ବେଲଗୁଣ୍ଠI, 20/05, ଗଞ୍ଜାମ ଜିଲ୍ଲାରେ ସଙ୍ଗରୋଧ ଗୃହରେ ଥିବା ପ୍ରବାସୀମାନେ କେଉଁଠି ଭାତ ଫୋପାଡ଼ି ହରତାଳ କରୁଛନ୍ତି ତ ଆଉ କେଉଁଠି ବାଡ ଡେଇଁ ଚାଲିଯାଉଛନ୍ତି I ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଭିନ୍ନ ଭିନ୍ନ ପ୍ରକାରର କୁଢ଼ କୁଢ଼ ଅଭିଯୋଗ ଆଣୁଛନ୍ତି I କିନ୍ତୁ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠI ବ୍ଲକ୍ ଧୂମୂଛାଇ ପଞ୍ଚାୟତର କେବୀରୀ ବ୍ରହ୍ମପୁର ପିୟୁପିଏସ୍ ବିଦ୍ୟାଳୟରେ ଥିବା ପ୍ରବାସୀମାନେ ବିଭିନ୍ନ ମହା ପୁରୁଷଙ୍କ ଚିତ୍ର ଆଙ୍କି ଓ ବିଦ୍ୟାଳୟର ପରିବେଶକୁ ନିଜେ ପାଳି କରି ସଫା କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି I ଏହି ବିଦ୍ୟାଳୟରେ ଗତ 13 ତାରିଖରେ ତାମିଲନାଡୁ କୋଏମ୍ବାଟୁରରୁ 51 ଜଣ ଓ ହାଇଦ୍ରାବାଦରୁ 9 ଜଣ ସମୁଦାୟ 60 ଜଣ ରହି ଆସୁଛନ୍ତି I ସେମାନଙ୍କ ମଧ୍ୟରେ 2 ଜଣ ମହିଳା ଓ 2 ଛୋଟ ଛୁଆ ରହିଛନ୍ତି I ସଙ୍ଗରୋଧ ଗୃହରେ ଥିବା କ୍ଷତ୍ରିୟବରପୁର ର ପୂର୍ଣ୍ଣ ଚନ୍ଦ୍ର ଡ଼ାକୂଆ (26), ଓ କ୍ଷତ୍ରିୟବରପୁର ପଞ୍ଚାୟତ ପାଲକଷଣ୍ଢା ଗ୍ରାମର ସନ୍ତୋଷ କୁମାର ଜେନା (26) ଦୁହେଁ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବ୍ରତ ପାତ୍ରଙ୍କୁ ରଙ୍ଗ ତୂଳି ଆଣିଲେ ଆମେ ବିଭିନ୍ନ ଚିତ୍ର କରିବୁ ବୋଲି କହିଥିଲେ I ପ୍ରଧାନ ଶିକ୍ଷକ ଶ୍ରୀ ପାତ୍ର 16 ତାରିଖ ଦିନ ଏକ ହଜାର ଟଙ୍କାର ରଙ୍ଗ ଓ ତୂଳି ଆଣି ଦୁଇ ଯୁବକଙ୍କୁ ଦେଇଥିଲେ I
ଦୁଇ ଯୁବକଙ୍କୁ ସମୟ ମିଳିବା ମାତ୍ରେ ବିଭିନ୍ନ ମହା ପୁରୁଷଙ୍କ ଅବିକଳ ଚିତ୍ର ସ୍କୁଲ୍ କାନ୍ଥରେ ଆଙ୍କିବା ଆରମ୍ଭ କରିଥିଲେ I ତିନିଦିନ ମଧ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀ, ଶହୀଦ ଭଗତ ସିଂ, ଭାରତ ମାତା ଓ ବିଭିନ୍ନ ତୀର୍ଥ ସ୍ଥାନର ଚିତ୍ର ଅବିକଳ ଭାବେ ଆଙ୍କି ଚର୍ଚ୍ଚାକୁ ଆସିଲେ I ଧୂମୂଛାଇ ସରପଞ୍ଚ ମନୋଜ କୁମାର ପ୍ରଧାନ ଓ ପ୍ରଧାନ ଶିକ୍ଷକ ଶ୍ରୀ ପାତ୍ର ଦୁହେଁ ଏହି ବିଦ୍ୟାଳୟରେ ଥିବା ସମସ୍ତ ପ୍ରବାସୀଙ୍କୁ ପ୍ରଶଂସା କରିଛନ୍ତି I ସାତ ଦିନ ମଧ୍ୟରେ କୌଣସି କ୍ଷେତ୍ରରେ ଏମାନେ ଅଭିଯୋଗ କରି ନାହାନ୍ତି I ସକାଳ 5 ଟାରୁ ଉଠି ଯୋଗ କରୁଛନ୍ତି । 7 ଟାରେ ଚା ଜଳଖିଆ ଖାଇ ଦୁଇ ଯୁବକ ଚିତ୍ର କରୁଛନ୍ତି ଏବଂ ଅନ୍ୟ ପ୍ରବାସୀ ସେମାନଙ୍କୁ ସହଯୋଗ କରୁଛନ୍ତି I ଅନ୍ୟ ପ୍ରବାସୀ ମାନେ ବିଦ୍ୟାଳୟ ପରିସର ପରିଷ୍କାର କରୁଛନ୍ତି I 12 ଟାରେ ମଧ୍ୟାହ୍ନଭୋଜନ, ସନ୍ଧ୍ୟା 5 ଟାରେ ଚା ବିସ୍କୁଟ ଖାଇବା ପରେ ପ୍ରତି ଦିନ ଭଜନ ସଂଧ୍ୟା ଚାଲୁଛି I ରାତ୍ର 8ଟା ପରେ ଖାଇ ସାରି ସମସ୍ତେ ବିଶ୍ରାମ ନେଉଛନ୍ତି I ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଓ ବିଡୀଓ ଶଶୀ ଭୁଷଣ ମହାପାତ୍ର ଉଭୟ ଯୁବକଙ୍କୁ ପ୍ରଶଂସା କରିଛନ୍ତି I ଦୁଇ ଯୁବକ ଅନ୍ୟ ମାନଙ୍କ ପାଈଁ ଉଦାହରଣ ପାଲଟିଛନ୍ତି ।
ଶିବରାମ ଚୌଧୁରୀ