ମାଡ୍ରିଡ-ସ୍ପେନରେ କରୋନା ପୁଣି ଥରେ ଫେରିଛି । । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 688 ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥି ସହିତ 1787 ଟି ନୂଆ ମାମଲା ସାମ୍ନାକୁ ଆସିଛି । ଗତ କିଛି ଦିନ ମଧ୍ୟରେ ଗୋଟିଏ ଦିନ ମଧ୍ୟରେ ଏହା ହେଉଛି ସର୍ବାଧିକ ମୃତ୍ୟୁ ସଂଖ୍ୟା | ଗତ ସାତ ଦିନ ମଧ୍ୟରେ ଏଠାରେ ମୋଟ 619 ଜଣଙ୍କର ମୃତ୍ୟୁ ଘଟିଥିଲା । ଆଶ୍ଚର୍ଯ୍ୟଜନକ କଥା ହେଉଛି ଗୋଟିଏ ଦିନ ପୂର୍ବରୁ 593 ଟି ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ 52 ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ଗୋଟିଏ ଦିନରେ ଏତେ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହେବା ଓ ମୃତ୍ୟୁବରଣ କରିବା ଏକ ଆଶଚର୍ଯ୍ୟଜନକ ଘଟଣା ବୋଲି କେତେକ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଏହା ସହ ସ୍ପେନରେ କରୋନା ପୁଣି ଥରେ ରିଟର୍ଣ୍ଣ କଲା ବୋଲି କେତେଜଣ ସୂଚନା ଦେଇଛନ୍ତି ।
ତେବେ ଏହା ମଧ୍ୟରେ ସ୍ପେନର ବିରୋଧୀ ଦଳ ଫାର୍-ରାଇଟ୍ ଭକ୍ସ ସରକାରଙ୍କ ବିରୋଧରେ ବିରୋଧ ଆରମ୍ଭ କରିଛି। ବିରୋଧୀ ଦଳ ନୂଆ ଉପାୟରେ କାରରେ ବସି ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି। ରାଜଧାନୀ ମାଡ୍ରିଡରେ ବିକ୍ଷୋଭକାରୀଙ୍କ ଏକ କାର ଶେଭାଯାତ୍ରା କରି ସେମାନଙ୍କ କାର ଉପରେ ସ୍ପେନ୍ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ଇସ୍ତଫା ଦାବି କରିଥିଲେ। ତେବେ କରୋନା ଯେବେ ୟୁରୋପରେ ଭୟଙ୍କର ରୂପ ଧାରଣ କରିଥିଲା ଅନ୍ୟ ଦେଶ ତୁଳନାରେ 14 ମାର୍ଚ୍ଚରେ ସ୍ପେନ ସବୁଠାରୁ କଠୋର ପ୍ରତିବନ୍ଧକ ଲଗାଇଥିଲା।
ହେଲେ ଗତ ସପ୍ତାହରେ ସ୍ପେନ ପ୍ରତିବନ୍ଧକ ନିୟମରେ କୋହଳ କରିଥିଲା, କିନ୍ତୁ କରୋନା ଜୀବାଣୁ ସଂକ୍ରମଣକୁ ରୋକିବା ପାଇଁ ସ୍ପେନର ଦୁଇ ପ୍ରମୁଖ ସହର ମାଡ୍ରିଡ ଏବଂ ବାର୍ସିଲୋନାରେ ବର୍ତ୍ତମାନ ସୁଦ୍ଧା ମଧ୍ୟ କଠୋର କଟକଣା ଜାରି ରହିଛି। କିନ୍ତୁ, ଶନିବାର ଦିନ ଦକ୍ଷିଣପନ୍ଥୀ ଭକ୍ସ ପାର୍ଟିର ପ୍ରଦର୍ଶନକାରୀମାନେ ଦେଶରୁ ସମ୍ପୂର୍ଣ୍ଣ ଭାବରେ ଲକଡାଉନ ଉଠେଇବା ପାଇଁ ସରକାରଙ୍କୁ ଦାବି କରିଥିଲେ। ଚାକିରି ଏବଂ ଅର୍ଥନୀତି ଉପରେ ଲକଡାଉନର ପ୍ରଭାବ ପଡୁଛି ବୋଲି ସେମାନେ କହିଛନ୍ତି। ମେ 11 ତାରିଖ ଦିନ ସ୍ପେନ ସରକାର ଲକଡାଉନ ନିୟମ କୋହଳ କରି ଦେଇଥିଲେ ।
ଲକଡାଉନ କୋହଳ ହେବା ପରେ ଦେଶରେ ବାର ଏବଂ ରେଷ୍ଟୁରାଣ୍ଟ ଖୋଲାଯାଇଥିଲା। ଏବଂ ଗୋଟିଏ ସ୍ଥାନରେ ସର୍ବାଧିକ 10 ଜଣ ଲୋକ ଏକାଠି ହୋଇପାରିବେ ବୋଲି ସରକାର ଅନୁମତି ଦେଇଥିଲେ | ସ୍ପେନରେ ତୃତୀୟ ଥର ପାଇଁ ଲକଡାଉନ୍ ଖୋଲିବା ପରଠାରୁ ବର୍ତ୍ତମାନ 1500 ରୁ ଅଧିକ ମାମଲା ରୁଜୁ ହୋଇଥିଲା । ତେବେ ସ୍ପେନରେ ଏପର୍ଯ୍ୟନ୍ତ ମୋଟ ମାମଲା 2,81,904 ବୃଦ୍ଧି ପାଇଛି । 28,628 ଜଣଙ୍କର ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ହୋଇଛି।
ଆମେରିକା ଏପର୍ଯ୍ୟନ୍ତ ବିଶ୍ୱର 10 ଟି କରୋନା ପ୍ରଭାବିତ ଦେଶରେ ଶୀର୍ଷରେ ଅଛି | ଏହି ତାଲିକାରେ ୟୁରୋପର 6 ଟି ଏବଂ ମଧ୍ୟ ପୂର୍ବର ଦୁଇଟି ଦେଶ ଅନ୍ତର୍ଭୁକ୍ତ। ଅନ୍ୟପକ୍ଷରେ, ୟୁରୋପର କୋଭିଡ-19 ରେସପନ୍ସ ଟିମର ନିର୍ଦ୍ଦେଶକ ଆଣ୍ଡ୍ରେୟା ଆମୋନ କହିଛନ୍ତି ଯେ କରୋନାର ଦ୍ୱିତୀୟ ତରଙ୍ଗ ପାଇଁ ୟୁରୋପ ପ୍ରସ୍ତୁତ ରହିବା ଉଚିତ।
ସର୍ବାଧିକ କରୋନା ପ୍ରଭାବିତ ଦେଶ ମଧ୍ୟରେ ଋଷ ଦ୍ୱିତୀୟ ସ୍ଥାନରେ ରହିଛି । ଗତ 24 ଘଣ୍ଟା ମଧ୍ୟରେ ଋଷ ଏବଂ ବ୍ରାଜିଲ ମଧ୍ୟରେ ଦ୍ୱିତୀୟ ସ୍ଥାନ ପାଇଁ କଡା ସଂଘର୍ଷ ହୋଇଥିଲା। ପରେ ଋଷ ବ୍ରାଜିଲକୁ ହଟାଇ କରୋନା ସଂକ୍ରମଣ ସଂଖ୍ୟା ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି । ବର୍ତ୍ତମାନ ସୁଦ୍ଧା ଋଷରେ 3,35,882 କରୋନା ରୋଗୀ ଚିହ୍ନଟ ହେବା ସହ 3388 ଜଣଙ୍କର ମୃତ୍ୟୁ ଘଟିଛି । ଗତ 24 ଘଣ୍ଟା ମଧ୍ୟରେ ଋଷରେ ଗୋଟିଏ ଦିନରେ ସର୍ବାଧିକ 150 ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ସଂକ୍ରମିତ ଦେଶ ତୁଳନାରେ ଋଷରେ ମୃତ୍ୟୁ ହାର ଅପେକ୍ଷାକୃତ ଭାବେ କମ୍ ଅଟେ।
ରୁଷର ସଂକ୍ରାମକ ରୋଗ ବିଭାଗର ମୁଖ୍ୟ ଡଃ. ଆଲିନା ମାଲିନିକୋଭା କହିଛନ୍ତି ଯେ ଏହାର କାରଣ ହେଉଛି ଦେଶରେ ଠିକ୍ ସମୟରେ ସଂକ୍ରମଣ ଚିହ୍ନଟ କରାଯାଉଛି | ଲୋକମାନେ ଲକ୍ଷଣ ଦେଖାଇବା ମାତ୍ରେ ଚିକିତ୍ସା କରୁଛନ୍ତି |