-
ଏନ୍ଏଏସ୍ ଲଗାଇବାକୁ ଏସ୍ପି ଓ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଲା ଓଏଏସ୍ ସଂଘ
ଶାଖାର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) କବିନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତା ମାନେ ପ୍ରଥମେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ଛତ୍ରପୁର ବିଡିଓଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଜାତୀୟ ନିରାପତ୍ତା ଆଇନ୍(ଏନ୍ଏଏସ୍) ଲାଗୁ କରିବା ସହ ବିଡିଓଙ୍କୁ ବ୍ୟକ୍ତିଗତ ସୁରକ୍ଷା ଯୋଗାଇଦେବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଥିଲା । ପରେ ସଂଘ ପକ୍ଷରୁ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାଏଙ୍କୁ ଭେଟି ଅବିକଳ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଏହାସହ ପ୍ରଶାସନିକ ଅଧିକାରୀମାନଙ୍କୁ ସୁରକ୍ଷା ଯୋଗାଇବା ନିମନ୍ତେ ଦାବି କରିଛନ୍ତି । ଅପରପକ୍ଷରେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ବାପି ଦାସଙ୍କୁ ଗଞ୍ଜାମ ପୋଲିସ ଗିରଫ କରିଛି । ତଦନ୍ତ ପରେ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଞ୍ଜାମ ଏସ୍ପି ଶ୍ରୀ ରାଏ ସୂଚନା ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଓଡ଼ିଶା ପ୍ରଶାସନିକ ସେବା ସଂଘ ଗଞ୍ଜାମ ଜିଲ୍ଲା ଶାଖାର ସଦସ୍ୟ ତଥା ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ତଥା ଡୁଡା ପିଡି ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା ରାଜସ୍ୱ ଅଧିକାରୀ ଡା. ଦିବ୍ୟଲୋଚନ ମହନ୍ତ, ଜିଲ୍ଲା ନିର୍ବାଚନ ଅଧିକାରୀ ଡା. ବିଜୟାନନ୍ଦ ସେଠୀ, ଡେପୁଟି କଲେକ୍ଟର ସ୍ନିଗ୍ଧାରାଣୀ ଧଳ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କ ସମେତ ବହୁ ସଦସ୍ୟମାନେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ, କରୋନାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ଦୂରତା ବଜାୟ ରଖିବା ସହିତ ଜରୁରୀ କାମ ନଥିଲେ ଘରୁ ନବାହାରିବା ପାଇଁ ବାରମ୍ବାର ସଚେତନ କରାଯାଉଥିବା ବେଳେ ବୁଧବାର ଅଗସ୍ତିନୂଆଗାଁ ପଞ୍ଚାୟତର ତେଲେଗୁ ନୂଆଗାଁ ନିକଟ ଖେଳ ପଡିଆରେ କିଛି ଯୁବକ କ୍ରିକେଟ ଖେଳୁଥିଲେ । ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସ ଓ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ଯୁବକଙ୍କୁ ତାଗିଦ୍ କରିବା ସହିତ କ୍ରିକେଟ୍ ଖେଳିବା ପାଇଁ ଯୁବକଙ୍କୁ ବାରଣ କରିଥିଲେ । ହଠାତ୍ ଯୁବକମାନେ ଉତ୍ତକ୍ଷୀପ୍ତ ହୋଇ ଛତ୍ରପୁର ବିଡିଓଙ୍କୁ ଆକ୍ରମଣ କରିଥିଲେ ।