ଭୁବନେଶ୍ୱର– ରାଜ୍ୟ ସରକାର ସୋମବାର ଠାରୁ କଂଟେନମେଂଟ ଜୋନ ବ୍ୟତୀତ ଅନ୍ୟ ସମସ୍ତ ଅଂଚଳରେ ଘରୋଇ ବସ ଓ ଟାକ୍ସି ଚଳାଚଳ ପାଇଁ ଅନୁମତି ପ୍ରଦାନ କରି ଥିବା ବେଳେ ଆଜି ଠାରୁ ବସ ଚଳାଚଳ କରିବ ନାହିଁ । ରାଜ୍ୟ ସରକାରଙ୍କ ଅନୁମତି ସତ୍ୱେ ଆଜି ଠାରୁ ବସ ଚଳାଚଳ ସମ୍ଭବ ନୁହେଁ ବୋଲି ଘରୋଇ ବସ୍ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ସରକାରଙ୍କର ନିଷ୍ପତି ସ୍ୱାଗତଯୋଗ୍ୟ ହେଲେ ହେଁ ବସର ଡ୍ରାଇଭର ଓ ହେଲପରଙ୍କର ଉପସ୍ଥିତ ନାହିଁ । ସେମାନଙ୍କୁ ଆସିବା ପାଇଁ ସମୟ ଲାଗିବ । ତେବେ ଏ ସମ୍ପର୍କରେ ଆଂଚଳିକ ସଂଘ ମାନଙ୍କ ସହିତ ଆଲୋଚନା କରିବା ପରେ ନିଷ୍ପତି ନିଆଯିବ । ବସ୍ ଚଳାଚଳ ନେଇ ସରକାରଙ୍କ ସହିତ ସଂଘର ଆଲୋଚନା ହୋଇନାହିଁ କି ସରକାର ଏ ପର୍ଯ୍ୟନ୍ତ ଡାକି ନାହାଁନ୍ତି ବୋଲି ସେ କହିଛନ୍ତି ।
ଉଲ୍ଲେଖନୀୟ ଯେ ରାଜ୍ୟ ସରକାର ରବିବାର ଦିନ ସହମତି ଭିତିରେ ଆନ୍ତରାଜ୍ୟ ବସ ଚଳାଚଳ ପାଇଁ ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି । ସେହିପରି ସିଟି ବସ ଚଳାଚଳ ପାଇଁ ମଧ୍ୟ ଅନୁମତି ପ୍ରଦାନ କରା ଯାଇଥିବା ନେଇ ଘୋଷଣା କରିଥିଲେ ।
ଆଜି ଠାରୁ ବସ ସହ ଅଟୋ ରିକ୍ସା, ଓଲା ଉବେର ଗାଡି ମଧ୍ୟ ଚାଲିବ । ସେହିପରି ଚାରି ଚକିଆ ଗାଡି ତଥା ଅଟୋରେ ୨ ଜଣ ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ପ୍ରଦାନ କରା ଯାଇଛି ।
ତେବେ ବସରେ ଯେତିକି ସଂଖ୍ୟକ ସିଟ ରହିଛି ସେତିକି ଯାତ୍ରୀ ହିଁ ଯାତ୍ରା କରି ପାରିବେ । କୌଣସି ଯାତ୍ରୀ ଛିଡା ହୋଇ ଯାଇ ପାରିବେ ନାହିାଁ
ବସରେ ଯାତ୍ରୀ ମାନଙ୍କ ପାଇଁ ମାସ୍କ ପିନ୍ଧିବା ଜରୁରୀ । ମାସ୍କ ନ ପିନ୍ଧିଲେ ତାଙ୍କୁ ଦଣ୍ଡିତ କରା ଯିବ । ଯଦି କୌଣସି ଯାତ୍ରୀଙ୍କୁ କରୋନା ଲକ୍ଷଣ ଥିବ ସେ ଯାତ୍ରୀ ବସରେ ଯାତ୍ରା କରି ପାରିବେ ନାହିଁ । ଯାତ୍ରୀ ମାନଙ୍କୁ ନିଜ ପାଖରେ ସାନିଟାଇଜର ରଖିବାକୁ ମଧ୍ୟ ପରାମର୍ଶ ପ୍ରଦାନ କରା ଯାଇଛି ।
ବିମାନ ବନ୍ଦର, ରେଳ ଷ୍ଟେସନ୍ ଏବଂ ବସ୍ ଷ୍ଟାଣ୍ଡ ବା ବସ୍ ଷ୍ଟପ୍କୁ ଯାତ୍ରୀ ନେବା ଅଣା କରିବା ପାଇଁ ବ୍ୟବହୃତ ଯାତ୍ରୀବାହୀ ଗାଡ଼ି, ଘରୋଇ ଗାଡ଼ି, ଓଲା, ଓବେର ସମେତ ଟାକ୍ସି ଗାଡ଼ିକୁ ଦିନରାତି ୨୪ ଘଂଟା ଚଳପ୍ରଚଳ କରିବାକୁ ଅନୁମତି ଦିଆଯିବ ।
କେନ୍ଦ୍ର ସରକାରଙ୍କର ଗାଇଡଲାଇନ ଅନୁସାରେ ରାଜ୍ୟରେ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଅନୁମତି ପ୍ରଦାନ କରା ଯାଇଛି ।