
ନୂଆଦିଲ୍ଲୀ– ପାକିସ୍ତାନର କରାଚୀରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥବା ବିମାନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୯୭ରେ ପହଞ୍ଚିଛି । ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ (ପିଆଇଏ)ର ଏକ ଯାତ୍ରୀ ବିମାନ ଜିନ୍ନା ଏୟାରପୋର୍ଟ ନିକଟରେ ଆବାସିକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ବିମାନ ଦୁର୍ଘଟଣାରେ ଏଯାଏଁ ୯୭ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଆହୁରି କିଛି ଲୋକ ଗୁରୁତର ଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରୁ ୨ ଜଣ ଲୋକ ବର୍ତ୍ତି ଯାଇଥିବା ମିଡିଆ ରିପୋର୍ଟରୁ ଜଣାଯାଇଛି । ସୂଚନାଯୋଗ୍ୟ, କୋଭିଡ-୧୯ ମହାମାରୀ ଯୋଗୁଁ ପାକିସ୍ତାନ ଏକ ସପ୍ତାହ ପୂର୍ବରୁ ବିମାନ ଉଡାଣ ସେବା କୋହଳ କରିଥିଲା ।
ଏହାରି ମଧ୍ୟରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଭିଡିଓ ଆସିଛି । ଭିଡିଓରେ ବିମାନ ସଂକରୀ ଅଞ୍ଚଳରେ ତଳକୁ ଖସୁଥିବା ଦୃଶ୍ୟମାନ ହୋଇଛି । ଏହା ପରେ ବିମାନରୁ ଧୂଆଁ ନିର୍ଗତ ହୋଇଥିଲା । ବିମାନ ଦୁର୍ଘଟଣା ହେବାର ଭିଡିଓ ରିହାୟସୀ ଅଞ୍ଚଳରେ ଏକ ଘର ଛାତ ଉପରେ ଲାଗିଥିବା ସିସିଟିଭି କଏଦ କରିଥିଲା । ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ପିକେ-୮୩୦୩ ବିମାନ ଲାହୋରରୁ କରାଚୀ ଅଭିମୁଖେ ବାହାରି ଥିଲା । ମାତ୍ର ବିମାନ ଅବତରଣ କରିବାର ଗୋଟିଏ ମିନିଟ ପୂର୍ବରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।
ନ୍ୟାସନାଲ ଏୟାରଲାଇନ କଂପାନୀର ଜଣେ ମୁଖପାତ୍ର କହିଛନ୍ତି, ପିଆଇଏ ଏୟାରବସ ଏ ୩୨୦ରେ ୯୧ ଜଣ ଯାତ୍ରୀ ଥିଲେ । ଏଥିରେ ଚାଳକ ଦଳର ୮ ଜଣ ସଦସ୍ୟ ଥିଲେ । ବିମାନଟି ବିମାନ ବନ୍ଦର ନିକଟ ଜିନ୍ନା ଆବାସିକ ସୋସାଇଟି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।