ନୂଆଦିଲ୍ଲୀ– ଦିଲ୍ଲୀସ୍ଥିତ ତିହାର ଜେଲରେ ଜଣେ ସହାୟକ ଜେଲ ଅଧୀକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଠାକାର ୭ ନମ୍ବର ଜେଲର ଜଣେ ଅଧିକାରୀ କରୋନା ଭାଇରସ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହି ଅଧିକାରୀ (ସହାୟକ ଜେଲ ଅଧୀକ୍ଷକ) ଜଣକ ୫ ଜଣ କଏଦୀ ଓ ଅନ୍ୟ ୨ ଜଣ ଜେଲ କର୍ମଚାରୀଙ୍କ ସଂପର୍କରେ ଆସିଥିଲେ । ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଦିଲ୍ଲୀରେ ଏହା ପୂର୍ବରୁ ରୋହିଣୀ ଓ ମଣ୍ଡୋଲି ଜେଲରେ କରୋନା ପଜିଟିଭ ଚିହ୍ନଟ ହୋଇଛି ।
ତିହାର ଜେଲର ଡିଜି ସନ୍ଦୀପ ଗୋୟଲ କହିଛନ୍ତି, ୭ ନମ୍ବର ଜେଲର ଜଣେ ସହାୟକ ଅଧୀକ୍ଷକ ମେ’ ୨୨ରେ ନିଜେ କୋଭିଡ-୧୯ ପରୀକ୍ଷା କରାଇଥିଲେ । ତାଙ୍କର ନମୁନା ରିପୋର୍ଟ ରବିବାର ପଜିଟିଭ ଆସିଛି । ସେ କହିଛନ୍ତି, ତାଙ୍କର ସଂପର୍କରେ ଆସିଥିବା ଲୋକଙ୍କର ତାଲିକା ପ୍ରସ୍ତୁତ କରାଯାଉଛି । ଏଠାରୁ ଅନ୍ୟ ଜେଲକୁ କରୋନା ନ ପହଞ୍ଚିବା ପାଇଁ ଉଦ୍ୟମ ହେଉଛି ।
ଜେଲର ଅନ୍ୟ ଜଣେ ଅଧିକାରୀଙ୍କ କହିବା ଅନୁସାରେ ସହାୟକ ଜେଲ ଅଧୀକ୍ଷକ ତିହାର ଜେଲ ପରିସରରେ ନିର୍ମିତ ଆବାସିକ ପରିସରରେ ରହୁଥିଲେ । ଏଠାରେ ମଣ୍ଡୋଲି ଓ ରୋହିଣୀ ଜେଲରେ କାର୍ଯ୍ୟରତ କିଛି କର୍ମଚାରୀ ଥିଲେ । ବିଗତ ଦିନରେ ମଣ୍ଡୋଲି ଜେଲର ଜଣେ ଅଧିକାରୀଙ୍କୁ କରୋନା ହୋଇଥିଲା । ଯାହା ଅନୁମାନ କରାଯାଉଛି, ତାଙ୍କର ଠାରୁ ସଂକ୍ରମଣ ହୋଇଛି । ଜେଲରେ ଥିବା ଅନ୍ୟ ଅନ୍ତେବାସୀଙ୍କ ଲକ୍ଷଣ ଯାଞ୍ଚ ହେଉଛି ।