ଗଞ୍ଜାମ– ଗଞ୍ଜାମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଡିଏସଡବ୍ଲ୍ୟଓ)ଙ୍କ ଅଣ୍ଡା ବେପାର ରାଜନୀତି ବନ୍ଦ କରିବାକୁ ସ୍ୱୟଂ ସହାୟକ ଗୋଷ୍ଠୀ (ଏଏଚଜି) ଠାରୁ ଅଣ୍ଡା କିଣି ଅଙ୍ଗନବାଡ଼ି ହିତାଧିକାରୀଙ୍କୁ ଦେବାକୁ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିଥିବା ଆଦେଶକୁ ତୁରନ୍ତ ପ୍ରତ୍ୟାହାର କରିବା, ଗତ ଅପ୍ରେଲ ଓ ମଇ ମାସର ଅଣ୍ଡା ଓ ଖାଦ୍ୟ ସାମଗ୍ରୀ ବିଲ୍ ତୁରନ୍ତ କରି ଅର୍ଥ ପ୍ରଦାନ କରିବାକୁ ଡିଏସଡବ୍ଲ୍ୟଓଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡ଼ିଜ୍ ୱାର୍କର୍ସ ଆସୋସିଏସନର ରାଜ୍ୟ ସମ୍ପାଦିକା ଅମିତା ସାହୁ, ଜିଲ୍ଲା ସମ୍ପାଦିକା ମଞ୍ଜୁବାଳା ପାଣିଗ୍ରାହୀ, ସଭାନେତ୍ରୀ ରଞ୍ଜିତା କୁମାରୀ ରଥଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବ୍ରହ୍ମପୁର ଦକ୍ଷିଣାଚଂଳ ରାଜସ୍ୱ କମିଶନର (ଆରଡିସି)ଙ୍କୁ ସାକ୍ଷାତ୍ କରି ଏ ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ୩୧ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ଗଞ୍ଜାମ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କର୍ମୀ ଜୁନ୍ ପହିଲାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଏହି ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି । ସମ୍ପୃକ୍ତ ସମାଜ କଲ୍ୟାଣ ଅଧିକାରୀ ମନୋରମା ରେଡ୍ଡୀ ଜିଲ୍ଲାରେ କାର୍ଯ୍ୟ କରିବା ଦିନ ଠାରୁ ସମାଜ କଲ୍ୟାଣ କାର୍ଯ୍ୟରେ ବହୁ ଅବ୍ୟବସ୍ଥା ଦେଖାଦେଇଥିବା ଅଙ୍ଗନବାଡ଼ି କର୍ମୀ ମାନେ ଅଭିଯୋଗ କରିଛନ୍ତି ।
ଏହି ଦାବି ପତ୍ରର ନକଲକୁ ସେମାନେ ରାଜ୍ୟ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ମହିଳା ଶିଶୁ ବିକାଶ ସଚିବ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲାର ସମସ୍ତ ସିଡ଼ିପିଓ, ଜିଲ୍ଲାର ସମସ୍ତ ବିଡ଼ିଓ ଏବଂ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି ।