ଭୁବନେଶ୍ୱର– ଆଗାମୀ ଜୁନ ପହିଲାରୁ ଯୁକ୍ତ ୨ ର ପରୀକ୍ଷା ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାରୁ ତା ପୂର୍ବରୁ ଅର୍ଥାତ ମଇ ୩୦ ଯାଏ ସମସ୍ତ ମୂଲ୍ୟାଙ୍କନ କେନ୍ଦ୍ର ଗୁଡିକୁ ସାନିଟାଇଜ କରି ପ୍ରସ୍ତୁତ ରଖିବାକୁ ସିଏଚଏସଇ ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ପତ୍ର ଲେଖା ଯାଇଛି ।
ସିଏଚଏସଇର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ ଏହି ପତ୍ରରେ ଲେଖିଛନ୍ତି ଯେ ରାଜ୍ୟରେ ଚିହ୍ନଟ ହୋଇଥିବା କେତେକ ମୂଲ୍ୟାୟନ କେନ୍ଦ୍ରକୁ ବର୍ତମାନ କରୋନା ପାଇଁ ସଙ୍ଗରୋଧ କେନ୍ଦ୍ର କରାଯାଇଛି । ଜୁନ ୧ରୁ ଖାତା ଦେଖା ଆରମ୍ଭ ହେବାକୁ ଥିବାରୁ ମେ ୩୦ ସୁଦ୍ଧା କେନ୍ଦ୍ର ଖାଲି କରିବା ସହ ସାନିଟାଇଜେସନ କରିବାକୁ ଏହି ପତ୍ରରେ କୁହାଯାଇଛି ।
ଏହି ପତ୍ରରେ କୁହା ଯାଇଛି ଯେ କୋଭିଡ-୧୯ ଯୋଗୁଁ ଯୁକ୍ତ ଦୁଇ ପରୀକ୍ଷା, ଖାତା ମୂଲ୍ୟାୟନ ଓ ପରୀକ୍ଷାଫଳ ପ୍ରକାଶରେ ବିଳମ୍ବ ହୋଇଛି । ଛାତ୍ରଛାତ୍ରୀ ବହୁ ମାତ୍ରାରେ ପ୍ରଭାବିତ ହୋଇଥିବାରୁ ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆସନ୍ତା ଜୁନ ପହିଲାରୁ ଖାତା ଦେଖା ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ସେଥିପାଇଁ ମୂଲ୍ୟାୟନ କେନ୍ଦ୍ରଗୁଡିକୁ ପ୍ରସ୍ତୁତି କରିବାକୁ ପଡିବ । ମୂଲ୍ୟାୟନ କେନ୍ଦ୍ରରେ ମୁଲ୍ୟାୟନକାରୀ ଓ ଜୋନାଲ ଅଧିକାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ପଡିବ ବୋଲି ଏଥିରେ ଉଲ୍ଲେଖ ରହିଛି ।
ପତ୍ରରେ କୁହା ଯାଇଛି ଯେ ସଙ୍ଗରୋଧ କେନ୍ଦ୍ର ହୋଇଥିବା ମୂଲ୍ୟାୟନ କେନ୍ଦ୍ରଗୁଡିକୁ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟ/ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଉ । ଯଦି ଖାଲି କରିବା ସମ୍ଭବପର ହେଉନାହିଁ ତେବେ ସଙ୍ଗରୋଧ କେନ୍ଦ୍ର ଓ ମୂଲ୍ୟାୟନ କେନ୍ଦ୍ର ମଧ୍ୟରେ ବ୍ୟାରିକେଡ଼ କରି ପୃଥକିକରଣ କରାଯାଉ । ସେହିପରି ମୁଲ୍ୟାୟନକାରୀଙ୍କ ଥର୍ମାଲ ସ୍କ୍ରିନିଙ୍ଗ କରିବା ସହ ସାନିଟାଇଜର ଉପଲବ୍ଧ କରିବା ଦିଗରେ ସ୍ଥାନୀୟ ମ୍ୟୁନିସିପାଲଟି ଓ ସିଡିଏମଓମାନେ ପଦକ୍ଷେପ ନେବାକୁ ଏହି ପତ୍ରରେ କୁହାଯାଇଛି ।