-
‘ଆମ ପୋଖରୀ, ସଫା ସୁତୁରା ରଖିବା ଦାୟିତ୍ୱ ଆମରି’ ସ୍ଳୋଗାନ୍ରେ ଦିଆଗଲା ସଚେତନତା ବାର୍ତ୍ତା
-
‘ରେସନ୍ ଫର୍ ୱାର୍କ’ରେ ସଫେଇ କର୍ମଚାରୀଙ୍କୁ ଦିଆଗଲା ରେସନ୍ କିଟ୍
ବାଲେଶ୍ୱର,୨୬/୫(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ): ବାଲେଶ୍ୱର ସହରସ୍ଥ କେକେଏସ୍ କଲେଜ ନିକଟରେ ଥିବା ବର୍ଦ୍ଧନ ପୋଖରୀକୁ ‘ନିର୍ମଳା ସୁପ୍ରଭା ଫାଉଣ୍ଡେସନ୍’, ‘ଗୁଞ୍ଜ୍’ ଏବଂ ‘ଯୁବବିକାଶ’ ସଂଗଠନର ଏକ ମିଳିତ ଉଦ୍ୟମରେ ସଫେଇ କରାଯାଇ ପୋଖରୀକୁ ଆବର୍ଜନାମୁକ୍ତ କରାଯାଇଛି । ‘ଯୁବବିକାଶ’ ସଂଗଠନର ସଭାପତି ଗୋବିନ୍ଦ ବଲ୍ଲଭ ଦଳାଇ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ‘ରାସନ୍ ଫର୍ ୱାର୍କ୍’ ଅର୍ଥାତ୍ ସମସ୍ତେ ନିଜନିଜ ଅଂଚଳରେ କିଛି ସାମୂହିକ କାର୍ଯ୍ୟ କଲେ ପ୍ରତିବଦଳରେ ତାଙ୍କୁ ସଂଗଠନ ତରଫରୁ ରାସନ୍ ସାମଗ୍ରୀ ଯୋଗାଇ ଦିଆଯିବ । ଏମିତି କଲେ ଆମେ ସେମାନଙ୍କୁ ଦୟା ଦେଖାଉନାହୁଁ ବରଂ ତାଙ୍କ କାର୍ଯ୍ୟ ପ୍ରତିବଦଳରେ ଆମେ ତାଙ୍କୁ କିଛି ସାହାଯ୍ୟ କରୁଛୁ ବୋଲି ଶ୍ରୀ ଦଳାଇ କହିଛନ୍ତି । ଏହା କରୋନା ଭଳି ମହାମାରୀ ସମୟରେ ସେମାନଙ୍କୁ ସହାୟକ ହେବା ସହ ସେମାନଙ୍କ ଅଂଚଳରେ ମଧ୍ୟ କିଛି ବିକାଶ ହୋଇପାରିବ । ଏହି ସଂଗଠନ କେବଳ ବାଲେଶ୍ୱର ନୁହେଁ ଏହା ମୟୂରଭଞ୍ଜ, ଭଦ୍ରକ ଏବଂ ଅନ୍ୟାନ୍ୟ ଅଂଚଳରେ ମଧ୍ୟ ସହାୟତାର ହାତ ବଢାଇଛି । କରୋନା ଭଳି ବିପତ୍ତିି ସମୟରେ ଗରିବ, ଅସହାୟ, ଦିନମଜୁରିଆ, ଖଟିଖିଆ ଏବଂ ବିଧବା ମହିଳା ତଥା ଅସହାୟ ଲୋକମାନଙ୍କୁ ଏହି ସଂଗଠନ ରେସନ୍ ବାଣ୍ଟିବା ସହିତ ସେମାନଙ୍କର ଅଂଚଳର ବିକାଶ କିପରି ହୋଇପାରିବ ସେହି ଦିଗରେ ଏହି ସଂଗଠନ କାର୍ଯ୍ୟ କରୁଛି ।
କେବଳ କରୋନା ନୁହେଁ, ନିକଟରେ ଘଟି ଯାଇଥିବା ବାତ୍ୟା ‘ଅମ୍ଫାନ’ ସମୟରେ ଏହି ସଂଗଠନ ଗରିବ ତଥା ଅସହାୟ ଲୋକଙ୍କୁ ତମ୍ବୁ ବାଣ୍ଟିବା ଠାରୁ ଆରମ୍ଭ କରି ସେମାନଙ୍କ ପାଖରେ ରାସନ୍ ପହଂଚାଇବା କାର୍ଯ୍ୟ ଜାରି ରଖିଛି । ବିଶେଷ କରି ଅସମୟରେ ଏହି ସଂଗଠନ ଲୋକମାନଙ୍କ ପାଖରେ ପହଂଚିବାର ପ୍ରୟାସକୁ ପ୍ରଶାସନ ଠାରୁ ଆରମ୍ଭ କରି ସବୁ ମହଲରୁ ପ୍ରଶଂସା କରାଯାଉଛି । କରୋନା ଭଳି ମହାବିପତ୍ତି ଆରମ୍ଭ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଗଠନ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ମାସ୍କ ଏବଂ ରାସନ୍ ଯୋଗାଇ ସାରିଛି । ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟ ଜାରି ରହିବ ବୋଲି ‘ଯୁବବିକାଶ’ ଏବଂ ‘ଗୁଞ୍ଜ୍’ର କର୍ମକର୍ତ୍ତାମାନେ ଗଣମାଧ୍ୟମକୁ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ସଂଗଠନ ତରଫରୁ ସଫେଇ ହୋଇଥିବା ପୋଖରୀ ନିକଟରେ ଏକ ଆବର୍ଜନାକୁଣ୍ଡ ସ୍ଥାପନ କରାଯିବା ସହିତ ସ୍ଥାନୀୟ ବାସିନ୍ଦାଙ୍କୁ ଅଳିଆ ଆବର୍ଜନା ଏଣେତେଣେ ନପକାଇ ସେହି ଆବର୍ଜନା କୁଣ୍ଡରେ ପକାଇବାକୁ ପରାମର୍ଶ ଦିଆ ଯାଇଥିଲା । ‘ଆମ ପୋଖରୀ, ସଫା ସୁତୁରା ରଖିବା ଦାୟିତ୍ୱ ଆମରି’ ଭଳି ସ୍ଳୋଗାନ୍ ମାଧ୍ୟମରେ ଭବିଷ୍ୟତରେ ଆଉ ପୋଖରୀକୁ ଅଳିଆ ନକରିବାକୁ ସ୍ଥାନୀୟ ବାସିନ୍ଦା ତଥା ଲୋକମାନଙ୍କୁ ସଚେତନ କରାଯାଇଥିଲା । ଏଥିରେ ‘ଯୁବ ବିକାଶ’ ସଂଗଠନର ସଭାପତି ଗୋବିନ୍ଦ ବଲ୍ଲଭ ଦଳାଇଙ୍କ ସମେତ ପ୍ରବୀଣ ମିଟକର, ସୁବାସ ଖୁଂଟିଆ, ସ୍ୱସ୍ତିକ କୁମାର ଦେ, କୁଳମଣି ରାଉତ, ଦୀନବନ୍ଧୁ ରାଉତ, ଅଞ୍ଜଳି ପଟ୍ଟନାୟକ, ପ୍ରଭାତ କୁମାର ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ‘ସ୍ୱଚ୍ଛ ସାଥୀ’ର କର୍ମକର୍ତ୍ତା ଏବଂ ରାଧାକାନ୍ତ ବେହେରା, ମଧୁ ଜେନା, ରମେଶ ଜେନା, କାଳିଆ ଜେନା, ଗଉଡ ଜେନା, କାର୍ତ୍ତିକ ନାୟକ, ପପୁ ଜେନା, ଗୌତମ ଜେନା, କଢ ବେହେରା, ବିଜୟ ଜେନା ଏବଂ ସନିଆ ଜେନା ପ୍ରମୁଖ ସଫେଇ କର୍ମଚାରୀ ତଥା କରୋନା ଯୋଦ୍ଧାମାନେ ସେମାନଙ୍କର କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ ।
ବାଲେଶ୍ୱର ସହରର ସମସ୍ତ ପୋଖରୀକୁ ସଫା ସୁତୁରା ରଖିବା ସହ ଏକ ସ୍ୱଚ୍ଛ ବାଲେଶ୍ୱର ଗଢିବାର ପ୍ରୟାସ ଜାରି ରଖିବା ଦିଗରେ ଅଣ୍ଟା ଭିଡ଼ିଥିବା ଏ ସଂଗଠନ ଆଗାମୀ ଦିନରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ନିଜର ଏହି ମହତ କାର୍ଯ୍ୟ କରିବ ବୋଲି କହିଛନ୍ତି । ଏହି ସଫେଇ କାର୍ଯ୍ୟ ସମୟରେ କରୋନା ଭଳି ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ସଫେଇ କର୍ମଚାରୀଙ୍କୁ ସଂଗଠନ ତରଫରୁ ମାସ୍କ ଓ ସାନିଟାଇଜର୍ ଦିଆଯାଇଥିଲା।