ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ଆଜି ଆଉ ୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୪୧ କୁ ବୃଦ୍ଧି ପାଇଛି । ଗତକାଲି ସଂନ୍ଧ୍ୟା ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୨୨ ଥିଲା । ଆଜି ଚିହ୍ନଟ ସମସ୍ତ ୧୯ ଜଣ କ୍ୱାରେଂଟାଇନ ସେଂଟରର ଏବଂ ସମସ୍ତଙ୍କର ସୁରତ୍ ଲିଙ୍କ୍ ରହିଥିବା ଜଣାପଡିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତକାଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଇତି ମଧ୍ୟରେ ୧୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୫୭ ଜଣ କୋଭିଡ଼୍ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି । ଶୀତଳାପଲ୍ଲୀ ସ୍ଥିତ କୋଭିଡ଼୍ ହସ୍ପିଟାଲରେ ବର୍ତମାନ ୨୪ ଜଣିଆ ଡ଼ାକ୍ତରୀ ଟିମ୍ କାର୍ଯ୍ୟରତ ରହିଛନ୍ତି । ରୋଗୀ ସେବା କରି ପର୍ଯ୍ୟାୟ କ୍ରମେ ଏମାନେ ଡ୍ୟୁଟିରୁ ଫେରି କ୍ୱାରେଂଟାଇନରେ ରହୁଛନ୍ତି । ଗତକାଲି ୧୬ ଜଣ ଡ଼ାକ୍ତରଙ୍କୁ କ୍ୱାରେଂଟାଇନରେ ପଠାଯାଇଥିବା ବେଳେ ନୂଆ କରି ୧୬ ଜଣ ଡ଼ାକ୍ତର କୋଭିଡ଼୍ ହସ୍ପିଟାଲରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।
ପ୍ରକାଶ ଥାଉ କି, ଅଦ୍ୟାବଧି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଶହ ଟପିଛି ଏବଂ ତିନି ଜଣଙ୍କର ମୃତ୍ୟୁ ଘଟିଛି । ଜିଲ୍ଲାର ବିଭିନ୍ନ କ୍ୱାରେଂଟାଇନ ସେଂଟରରେ ପ୍ରାୟ ୫୮ ହଜାର ପ୍ରବାସୀ ଓଡ଼ିଆ ରହିଛନ୍ତି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବାରୁ ଜିଲ୍ଲାକୁ ପୂର୍ବରୁ ରେଡ଼୍ ଜୋନ୍ ତାଲିକାଭୁକ୍ତ କରାଯାଇଛି ।