ଭଦ୍ରକ – ଜଣେ ପ୍ରସୂତି ମହିଳା ଏକ ଘରୋଇ ନର୍ସିଂହୋମ୍ର ସ୍ୱତନ୍ତ୍ର କେବିନ୍ରେ ଥିବାବେଳେ କିଭଳି ଜଣେ କାମୁକ ଫାର୍ମାସିଷ୍ଟ ଦ୍ୱାରା ଦୁଷ୍କର୍ମ ଉଦ୍ୟମର ସମ୍ମୁଖୀନ ହୋଇଛନ୍ତି, ତାହା ଆଜି ଭଦ୍ରକ ଜିଲାବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣାରେ ସହରାଂଚଳ ଥାନା ପୁଲିସ୍ ସଂପୃକ୍ତ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ କ୍ରମେ ଯଦିଓ ଅଭିଯୁକ୍ତ ଫାର୍ମାସିଷ୍ଟକୁ ଗିରଫ କରିଛି । ତେବେ ସଦାସର୍ବଦା ଏହିଭଳି କୌଣସି ନା କୌଣସି ସଂଗୀନ ଘଟଣାର କେନ୍ଦ୍ର ପାଲଟିଥିବା ଏହି ନର୍ସିଂହୋମ୍ କର୍ତୃପକ୍ଷଙ୍କ ନିଦ ନ ଭାଙ୍ଗିବା ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ସହରର ମୁଖ୍ୟ ଚିକିତ୍ସାଳୟ ନିକଟ ଐତିହାସିକ ଗାନ୍ଧିପଡିଆରେ ଥିବା ଏକ ନର୍ସିଂହୋମ୍ରେ ଗତକାଲି ରାତିରେ ଘଟିଛି ଏଭଳି ନିନ୍ଦନୀୟ ଘଟଣା । ଯାଜପୁର ଜିଲା ମଙ୍ଗଳପୁର ଥାନା ଅଂଚଳର କରାଣ୍ଡିପୁର ଗ୍ରାମର ଜଣେ ମହିଳାଙ୍କର ପ୍ରଥମ ଗର୍ଭବେଦନା ହେବାରୁ ତାଙ୍କୁ ଏହି ନର୍ସିଂହୋମ୍କୁ ନେଇଆସିଥିଲେ ପରିବାର ଲୋକେ । ଡାକ୍ତରଙ୍କ ପରୀକ୍ଷା ନିରୀକ୍ଷା ପରେ ସିଜରିଆନ୍ ହୋଇ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଏବଂ ନବଜାତ ଶିଶୁପୁତ୍ର ସହ ସ୍ୱାମୀ ଓ ଶାଶୁଙ୍କ ସହ ଉକ୍ତ ନର୍ସିଂହୋମ୍ର ରୁମ୍ ନଂ ୩୦୪ରେ ମହିଳା ଜଣକ ରହି ଚିକିତ୍ସିତ ହେଉଥିଲେ । ଗତକାଲି ରାତିରେ ଡ୍ୟୁଟିରେ ଥିବା ଫାର୍ମାସିଷ୍ଟ ମନୋଜ ସାହୁ ସେଠାରେ ପହଂଚି ତାଙ୍କ ସ୍ୱାମୀଙ୍କୁ ଇଂଜେକସନ୍ ଆଣିବାକୁ ପଠାଇବା ସହ ଶାଶୁଙ୍କୁ ନବଜାତ ଶିଶୁ ସହ ବାହାରକୁ ପଠାଇଦେଇଥିଲେ । ଏବଂ ରୁମ୍ଟିର କବାଟ ଭିତର ପଟୁ ବନ୍ଦ କରି ପ୍ରସୂତି ମହିଳାଙ୍କ ପ୍ରତି ଆରମ୍ଭ କରିଥିଲେ ଯୌନ ଉତ୍ପୀଡନ । ଏହାକୁ ବିରୋଧ କରି ସଂପୃକ୍ତ ମହିଳା ଚିତ୍କାର କରିବାରୁ ଶାଶୁ କବାଟ ବାଡେଇଥିଲେ । ଏପଟେ ସ୍ୱାମୀ ମଧ୍ୟ ଇଂଜେକସନ୍ ଧରି ପହଂଚି ଯାଇଥିଲେ । ତା ପରେ ଧରାପଡିଥିଲା ଫାର୍ମାସିଷ୍ଟଙ୍କର ସମସ୍ତ ଗୁମର । ଏ ନେଇ ସ୍ୱାମୀ ଜଣକ ସହରାଂଚଳ ଥାନାରେ ଅଭିଯୋଗ କରିବା ପରେ ଥାନାଧିକାରିଣୀ ସରୋଜିନୀ ସିଂ ସେଠାକୁ ଯାଇ ତଦନ୍ତ ମୂଳେ ଘଟଣାର ସତ୍ୟତା ଉପଲବ୍ôଧ କରି ଫାର୍ମାସିଷ୍ଟ ମନୋଜକୁ ଗିରଫ କରିଥିବାର ଜଣାପଡିଛି ।
Related Stories
November 25, 2024