୋଇପାରୁନାହିଁ । ଯାହାଦ୍ୱାରା କଳାକାର ମାନେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ସେହିପରି ବ୍ୟବସାୟ ଭିତିକ ଯାତ୍ରା ଓ ଅପେରା ମଧ୍ୟ ଏହାର ପ୍ରଭାବରେ ବନ୍ଦ ରହିଛି । ସେଥିରେ କିଛି ନାମୀଦାମୀ ବେତନ ଭୋଗୀ କଳାକାରମାନଙ୍କୁ ଛାଡିଦେଲେ ଅନ୍ୟମାନେ ପାରିଶ୍ରମିକ ନେଇ କାମ କରିଥାନ୍ତି । ନାଟକ ପରିବେଷଣ ବନ୍ଦ ଥିବାରୁ ଯାତ୍ରା ନିର୍ଦ୍ଦେଶକ, ନାଟ୍ୟକାର, ସଙ୍ଗୀତ ନିର୍ଦ୍ଦେଶକ, ନୃତ୍ୟ ନିର୍ଦ୍ଦେଶକ, ଯନ୍ତ୍ରଶିଳ୍ପୀ, କଣ୍ଠଶିଳ୍ପୀ, ଆଲୋକ ସଜ୍ଜା, ମଂଚ ସଜ୍ଜା, ଲାଇଟ ସାଉଣ୍ଡରେ କାମ କରୁଥିବା କଳାକାରମାନେ ପାରିଶ୍ରମିକ ପାଇବାରୁ ବଂଚିତ ହେଉଛନ୍ତି । କରୋନାକୁ ନେଇ ଉପୁଜିଥିବା ଅବସ୍ଥା ସ୍ୱାଭାବିକ ନହେଲେ ଯାତ୍ରା କିମ୍ବା ମୁକ୍ତମଂଚ ନାଟକ ସମ୍ଭବ ନୁହେଁ ବୋଲି ସାଧାରଣରେ ଆଲୋଚନା ହେଉଛି । ଏଭଳି ଅବସ୍ଥାକୁ ଲକ୍ଷ୍ୟ କରି ଅନେକ କଳାକାର ଏହାର ଭବିଷ୍ୟତକୁ ନେଇ ଚିନ୍ତାରେ ଥିବା ଦେଖିବାକୁ ମିଳିଛି । ଯାତ୍ରା ଓ ମୁକ୍ତମଂଚ ନାଟକ ସର୍ବପୁରାତନ । ତାହା ଓଡିଶା ଲୋକକଳାକୁ ସମୃଦ୍ଧ କରିଛି । ଢେଙ୍କାନାଳ ଜିଲ୍ଲା ଭୁବନରେ ଶ୍ରୀ ଚୈତନ୍ୟ କଳାକୁଞ୍ଜ (ତେଲିସାହି), ଜୟ ବଜରଙ୍ଗବାଲୀ ନାଟ୍ୟାନୁଷ୍ଠାନ(ନାୟକ ସାହି), ଜୟ ମା ମଙ୍ଗଳା ନାଟକ ସଂଘ,(ବଢେଇସାହି),ମା ବଣିଜାରୀ ନାଟ୍ୟଅନୁଷ୍ଠାନ,ଜୟ ଦୁର୍ଗା ନାଟ୍ୟ ଅନୁଷ୍ଠାନ,(ଦୁର୍ଗାଛକ), ମହାଲକ୍ଷ୍ମୀ ଯୁବକ ସଂଘ(ଲକ୍ଷ୍ମୀଛକ) ପ୍ରଭୃତି ଅନୁଷ୍ଠାନ ସ୍ୱର୍ଗତ ବିଜୟ ସାହୁ, ସ୍ୱର୍ଗତ ପିତାମ୍ବର ମିଶ୍ର, ସ୍ୱର୍ଗତ କୃଷ୍ଣଚନ୍ଦ୍ର ମିଶ୍ର, ସ୍ୱର୍ଗତ ଅଭିରାମ ମିଶ୍ର, ସ୍ୱର୍ଗତ ସନାତନ ବିହାରୀ, ସ୍ୱର୍ଗତ ବଟକୃଷ୍ଣ ବେହେରା, ସ୍ୱର୍ଗତ କାହ୍ନୁଚରଣ ମିଶ୍ର, ନୀଳମଣି ସାହୁ, ସନାତନ ସାହୁ, ଭଗବାନ ଗୁରୁ, କୋଦଣ୍ଡଧର ପୋଥାଳ, ସତ୍ୟବାଦୀ ସେନାପତି, ଗୁରୁପ୍ରସାଦ ମିଶ୍ର ପ୍ରମୁଖଙ୍କ ବଳିଷ୍ଟ ନିର୍ଦ୍ଦେଶନା ଓ ନାରାୟଣ ପୋଥାଳ, ନିତ୍ୟାନନ୍ଦ ସାହୁ, ଦିଲ୍ଲୀପ ଦାସ, ଶାନ୍ତନୁ ଦାଶ, ଦେବାଶିଷ ମିଶ୍ର, ସନ୍ତୋଷ ପୃଷ୍ଟି, ବନମାଳି ପାତ୍ର, କରୁଣାକର ବାରିକ, ଅଶୋକ ସାହୁ, ଆଲୋକ ସାହୁ, ବିଳାସ ମହାରଣା, ସନ୍ତୋଷ ବିହାରୀ, ଯୁଧିଷ୍ଠିର ପୋଥାଳ, ସଦାନନ୍ଦ ନାୟକ, ଯୁଧିଷ୍ଠିର ପୃଷ୍ଟି, ଅମ୍ବୁଜ ନାୟକ, ଜିତେନ୍ଦ୍ର ସାହୁ, ତ୍ରିଲୋଚନ ସାହୁ, ବିଷ୍ଣୁ ପ୍ରସାଦ ପୃଷ୍ଟି, କୈଳାସ ଚନ୍ଦ୍ର ସାହୁ, ସରୋଜ ସାହୁ ପ୍ରମୁଖଙ୍କ ଜୀବନ୍ତ ଅଭିନୟରେ ଆରମ୍ଭ ହୋଇଥିବା ଏହି ଯାତ୍ରା ଓ ମୁକ୍ତମଂଚ ନାଟକ ଖୁଦୁରୁକୁଣୀ ଓଷାରୁ ଆରମ୍ଭ ହୋଇ ବିଶ୍ୱକର୍ମା ପୂଜା, ଦୁର୍ଗାପୂଜା, କୁମାରପୂର୍ଣ୍ଣିମା, ଲକ୍ଷ୍ମୀପୂଜା, ମାଣବସା ଶେଷ ଗୁରୁବାର, ରାହାସ ପୂର୍ଣ୍ଣିମା, ହିଙ୍ଗୁଳା ଯାତ୍ରା, ଦୋଳଯାତ୍ରା, ରଜ ସଂକ୍ରାନ୍ତି ଆଦି ପର୍ବ ପର୍ବାଣିରେ ବିଭିନ୍ନ ଯାତ୍ରା ମଣ୍ଡପରେ ଯାତ୍ରା ଓ ନାଟକ ମଂଚସ୍ଥ ହୋଇଥାଏ । ଦିଲ୍ଲୀପ ଦାସ ଓ ଗୁରୁ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଭୁବନର ବିଭିନ୍ନ ନାଟ୍ୟ ଅନୁଷ୍ଠାନ ଓ କଳାକାର ମାନଙ୍କୁ ସଂଗଠିତ କରି ଭୁବନ କଳା ପରିଷଦ ଗଠନ କରାଯାଇଛି । ବିଭିନ୍ନ ପର୍ବପର୍ବାଣୀରେ ତାଳଚେର, ତୁମୁସିଙ୍ଗା, ଧୋବାବାହାଲି, ବାଟ ଗାଁ, କଙ୍କଡାହାଡ, ସାଆନ୍ଦା, ରାଙ୍କିଆ, ରାଇବୋଲ, ରଗଦା, ମନ୍ଦାର, ଷଡଙ୍ଗୀ ପ୍ରଭୃତି ଗ୍ରାମକୁ ଯାତ୍ରା ପରିବେଷଣ କରିବାକୁ ଯାଆନ୍ତି । ବର୍ତମାନ କରୋନା ଜନିତ ଲକ୍ ଡାଉନ ପାଇଁ ସବୁ ଅଚଳ ହୋଇପଡିଛି । ଫଳରେ କେବଳ ମଂଚ କଳାକାର ନୁହନ୍ତି ଓଡିଶା ଯାତ୍ରା ଜଗତର ହଜାର ହଜାର କଳାକାର ମାନଙ୍କ
ଦିଲ୍ଲୀପ ଦାସ ( ଅଭିନେତା ) – ବର୍ତମାନ ଲକ୍ ଡାଉନ ଜାରି ରହିଥିବାରୁ ଯାତ୍ରା ଓ ମୁକ୍ତମଂଚ ନାଟକ ପରିବେଷଣ ହେଉପାରୁନାହିଁ । ଫଳରେ କଳାକାରମାନେ ହାତବାନ୍ଧି ବସି ରହିଛନ୍ତି । ସେମାନଙ୍କର ଅନ୍ୟ କିଛି ପେଷା ନଥିବାରୁ ସେମାନେ ଆର୍ଥିକ ଅନଟନ ମଧ୍ୟରେ ଦିନ ବିତାଉଛନ୍ତି । ଫଳରେ ଏହି ବୃତିକୁ ଆଦରି ନେଇଥିବା ପରିବାରଗୁଡିକ ଏବେ ଦୁର୍ଦ୍ଦିନରେ ଥିବା ଦେଖିବାକୁ ମିଳିଛି । ଫଳରେ କେତେକ କଳାକାର ନିଜ ପେସାକୁ ଛାଡି ପେଟ ପାଇଁ ଏବେ ଅନ୍ୟ ବୃତିକୁ ଆପଣେଇ ନେଲେଣି । କଳାକାରମାନଙ୍କୁ ରାଜ୍ୟ ସରକାର ମାସିକ ଭତା ପ୍ରଦାନ କରୁଥିବା ବେଳେ ପ୍ରକୃତ କଳାକାର ମାନେ ସେଥିରୁ ବାଦ୍ ପଡିଛନ୍ତି । ବର୍ତମାନ ଅବସ୍ଥାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ମଂଚ ଓ ଯାତ୍ରା କଳାକାରମାନଙ୍କୁ ଭତା ପ୍ରଦାନ କରିବା ସହିତ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତୁ ଓ ମୁକ୍ତାକାଶ ରଙ୍ଗ ମଂଚକୁ ଲୋକନାଟ୍ୟ କଳାର ମାନ୍ୟତା ଦିଆଯାଉ । ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟକାର, ସଙ୍ଗୀତ ନିର୍ଦ୍ଦେଶକ, ନୃତ୍ୟ ନିର୍ଦ୍ଦେଶକ, ଯନ୍ତ୍ରଶିଳ୍ପୀ, କଣ୍ଠଶିଳ୍ପୀ, ଆଲୋକ ସଜ୍ଜା, ମଂଚ ସଜ୍ଜା, ଲାଇଟ ସାଉଣ୍ଡ, ଟେଣ୍ଡ ଫିଟିଙ୍ଗ କାମ କରୁଥିବା ଶ୍ରମିକମାନଙ୍କ ପ୍ରତି ମଧ୍ୟ ଦୃଷ୍ଟି ଦେବା ଉଚିତ ।
ଶାନ୍ତନୁ ଦାଶ ( ଅଭିନେତା ) – ମୁକ୍ତମଂଚ ନାଟକର ପେଶାଦାର କଳାକାର ମାନଙ୍କୁ ସରକାର ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରିବା ଉଚିତ୍ । କାରଣ ସେମାନେ ଗ୍ରାମାଚଂଳରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆୟୋଜନ ହେଉଥିବା ମୁକ୍ତମଂଚ ନାଟକରେ ଅଭିନୟ କରି ଜୀବିକା ନିର୍ବାହ କରିଥାନ୍ତି । ବର୍ତମାନ ତାହା ବନ୍ଦ ରହିଥିବାରୁ ସେମାନେ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି । ଲକ୍ ଡାଉନ ଅବଧି ଶେଷ ତଥା ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ରାଜ୍ୟ ସରକାର କଳାକାରମାନଙ୍କୁ ଆର୍ଥିକ ସହାୟତା ଦେବା ଜରୁରୀ । ବସିରହିଥିବା ପେଶାଦାର କଳାକାର ମାନଙ୍କୁ କରୋନା ସଚେତନତା ପୂର୍ବକ ପଥପ୍ରାନ୍ତ ନାଟକ ପରିବେଷଣ ପାଇଁ ଅନୁମତି ଦେବା ସହିତ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତୁ ।
ନାରାୟଣ ପୋଥାଳ ( ଅଭିନେତା )- ଯାତ୍ରା ଓ ମଂଚ ନାଟକ ଉଭୟ ମଧ୍ୟରେ ଫରକ ରହିଛି । ଯାତ୍ରା ବ୍ୟବସାୟକରଣ ହୋଇଥିବାରୁ ସେଥିରେ ଅଭିନୟ କରୁଥିବା କଳାକାରମାନେ ବେତନ ପାଇଥାନ୍ତି । ମଂଚ ଅଭିନେତା/ଅଭିନେତ୍ରୀ ମାନେ ପାରିଶ୍ରମିକ ପାଇଥାନ୍ତି । ବର୍ତମାନ ମଂଚ ନାଟକ ବନ୍ଦ ଥିବାରୁ ସେମାନେ ପାରିଶ୍ରମିକ ପାଇବାରୁ ବଂଚିତ ହେଉଛନ୍ତି । ତେଣୁ ସରକାର ମଂଚ କଳାକାରଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦିଅନ୍ତୁ ।
ଗୁରୁ ପ୍ରସାଦ ମିଶ୍ର (ନିର୍ଦ୍ଦେଶକ)- ଯାତ୍ରା ଓ ମୁକ୍ତମଂଚ ହେଉଛି ସର୍ବବୃହତ ଗଣମାଧ୍ୟମ । କାରଣ ସାଂପ୍ରତିକ ପରିସ୍ଥିତି ତଥା ସାମାଜିକ ଓ ପୌରାଣିକ କଥାବସ୍ତୁକୁ ନେଇ ନାଟକ ଲେଖାଯାଇ ମଂଚସ୍ଥ ହୋଇଥାଏ ଓ ଲୋକଙ୍କୁ ସଚେତନ କରାଯାଇଥାଏ । ସରକାର ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଯେମିତି ବୀମା ଯୋଜନା କରିଛନ୍ତି କଳାକାର ମାନଙ୍କ ପାଇଁ ମଧ୍ୟ ସେମିତି ଭତା ଓ ବୀମା ଯୋଜନା କରନ୍ତୁ ।