
ବ୍ରହ୍ମପୁର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକମାରଣ ନୀତି ବିରୁଦ୍ଧରେ ଟ୍ରେଡ୍ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ (ଟି.ୟୁ.ସି.ଆଇ) କେନ୍ଦ୍ରୀୟ କମିଟିର ୨୨ମଇ ଦେଶବ୍ୟାପି ବିରୋଧ ପ୍ରଦର୍ଶନ ଆହ୍ୱନରେ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଯୁଗ୍ମ ଶ୍ରମ କମିଶନର ବ୍ରହ୍ମପୁରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାରୀରିକ ଦୂରତା ବଜାୟ ରଖି ୬ ଦଫା ଦାବୀରେ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକଟ ବାହାନାରେ ପୁଞ୍ଜିପତି, ତାଙ୍କ ସେବକ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ ଶ୍ରେଣୀ ଉପରେ ଭୟଙ୍କର ଆକ୍ରମଣକୁ ତୀବ୍ର କରିଛନ୍ତି । ବହୁ ସଂଘର୍ଷରେ ହାସଲ ହୋଇଥିବା ଶ୍ରମିକର ସମସ୍ତ ଅଧିକାରକୁ ଧ୍ୱସଂ କରି କ୍ରୀତଦାସ ଭଳି ଖଟାଇବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ୧୨ଟି ରାଜ୍ୟରେ ଶ୍ରମ ସମୟସୀମା ବୃଦ୍ଧି ହୋଇଛି । ପଞ୍ଜାବ, ଗୋଆ, ମହାରାଷ୍ଟ୍ର ସାପ୍ତାହିକ ସମୟସୀମାକୁ ୬୦ ଘଣ୍ଟାକୁ ବୃଦ୍ଧି କରିଛନ୍ତି କିନ୍ତୁ ଏହାଠାରୁ ଆଉପାଦେ ଆଗେଇ ଯାଇ କେତକ ରାଜ୍ୟ ୭୨ ଘଣ୍ଟାକୁ ମଧ୍ୟ ବୃଦ୍ଧି କରିଛନ୍ତି । ସରକାରୀ କର୍ମଚାରୀମାନେ ପେନସନ ଭୋଗୀଙ୍କ ପରି ସେମାନଙ୍କର ଡିଏ ଏକ ବର୍ଷ ପାଇଁ ସ୍ଥଗିତ ହୋଇଯାଇଛି । ଭବିଷ୍ୟନିଧି ପାନ୍ଥିକୁ ୧୨ ପ୍ରତିଶତରୁ ହ୍ରାସ କରି ୧୦ ପ୍ରତିଶତ କରିଛନ୍ତି ଏହାର ଅର୍ଥ ହେଉଛି ସମାନ ପରିପାଣର ଶ୍ରମିକଙ୍କ ଠାରୁ ନିଆଯାଉଛି ଏବଂ ନିଯୁକ୍ତିଦାତାଙ୍କୁ ଦିଆଯାଉଛି । ଏହା ପ୍ରାୟ ୪ ହଜାର କୋଟି ଟଙ୍କା ବୋଲି ସରକାର ଆକଳନ କରିଛନ୍ତି । ଏହା କରୋନା ରିଲିଫରେ ସହାୟକ ହେବ ବୋଲି କହି ଶ୍ରମିକଙ୍କୁ ଭୂଆବୁଲାଯାଇଛି । କରୋନା ଯୋଦ୍ଧା ବୋଲି ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ପୋଲିସ, ଡାକ୍ତର, କର୍ମଚାରୀଙ୍କୁ ମଧ୍ୟ ବାଦ ଦେଇନାହାନ୍ତି । ଅନ୍ୟପଟେ ଅର୍ଥନୀତିର ପୁନର୍ଜୀବନ ପାଇଁ ୨୦ ଲକ୍ଷ କୋଟି ଘୋଷଣା କେବଳ ଏକ ଘୋଷଣା ଅଟେ ଏହା ଶ୍ରମିକଶ୍ରେଣୀ ପାଇଁ କୌଣସି ସହାୟକ ହେବ ନାହିଁ, ବୃହତ୍ତ ପୁଞ୍ଜିପତିଙ୍କୁ ଆର୍ଥିକ ସହାୟତା ଓ ଶ୍ରମ ଶୋଷଣକୁ ଅଧିକ ଛୁଟ ପାଇଁ ପ୍ରଯୁଜ୍ୟ । ଏହି ପ୍ରତିବାଦରେ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ, ମନରେଗା ଶ୍ରମିକ ସଂଘ, ସଂଗ୍ରମୀ ଶ୍ରମିକ ୟୁନିଅନର ନେତୃତ୍ୱ ରାମଚନ୍ଦ୍ର ବାଡତ୍ୟା, ଶଙ୍କର ସାହୁ, ପି. ପାର୍ବତୀ, ଅକ୍ଷୟ ସାହୁ, କେଶବ ସ୍ୱାଇଁ, ସୁବାସ ଦାଶ, ଗୌତମ ନହାକ, ମାନବ ଅଧିକାର ସୁରକ୍ଷା ମଞ୍ଚର ଅବନୀ ଗୟା ଏବଂ ଜନ ଜାଗରଣ ଅଭିଯାନର ମଧୂସୁଦନ ଆଦି ସାମିଲ ହୋଇଥିଲେ ।