ନୂଆଦିଲ୍ଲୀ– ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ବିଗତ ୧୦ ବର୍ଷରେ କ୍ରିକେଟକୁ ଶେଷ କରିଦେଇଛି ଆଇସିସି । ଇଏସପିଏନ କ୍ରିକଇନଫୋରେ ସଂଜୟ ମଂଜରେକରଙ୍କ ସହିତ ଆଲୋଚନା ବେଳେ ସୋଏବ ଧଳା ବଲ କ୍ରିକେଟରେ ଖେଳିବାର କିଛି ନିୟମକୁ ନେଇ ଅସନ୍ତୁଷ୍ଟ ଦେଖାଯାଇଛନ୍ତି । ଏହି ଫର୍ମାଟରେ ବ୍ୟାଟ୍ସମ୍ୟାନକୁ ଲାଭ ହେବ ବୋଲି ସେ କହିଛନ୍ତି ।
ମଂଜରେକର ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବଙ୍କୁ ପଚାରିଥିଲେ ଯେ, ସୀମିତ ଓଭର ମ୍ୟାଚରେ ବୋଲର ମନ୍ଥର ହୋଇଯାଉଛନ୍ତି ଏବଂ ସ୍ପିନର ଦ୍ରୁତ ବୋଲିଂ କରୁଛନ୍ତି । ଏବାବାଦରେ ଆପଣ କ’ଣ କହିବେ । ସୋଏବ ଉତ୍ତରରେ କହିଥିଲେ, ଆଇସିସି କିକେଟକୁ ଶେଷ କରୁଛି । ମୁଁ ଖୋଲାଖୋଲି ଭାବେ କହିବି ଯେ, ଆଇସିସି ବିଗତ ୧୦ ବର୍ଷରେ କ୍ରିକେଟକୁ ଶେଷ କରିଦେଇଛି ।
ସଚିନ ତେନ୍ଦୁଲକରଙ୍କ ସଂପର୍କରେ ସେ କହିଛନ୍ତି, ମୁଁ ତାଙ୍କ ସହିତ ଆକ୍ରମଣାତ୍ମକ ହୋଇ ନାହିଁ । କାରଣ ବିଶ୍ୱର ଏହି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କୁ ବହୁତ ସମ୍ମାନ କରେ । କିନ୍ତୁ ତାଙ୍କର ବ୍ୟାଟକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରୁଥିଲି । ଭାରତର ୨୦୦୬ର ପାକିସ୍ତାନ ଗସ୍ତରେ ବାଉନସର ବଲ ଦେଉଥିଲି ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ।