ପୁରୀ– ରଥଯାତ୍ରା ସହିତ ଜଡ଼ିତ ଦଇତାପତି ସେବାୟତଙ୍କର କରୋନା ଟେଷ୍ଟ ନେଇ ସ୍ୱାବ୍ ସଂଗ୍ରହ ପ୍ରକ୍ରିୟା ଆଜି ପୂର୍ବାହ୍ନରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆରମ୍ଭ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ)ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ସ୍ୱାବ୍ ସଂଗ୍ରହ କରାଯାଉଛି । ପ୍ରଥମେ ଦଇତାପତି ନିଯୋଗ ସମ୍ପାଦକ ଦୂର୍ଗା ଦାସମହାପାତ୍ରଙ୍କ ସ୍ୱାବ୍ ସଂଗ୍ରହ କରାଯାଇଛି । ପରେ ପରେ ଅନ୍ୟ ସେବକଙ୍କ ସ୍ୱାବ୍ ସଂଗ୍ରହ କରାଯାଉଥିବା ସୂଚନା ମିଳିଛି ।
ଆଜି ଓ ଆସନ୍ତା କାଲି ଦୁଇ ଦିନ ଧରି ଦଇତାପତି ସେବାୟତଙ୍କର ସ୍ୱାବ୍ ସଂଗ୍ରହ ପ୍ରକ୍ରିୟା ଜାରୀ ରହିବ ବୋଲି ଗତକାଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଏନେଇ ବିଭିନ୍ନ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
ସେହିପରି ଆସନ୍ତା ୨୯ ଓ ୩୦ ତାରିଖରେ ମୋଟ୍ ୧୭୨ ଗରାବଡ଼ୁ ସେବକଙ୍କ କୋଭିଡ଼୍ ଟେଷ୍ଟ କରାଯିବାକୁ ଗତ ୨୩ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତି ହୋଇଛି । ୫ ତାରିଖ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଏସବୁ ରିପୋର୍ଟ ମିଳିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଶ୍ରୀମନ୍ଦିର ଗରାବଡ଼ୁ ନିଯୋଗ ସମ୍ପାଦକ ରଜତ ପ୍ରତିହାରୀ ଏନେଇ ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉ କି, ଏଥି ପୂର୍ବରୁ ରଥ ନିର୍ମାଣରେ ଜଡ଼ିତ ବିଶ୍ୱକର୍ମା ମହାରଣା ମାନଙ୍କର କୋଭିଡ଼୍ ଟେଷ୍ଟ କରାଯାଇଥିଲା । ଏପରିକି ପ୍ରତ୍ୟେକ ଦିନ ସକାଳେ ରଥ ଖଳାରେ କାମ ଆରମ୍ଭ ପୂର୍ବରୁ ପ୍ରଶାସନ ପକ୍ଷରୁ ରଥ ନିର୍ମାଣ ସହିତ ଜଡ଼ିତ ଏହି ସେବକ ମାନଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯାଉଛି । ଅଦ୍ୟାବଧି ସମସ୍ତ ସେବକ ସୁସ୍ଥ ଥିବା ଜଣାପଡିଛି ।