
-
ବୈଶିଷ୍ଠ ଉପସ୍ଥିତ ନଥିଲେ: ସରପଞ୍ଚ ସଂଘ
ବ୍ରହ୍ମପୁର : ପୂର୍ଣ୍ଣ ଜେନା ହତ୍ୟା ଉଦ୍ୟମ ଘଟରାରେ ରୋହିଗାଁ ସରପଞ୍ଚ ରାଧାରାଣୀ ଜେନାଙ୍କ ପୁଅ ବୈଶିଷ୍ଠ ଜେନାଙ୍କ ସମ୍ପୃକ୍ତି ନାହିଁ । ଘଟଣା ସମୟରେ ସେ ବ୍ଲକ୍ କାର୍ଯ୍ୟାଳୟରେ ତାଙ୍କ ମା’ଙ୍କ ସହ ଥିଲେ । କିନ୍ତୁ ପୂର୍ଣ୍ଣଙ୍କ ପରିବାର ଲୋକେ ଅଯଥାରେ ବୈଶିଷ୍ଠଙ୍କ ନାମରେ ଏତଲା ଦେଇଛନ୍ତି । ଏଭଳି ଅଭିଯୋଗ ଆଣି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କୁ ସାକ୍ଷାତ କରିଛନ୍ତି କୁକୁଡାଖଣ୍ଡି ବ୍ଲକ୍ ସରପଞ୍ଚ ସଂଘ । ଶୁକ୍ରବାର ସନ୍ଧ୍ୟାରେ ସରପଞ୍ଚମାନେ ବ୍ରହ୍ମପୁର ଏସ୍ପିଙ୍କ କାର୍ଯ୍ୟାଳୟକୁ ଆସି ଏସ୍ପିଙ୍କୁ ଏକ ଦାବିପତ୍ର ମଧ୍ୟ ଦେଇଥିଲେ ।
ନିରପକ୍ଷ ଭାବେ ତଦନ୍ତ କରାଯିବା ପାଇଁ ସେମାନେ ଅନୁରୋଧ କରିଥିଲେ । ଏସ୍ପି ଦାବିପତ୍ର ଗ୍ରହଣ କରିବା ସହ ଘଟଣାର ତଦନ୍ତ କରାଯାଉଛି ବୋଲି କହିଥିଲେ । ଦୋଷୀଙ୍କ ବିରୁଦ୍ଧରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସମ୍ପୃକ୍ତ ଥିବା ଲୋକଙ୍କୁ ପୋଲିସ ଗିରଫ କରିବ ଏବଂ ଯାହାର ସମ୍ପୃକ୍ତି ନାହିଁ ସେମାନଙ୍କୁ ପୋଲିସ ଗିରଫ କରିବ ନାହିଁ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ ଯେ, ରୋହିଗାଁର ପୂର୍ଣ୍ଣଙ୍କୁ ଆକ୍ରମଣ ହେବାପରେ ପୂର୍ଣ୍ଣଙ୍କ ପରିବାର ଲୋକେ ସଦର ଥାନାରେ ବର୍ତ୍ତମାନର ସରପଞ୍ଚଙ୍କ ପୁଅ ବୈଶିଷ୍ଠ ଜେନାଙ୍କ ସମେତ ୬ଜଣଙ୍କ ନାମରେ ଏତଲା ଦେଇଥିଲେ । ପୋଲିସ ଘଟଣାର ତଦନ୍ତକରି ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ତେବେ ମୁଖ୍ୟ ଅଭିଯୁକ୍ତ ରୋହିଗାଁ ସରପଞ୍ଚଙ୍କ ପୁଅ ବୈଶିଷ୍ଠଙ୍କୁ ଗିରଫ କରିନଥିବା ଯୋଗୁ ପୂର୍ଣ୍ଣଙ୍କ ପରିବାର ଲୋକେ ଏଏସ୍ପିଙ୍କୁ ଭେଟି ତୁରନ୍ତ ବୈଶିଷ୍ଠଙ୍କୁ ଗିରଫ ଦାବି କରିଥିଲେ ।