ନୂଆଦିଲ୍ଲୀ– ପୂରା ୨ ମାସ ପରେ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ପୁଣି ଥରେ ବିମାନ ସେବା ଆରମ୍ଭ ହୋଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୋର ୪ଟା ୪୫ରେ ପୁଣେ ପାଇଁ ପ୍ରଥମ ବିମାନ ଉଡ଼ିଛି । ସେହିପରି ୭ଟା ୪୫ରେ ଏଠାରେ ବିମାନ ଅବତରଣ କରିବା ପାଇଁ ଅହମଦାବାଦରୁ ବିମାନ ଉଡ଼ିବାକୁ ପ୍ରସ୍ତୁତ ଅଛି । ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗକୁ ଛାଡ଼ି ଆଜି ପୂରା ଭାରତରେ ଘରୋଇ ବିମାନ ସେବା ଆରମ୍ଭ ହେଉଛି ।
ଦୀର୍ଘ ୬୦ ଦିନ ପରେ ବିମାନ ସେବା ପୁଣି ଥରେ ଆରମ୍ଭ ହୋଇଥିବାରୁ ଯାତ୍ରୀମାନଙ୍କ ମନରେ ଉତ୍ସାହ ଦେଖାଯିବା ସ୍ୱାଭାବିକ । ଦିଲ୍ଲୀ ବିମାନବନ୍ଦରକୁ ରାତି ୨ଟାରେ ଯାତ୍ରୀମାନଙ୍କୁ ପ୍ରବେଶ କରିବାକୁ ଦିଆଯାଇଥିଲା । କୋଭିଡ-୧୯ ଗାଇଡଲାଇନ ଅନୁସାରେ ଯାତ୍ରୀମାନେ ବିମାନ ବନ୍ଦରକୁ ପ୍ରବେଶ କରିଥିଲେ । ସମସ୍ତ ଯାତ୍ରୀଙ୍କୁ ପ୍ରବେଶ ଦ୍ୱାରରେ ସ୍କ୍ରିନିଂ କରାଯିବା ପରେ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା। ଠିକ ୪ଟା ୪୫ରେ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ୬ଇ ୫୦୩୧ ପୁଣେ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।
ଦିଲ୍ଲୀ ବିମାନ ବନ୍ଦରରେ ପାଖାପାଖି ୩୮୦ଟି ବିମାନ ପରିଚାଳନା ହେବ । ଏହି ବିମାନବନ୍ଦରରୁ ୧୯୦ଟି ବିମାନ ଦେଶର ବିଭିନ୍ନ ବିମାନବନ୍ଦରକୁ ଉଡ଼ିବ ଏବଂ ସମାନ ପରିମାଣରେ ବିମାନ ଅବତରଣ କରିବ । ଦିଲ୍ଲୀ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ତରଫରୁ ଶନିବାର କୁହାଯାଇଥିଲା ଯେ, କୋଭିଡ-୧୯ ଗାଇଡଲାଇନ ପାଳନ କରି ବିମାନ ସେବା ନେଇପାରିବେ ଯାତ୍ରୀ ।