
-
ବ୍ରହ୍ମପୁରରେ ସବୁ ଖୋଲିବ, ଚାହା ଓ ସେଲୁନ୍ ୭ରୁ ୭ ଖୋଲିବାକୁ ଅନୁମତି
-
ସାମାଜିକ ଦୂରତା ଓ ମାସ୍କ ବାଧ୍ୟତା
ବ୍ରହ୍ମପୁର: ବ୍ରହ୍ମପୁରରେ ୪ର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଆରମ୍ଭ ହୋଇସାରିଛି । ପୂର୍ବଭଳି କଟକଣା ଜାରି ରହିଥିବା ବେଳେ ଶୁକ୍ରବାର ସାମାନ୍ୟ ପରିବର୍ତ୍ତନ କରାଯାଇଛି । ସର୍ବସାଧାରଣ ଗହଳିକୁ ବାଦ୍ ଦେଲେ ସମସ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ପ୍ରଦାନ କରିଛି ବ୍ରହ୍ମପୁର ମହାନଗର ନିଗମ । ଦୀର୍ଘଦିନ ଧରି ବନ୍ଦ ରହିଥିବା ସେଲୁନ୍ ଓ ଚାହା ଦୋକାନ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ମିଳିଛି । ଗହଳି କମାଇବାକୁ ବିଏମ୍ସି ପୂର୍ବରୁ ଯେଉଁ ସମୟ କଟକଣା କରିଥିଲା ତାହା ଜାରି ରହିବ ବୋଲି କହିଛନ୍ତି କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର । ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମାଗ୍ରୀ ଦୋକାନ ଯଥା-ରେସନ୍, କ୍ଷୀର, ବେକେରି, ପେଟ୍ରୋଲ୍ ପମ୍ପ, ପରିବା, ଫଳ ଦୋକାନ ଖୋଲିବାକୁ ନିର୍ଦ୍ଧାରିତ କରାଯାଇଥିବା ବେଳେ ଅଣଅତ୍ୟାବଶ୍ୟକୀୟ ସାମାଗ୍ରୀ ଅପରାହ୍ନ ୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲିବାକୁ କୁହାଯାଇଛି । ବିଏମ୍ସି ଚିଠି ନମ୍ବର ୬୪୭୫ଅନୁସାରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ସବୁ ଦୋକାନ ଓ ବଜାର ଖୋଲିବାକୁ ଅନୁମତି ମିଳିଛି କିନ୍ତୁ ସମସ୍ତ କଟକଣା ମାନିବାକୁ ମଧ୍ୟ ବାଧ୍ୟତା ବୋଲି କମିଶନର ରାଠୋର କହିଛନ୍ତି । ଯେଉଁ ମାନେ କଟକଣାକୁ ଉଲଂଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କାରବାର ସମୟରେ ସାମାଜିକ ଦୂୂରତା ରଖିବା ସହ ଅଧିକ ଗହଳି ନକରିବା ଏବଂ ମାସ୍କ ନପିନ୍ଧିଲେ ଜିନିଷ ନଦେବାକୁ କୁହାଯାଇଛି ।
ବିଏମ୍ସି ଜାରି କରିଥିବା ବିଜ୍ଞପ୍ତିରେ ଶିକ୍ଷାନୁଷ୍ଠାନା, ସ୍କୁଲ, ତାଲିମ୍ କେନ୍ଦ୍ର, କୋଚିଂ ସେଣ୍ଟର, କମ୍ପିଟେଟିଭ୍ ପଏଣ୍ଟ ଖୋଲାଯାଇପାରିବ ନାହିଁ ।ସେମାନେ ଅନ୍ଲାଇନ୍ରେ ଶିକ୍ଷାଦାନ କରିପାରିବେ ଏବଂ ଏଥିପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି । ରାଜନୈତିକ, ସାମାଜିକ, ସାଂସ୍କୃତିକ ଓ ଧାର୍ମୀକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ସ୍ପୋର୍ଟସ୍ କମ୍ପେ୍ଲକ୍ସ, ଷ୍ଟାଡିୟମକୁ କ୍ରୀଡ଼ାବିତ୍ ମାନେ ଯାଇପାରିବେ ଏବଂ ସର୍ବସାଧାରଣଙ୍କୁ ମନା କରାଯାଇଛି । ହୋଟେଲ୍, ରେଷ୍ଟୁରାଣ୍ଟ, ଗେଷ୍ଟ ହାଉସ୍ ଖୋଲି ପାରିବ ନାହିଁ । ସରକାରୀ କାର୍ଯ୍ୟରେ ଏସବୁ ଖୋଲାଯାଇପାରିବ । ହୋଟେଲ୍ ଓ ରେଷ୍ଟୁରାଣ୍ଟ ହୋମ୍ ଡେଲିଭରି କରିବେ । ସିନେମା ହଲ୍, ଜିମ୍, ସ୍ୱିମିଂ ପୁଲ୍, ପାର୍କ, ବାର୍, ଅଡିଟୋରିୟମ୍ ବନ୍ଦ ରହିବ । ସବୁଠାରୁ ବଡ଼ କଥା ହେଲା ଦୀର୍ଘ ଦିନ ପରେ ସେଲୁନ୍ ଓ ଚାହା ଦୋକାନ ଖୋଲିବାକୁ ଅନୁମତି ମିଳିଛି । ସେମାନେ ବର୍ତ୍ତମାନ ରୋଜଗାରକ୍ଷମ ହୋଇପାରିବେ । ଚାହା ଓ ସେଲୁନ୍ ଖୋଲିବା ପରେ ବହୁ ବ୍ୟବସାୟୀ ଉପକୃତ ହେବେ । କିନ୍ତୁ ଦୋକାନରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବାକୁ ବାଧ୍ୟତା କରାଯାଇଛି । ସେଲୁନ୍ରେ କାମ କରୁଥିବା କର୍ମଚାରୀ ମାନେ କ୍ୟାପ୍ ସହ ଗ୍ଲୋବ୍ସ୍ ପିନ୍ଧିବା ସହ ଆସୁଥିବା ଗ୍ରାହକଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତା କରିବେ । ସେଲୁନ୍ରେ ହାତ ଧୋଇବାକୁ ବ୍ୟବସ୍ଥା କରାଯିବ ।