
ନୂଆଦିଲ୍ଲୀ-ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ଛାତ୍ରଛାତ୍ରୀ ଓ ବିଭିନ୍ନ ରାଜ୍ୟରେ ଫସି ରହିଥିବା ବ୍ୟକ୍ତିବିଶେଷଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଭାରତୀୟ ରେଳ ମେ’ ପହିଲାରୁ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଥିଲା । ଗତକାଲି ଅର୍ଥାତ 25.05.2020 ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟକୁ 3274ଟି ଶ୍ରମିକ ସ୍ପେଶାଲ ଟ୍ରେନ ଯାତାୟାତ କରିଛି । ଏହିସବୁ ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ ପ୍ରାୟ 44 ଲକ୍ଷ ଯାତ୍ରୀ ସେମାନଙ୍କ ନିଜ ରାଜ୍ୟରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି । ଗତକାଲି ପ୍ରାୟ 2.80 ଲକ୍ଷ ଯାତ୍ରୀଙ୍କୁ ନେଇ 223ଟି ଶ୍ରମିକ ସ୍ପେଶାଲ ଟ୍ରେନ ଯାତ୍ରା ଆରମ୍ଭ କରିଛି । ଆଇଆରସିଟିସି ପକ୍ଷରୁ ପ୍ରବାସୀ ଯାତ୍ରୀଙ୍କୁ 74 ଲକ୍ଷ ମାଗଣା ମିଲ ଓ 1 କୋଟିରୁ ଊର୍ଦ୍ଧ୍ଵ ପାଣି ବୋତଲ ଯୋଗାଇ ଦିଆଯାଇଛି । ଆଜି ଯାତ୍ରା କରୁଥିବା ଟ୍ରେନଗୁଡିକରେ ଆଉ ବିଶେଷ ଭିଡ ପରିଲକ୍ଷିତ ହେଉ ନାହିଁ । ଶ୍ରମିକ ସ୍ପେଶାଲ ଟ୍ରେନ ସହ ରେଳବାଇ ଦିଲ୍ଲୀରୁ 15 ଯୋଡା ସ୍ପେଶାଲ ଟ୍ରେନ ଚଳାଚଳ ଆରମ୍ଭ କରିଥିବା ବେଳେ ଆସନ୍ତା ମାସ ପହିଲାରୁ ଆହୁରି 200 ଟ୍ରେନ ଚଳାଚଳ କରିବାକୁ ଯୋଜନା କରୁଛି ।