କୋରେଇ– ବୈତରଣୀ ନଦୀରେ ଆଜି ହଠାତ୍ ବନ୍ୟାପାଣି ଆସିଯିବା ଫଳରେ ନଦୀ ଶଯ୍ୟାରେ ବାଲି ବୋଝେଇ କରୁଥିବା ୧୦ରୁ ଅଧିକ ଟ୍ରକ୍ ଓ ହାଇୱା ପାଣିର ପ୍ରଖର ସୁଅରେ ଭାସି ଯାଇଥିବା ଦେଖିବାକୁ ମିଳିଛି । ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲ ଅନ୍ତର୍ଗତ ରଣପାଳ ଆର୍. ଆଇ. ସର୍କଲର ଲିଙ୍ଗେଶ୍ୱର ବାଲି ଘାଟରୁ ।
ଏଠାରେ ଉଲ୍ଲେଖଯୋଗ୍ୟ, ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ୨୦୦ ଟପିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ଜିଲ୍ଲାକୁ ରେଡ଼ଜୋନ୍ ତାଲିକାଭୁକ୍ତ କରାଯାଇଛି । ତେବେ ରେଡ୍ ଜୋନ୍ ରୁ କିପରି ବେଆଇନ ଭାବେ ଦୈନିକ ଶହ ଶହ ଟ୍ରକ୍ ବାଲି ଚୋରାଚାଲାଣ ହେଉଛି, ତାହା ସମସ୍ତଙ୍କୁ ବିସ୍ମିତ କରିଛି । ନଦୀ ପଠା ଠାରୁ ଅନତି ଦୂରରେ ୧୬ ନଂ ଜାତୀୟ ରାଜପଥ ରହିଥିବାରୁ ଏହା ବାଲି ଚାଲାଣକାରୀଙ୍କ ପାଇଁ ସୁବିଧା ହେଉଛି । ତେବେ ହଠାତ୍ ନଦୀରେ ବନ୍ୟାପାଣି ଆସିଯିବାରୁ ଏଭଳି ବେଆଇନ ବାଲି ଚାଲାଣ ସାମ୍ନାକୁ ଆସିଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହିତ ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।