
ମାଲକାନଗିରି -ମାଲକାନଗିରି ଜିଲା ଉପାନ୍ତ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ବିଚ୍ଛିନ୍ନାଞ୍ଚଳ ଥିବା ପଣସପୁଟ, ଅଣ୍ଡିରାପାଲି, ଯୋଡ଼ାମ୍ବ, ଯନ୍ତ୍ରୀ ଓ ଗାଜୁଲୁମାମୁଡି ୫ଟି ପଞ୍ଚାୟତବାସୀ ଏବେ ମଧ୍ୟ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ଜୀବନ କାଟୁଛନ୍ତି। ଯଦିଓ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଗମନାଗମନ ପାଇଁ ଯୋଡ଼ାମ୍ବ ପର୍ଯ୍ୟନ୍ତ ମାଟି ରାସ୍ତା କରାଯାଇଛି, ତେବେ ଏଯାବତ୍ ଏହି ରାସ୍ତା କାମ ଚାଲିଛି। ଏହା ସମ୍ପୂର୍ଣ୍ଣ ଯାତାୟାତ ଉପଯୋଗୀ ହୋଇନାହିଁ। ଏଥିପାଇଁ ବିଚ୍ଛିନ୍ନାଞ୍ଚଳର ଉପରୋକ୍ତ ୫ଟି ପଞ୍ଚାୟତର ଲୋକେ ଯାତାୟାତ ଲାଗି ଜଳପଥ ଉପରେ ନିର୍ଭର କରୁଛନ୍ତି। ବୋଟ, ଲଞ୍ଚ ଓ ଦେଶୀ ଡ଼ଙ୍ଗା ସେମାନଙ୍କ ସାହାରା ପାଲଟିଛି। ବିଚ୍ଛିନାଞ୍ଚଳବାସୀଙ୍କୁ ଜରୁରୀ ସ୍ବାସ୍ଥ୍ୟସେବା ପାଇଁ ସ୍ବାସ୍ଥ୍ୟ ବିଭାଗ ଏକ ୧୦୮ ବୋଟ୍ ଆମ୍ବୁଲାସ ଯୋଗାଇ ଦେଇଛି।ଅନ୍ୟପକ୍ଷରେ ଗତ ୬ମାସ ହେଲା ସ୍ପିଲଓ୍ବେ ଲଞ୍ଚ ଘାଟରେ ଏକ ନୂଆ ୧୦୮ ବୋଟ ଆମ୍ବୁଲାନ୍ସ ଆସି ରହିଥିଲେ ମଧ୍ୟ ପ୍ରଶାସନିକ ଅବହେଳାରୁ ଏଯାଏ ଏହା ବିଚ୍ଛିନ୍ନାଞ୍ଚଳବାସୀଙ୍କ ସେବାରେ ଲାଗିପାରିନି। ଏଥିପାଇଁ ନିଯୁକ୍ତ କର୍ମଚାରୀ ବସିବସି ଦରମା ନେଉଛନ୍ତି। ଏପରି ସ୍ଥଳେ ପୁଣି ଏକ ଆମ୍ବୁଲାନସ ବୋଟ୍ ଆସିବା ଅଞ୍ଚଳବାସୀକୁ ଆଶ୍ଚର୍ଯ୍ୟ କରିଛି। ଏହା କିପରି କେତେଦୂର ଲୋକଙ୍କୁ ସେବା ଯୋଗାଇବାରେ ସକ୍ଷମ ହେବ ତାହା ଦେଖିବାକୁ ବାକି ରହିଲା ବୋଲି ବିଚ୍ଛିନ୍ନଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।