କାଙ୍କେର – ଛତିଶଗଡ଼ର ନକ୍ସଲ ଉପଦୃତ କାଙ୍କେର ଜିଲ୍ଲାର ତାଡୋକି ଥାନା ଅନ୍ତର୍ଗତ ତୁମପାଲ ଠାରେ ଆଜି ପୂର୍ବାହ୍ନରେ ମାଓବାଦୀ ମାନେ ବିସ୍ଫୋରଣ ଘଟାଇ ଏକ ଡ଼ିଜେଲ୍ ଟ୍ୟାଙ୍କରକୁ ଉଡ଼ାଇ ଦେଇଛନ୍ତି । ଏହି ବିସ୍ଫୋରଣରେ ଟ୍ୟାଙ୍କର ମଧ୍ୟରେ ଥିବା ଡ୍ରାଇଭର ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ରାଓଘାଟ ରେଳ ଲାଇନ ପ୍ରକଳ୍ପରେ ସିଓବି ତୁମପାଲ ଏବଂ ସିଓବି କୋସୋରଣ୍ଡା ମଧ୍ୟରେ ଏସଏସବି ସୁରକ୍ଷା ଲାଇନ୍ କାମକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ସଶସ୍ତ୍ର ନକ୍ସଲ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଏହି ଡ଼ିଜେଲ୍ ଟ୍ୟାଙ୍କରଟିକୁ ଟାର୍ଗେଟ୍ କରିଥିଲେ । ଫଳରେ ବିସ୍ଫୋରଣରେ ଗାଡି ଚାଳକ ଓ ସହ ଚାଳକଙ୍କ ସମେତ ଜଣେ ହେଲପରଙ୍କ ମୃତ୍ୟୁ ଘଟିଥିଲା ।
ବସ୍ତର ଆଇଜି ବିବେକାନନ୍ଦ ସିହ୍ନା ଏନେଇ ଅଧିକ ସୂଚନା ଦେଇ କହିଛନ୍ତି ଯେ, ବିସ୍ଫୋରଣ ସମ୍ପର୍କରେ ଖବର ପାଇବା ପରେ ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଂଚିଛନ୍ତି । ଘଟଣାସ୍ଥଳରେ ଯବାନ ମାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ତୁମପାଲ ଗ୍ରାମ ଠାରୁ ୨ କି.ମି. ଆଗକୁ ତାଡୋକି ଥାନା ଅନ୍ତର୍ଗତ କୋଶେରୋଣ୍ଡା ମଧ୍ୟରେ ରାଓଘାଟ ରେଳ ପ୍ରକଳ୍ପ ଅନ୍ତର୍ଗତ ରେଲୱେ ଟ୍ରାକ୍ ନିର୍ମାଣ କାର୍ଯ୍ୟରେ ଲାଗିଥିବା ଠିକା ସଂସ୍ଥା ଆର୍. ଇନଫ୍ରାଷ୍ଟ୍ରକଚର୍ କମ୍ପାନୀ, ଭିଲାଇ, ହାଲ୍ ମୁଖ୍ୟାଳୟ ଅଂତାଗଡ଼ର ଏହି ଗାଡି ନଂ ସିଜି୦୭ ବିଡ଼ି ୪୨୯୧ କୁ ନକ୍ସଲ ମାନେ ବିସ୍ଫୋରଣରେ ଉଡାଇ ଦେଇଛନ୍ତି । ଫଳରେ ଗାଡି ମଧ୍ୟରେ ଥିବା ତିନି ଜଣଙ୍କର ମୃତ୍ୟୁ ଘଟିଛି । ସେମାନେ ହେଲେ କୋଣ୍ଡାଗାଓଁର ଗାଡି ଚାଳକ ରାକେଶ କୋଡ଼ୋପି, ମଧ୍ୟପ୍ରଦେଶ ରାଜ୍ୟ ମଣ୍ଡଲା ଜିଲ୍ଲାର ଦୁନେଶ୍ୱର ସିଂହ ଏବଂ ଗାଡିର ହେଲପର ଛତିଶଗଡ଼ କାକେଂର ଜିଲ୍ଲା ରାମଘାଟ ଥାନା ଅନ୍ତର୍ଗତ ମୁଣ୍ଡପାର ଗ୍ରାମର ଅଂକାଲୁରାମ ସଲାମ । ଅନ୍ୟପକ୍ଷରେ ବିସ୍ଫୋରଣ ସମ୍ପର୍କରେ ଖବର ପାଇ କାଂକେର ଏସପି କହ୍ନେୟାଲାଲ୍ ଧୃବ ସୁରକ୍ଷାବହିନୀର ଏକ ଟିମ୍ ସହିତ ଘଟଣାସ୍ଥଳରେ ପହଂଚିଥିବା ନେଇ ସେ ସୂଚନା ଦେଇଛନ୍ତି ।