-
ଶୁକ୍ରବାର ୫ଜଣ କରୋନା ରୋଗୀ ଚିହ୍ନଟ , ୮ ସୁସ୍ଥ
-
୨୧ଦିନିଆ ଅବଧି ସାରି ଶୁକ୍ରବାର ଜିଲ୍ଲାର ପ୍ରାୟ ୩ହଜାର ପ୍ରବାସୀ ଘରକୁ ଫେରିଲେ
ବ୍ରହ୍ମପୁର: ଜିଲ୍ଲାରେ ଶୁକ୍ରବାର ସୁଦ୍ଧା ୩୨୨ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଉ ୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ବର୍ତ୍ତମାନ ଜିଲ୍ଲାରେ ୩୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୭ଦିନରେ ୧୬୨ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ୧୫୭ରୋଗୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ୩ରେ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପକ୍ଷରୁ ଘୋଷଣା କରାଯାଇଛି । ସୁସ୍ଥ ହୋଇ ଘରକୁ ଫେରିବା ଖବର ପ୍ରଚାରିତ ହେବାପରେ ଜିଲ୍ଲାବାସୀ ତଥା ରୋଗୀଙ୍କ ପରିବାର ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ସେପଟେ ୨୧ଦିନିଆ କ୍ୱାରାଣ୍ଟାଇନ୍ ସାରି ଜିଲ୍ଲାର ବିଭିନ୍ନ ବ୍ଲକ୍ର ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପରେ ଥିବା ପ୍ରାୟ ୩ହଜାର ପ୍ରବାସୀ ଓଡ଼ିଆ ନିଜ ନିଜ ଘରକୁ ଫେରିଛନ୍ତି । ସେମାନଙ୍କୁ ପ୍ରଶାସନ ତରଫରୁ ସାର୍ଟିଫିକେଟ୍ ପ୍ରଦାନକରି ନିଜ ଘରକୁ ପଠାଇବା ସହ ଆଉ ୭ଦିନ ହୋମ୍ କ୍ୱାରାଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି । କରୋନା ମୁକାବିଲା ଦିଗରେ ଏମାନେ ନିଜ ନିଜ ଗ୍ରାମାଞ୍ଚଳରେ ସଚେତନତା କରିବେ ବୋଲି ଜଣାପଡିଛି । ୨୧ଦିନ ଅସ୍ଥାୟୀ କ୍ୟାମ୍ପରେ ରହିବା ସମୟରେ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସହାୟତା ଓ ଅତିଥି ଚର୍ଚ୍ଚା ଜୀବନସାରା ମନେ ରହିବ ବୋଲି ପ୍ରବାସୀମାନେ କହିବା ସହ ପ୍ରଶାସନକୁ ପ୍ରଶଂସା କରିଥିଲେ । ସେପଟେ ବ୍ରହ୍ମପୁର ଶଙ୍କରପୁର ସାହିକୁ ଆକ୍ସେସ କଣ୍ଟ୍ରୋଲ ଜୋନ୍ ଭାବେ ନିଗମ ପକ୍ଷରୁ ଘୋଷଣାପରେ ସେହି ଅଞ୍ଚଳର ୨ଟି ସାହିକୁ ସିଲ୍କରି ୯୩ଜଣଙ୍କ ସ୍ୱାବ୍ ସଂଗ୍ରହକରି ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିବାପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି କମିଶନର ଚର୍କବର୍ତ୍ତି ସିଂ ରାଥୋଡ ସୂଚନା ଦେଇଛନ୍ତି । ଭୟଭୀତ ନହୋଇ ସୁରକ୍ଷିତରେ ରୁହନ୍ତୁ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଥିବା ଜଣାପଡିଛି । ସେପଟେ ହଳଦିଆପଦର ବସ୍ଷ୍ଟାଣ୍ଡକୁ ରାଜ୍ୟ ବାହାରୁ ଆସୁଥିବା ଶ୍ରମିକମାନଙ୍କୁ ପ୍ରଶାସନ ପକ୍ଷରୁ ଖାଦ୍ୟଦେବା ସହ ନିଜ ନିଜ ଅଞ୍ଚଳକୁ ଯିବାପାଇଁ ସୁବ୍ୟବସ୍ଥା କରାଯାଉଛି । ତେବେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସେପଟେ ଗତ ୮ଦିନ ମଧ୍ୟରେ ପ୍ରଥମ ୨, ତା’ପରେ ୨୮, ତା’ପରେ ୧୯ ଓ ସୋମବାର ଦିନ ୪୦, ମଙ୍ଗଳବାର ୨୦ ଓ ବୁଧବାର ଦିନ ୨୩ ଜଣ, ଗୁରୁବାର ୨୨ଜଣ ଓ ଶୁକ୍ରବାର ୮ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ଖବର ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହିତ କରୁଥିବା ବେଳେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଭୟଭୀତ ରହିଛନ୍ତି । ବର୍ତ୍ତମାନ ଜିଲ୍ଲାକୁ ପ୍ରାୟ ୫୫ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଆସିଥିବା ବେଳେ ସେମାନଙ୍କୁ ୩ହଜାରରୁ ଊର୍ଦ୍ଧ୍ୱ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ ବା ସଙ୍ଗରୋଧ ଗୃହରେ ରଖାଯାଇଛି । ସେମାନଙ୍କ ମଧ୍ୟରୁ ଓ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା କିଛି ସ୍ଥାନୀୟ ଲୋକଙ୍କ ଠାରୁ ହିଁ ବର୍ତ୍ତମାନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆଗକୁ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ଏଥିରେ ଭୟଭୀତ ନହୋଇ ଏହାର ମୁକାବିଲା କିପରି କରିବା ତାକୁ ନେଇ ଏବେ ସମସ୍ତଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ଡାକ୍ତର, ନର୍ସଙ୍କ ମିଳିତ ଉଦ୍ୟମରେ ଏବେ କରୋନା ମୁକାବିଲା ସୁରୁଖୁରୁରେ ଚାଲିଛି । ଜିଲ୍ଲାରେ ୫ହଜାର ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଖୋଲିବା ପାଇଁ ସରକାରୀ ଓ ପ୍ରଶାସନ ସ୍ତରରେ ଉଦ୍ୟମ ଜାରି ରହିଥିବା ଜଣାପଡିଛି । ସେପଟେ ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ଜିଲ୍ଲାରେ ବଳବତ୍ତର ରହିଥିବା ବେଳେ ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ କର୍ଫ୍ୟୁ ସ୍ଥିତି ଜାରି କରାଯାଇଛି । ଏହି ସମୟରେ ମେଡିକାଲ୍ କାର୍ଯ୍ୟ ସାରିଲେ ଅନ୍ୟ କୌଣସି କାର୍ଯ୍ୟରେ ଲୋକେ ଯେପରି ବାହାରକୁ ବାହାରିବେନି ସେ ଉପରେ ଗୁରୁତ୍ୱ ଦିଆଯାଇଛି । ଯଦି କୌଣସି ଲୋକ ଅନାୟସରେ ପଦାକୁ ବାହାରେ ତାହେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଳାପାଳ କହିଛନ୍ତି । ଶୁକ୍ରବାର ପବିତ୍ର ସାବିତ୍ରୀ ଅମାବାସ୍ୟା ଥିବାରୁ ବିଭିନ୍ନ ଅସ୍ଥାୟୀ କ୍ୟାମ୍ପରେ ମହିଳାମାନେ ସମଦୂରତା ରକ୍ଷାକରି ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ସ୍ଥାନୀୟ ସରପଞ୍ଚ ଓ ବ୍ଲକ୍ ପ୍ରଶାସନ ତରଫରୁ ମହିଳାମାନଙ୍କୁ ନୂଆ ଶାଢ଼ୀ, ଚୁଡି, ସିନ୍ଦୁର, ପୂଜା ସାମଗ୍ରୀ ପ୍ରଦାନ କରାଯାଇଥିବା ଜଣାପଡିଛି ।