ଭଦ୍ରକ – ଶିକ୍ଷାଦାନକୁ ଏକ ଉତମ ବ୍ୟବସାୟ ରୂପେ ଗ୍ରହଣ କରିଚାଲିଛନ୍ତି ବହୁ ସ୍ୱାର୍ଥନ୍ୱେଷୀ ପ୍ରଭାବଶାଳୀ ବ୍ୟକ୍ତିବିଶେଷ । ଆମ ରାଜ୍ୟ ତମାମ୍ ଏହାର ଡାଳ କାୟା ବିସ୍ତାର କରୁଥିବାବେଳେ ଏହାର ମୂଳକୁ ମଜୁବତ କରିଚାଲିଛନ୍ତି ସରକାରଙ୍କ ଶିକ୍ଷା ବିଭାଗ । ଭଦ୍ରକ ଜିଲାରେ ଏହିଭଳି ଛତୁ ଫୁଟିଲା ଭଳି ବହୁ ବେସରକାରୀ ଶିକ୍ଷାନୁଷ୍ଠାନ କାୟା ବିସ୍ତାର କରୁଥିବାବେଳେ ଖୋଦ୍ ଭଦ୍ରକ ମୁଖ୍ୟ ଦପ୍ତର ଠାରୁ କେଇ କିମି ଦୂରରେ ପ୍ରତିଷ୍ଠା ହୋଇଛି ସେହିଭଳି ଏକ ଶିକ୍ଷାନୁଷ୍ଠାନ । ଶିକ୍ଷା ବିଭାଗର ନିର୍ଦ୍ଦିଷ୍ଟ ମାପଦଣ୍ଡ ଥିଲେ ବି ଏହି ବିଦ୍ୟାଳୟ ଦୀର୍ଘବର୍ଷ ଧରି ପ୍ରତିଷ୍ଠା ହେଲେ ବି ତାହାକୁ ଅଣଦେଖା କରାଯାଇଛି । ଏହି ବିଦ୍ୟାଳୟରେ ଛୋଟ ଛୋଟ ପିଲାଙ୍କ ଜୀବନ ସହ ଖେଳାଯାଉଛି ଭୟଙ୍କର ଖେଳ । କିନ୍ତୁ ଏଥିପ୍ରତି ଜିଲା ପ୍ରଶାସନ ଓ ଶିକ୍ଷା ବିଭାଗର ଦୃଷ୍ଟି ନପଡିବା ଏକ ପ୍ରଶ୍ନବାଚୀ ହୋଇଛି । ଫଳରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏହି ବିଦ୍ୟାଳୟ ହେଉଛି ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ ଚିଙ୍ଗିଡିପୁର ନିକଟରେ ଥିବା ଆଂଚଳିକ ସ୍ୱାମୀ ବିବେକାନନ୍ଦ ଗୁରୁକୂଳ ଆଶ୍ରମ । ଜାତୀୟ ରାଜପଥର ପାଶ୍ୱର୍କୁ ଲାଗି ଏହି ବିଦ୍ୟାଳୟଟି ଥିବାରୁ କୁନି କୁନି ଛାତ୍ରଛାତ୍ରୀମାନେ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି । ବିଶେଷକରି ଏହି ବିଦ୍ୟାଳୟର କୌଣସି ପାଚେରୀ ନଥିବାରୁ କୁନି କୁନି ପିଲାମାନେ ଖେଳଛୁଟିରେ ବିପଦଜନକ ଅବସ୍ଥାରେ ସମୟ କଟାଉଛନ୍ତି । ପିଲାମାନଙ୍କୁ ଶିକ୍ଷାଦାନ କରିବା କ୍ଷେତ୍ରରେ ନା ଏଠାରେ ଅଛି କୌଣସି ଶୈକ୍ଷିକ ବାତାବରଣ ନା ଆବଶ୍ୟକୀୟ ସୁବିଧା ସୁଯୋଗ । ତେବେବି ବିନା ବାଧାରେ ଚାଲିଛି ଏହି ବିଦ୍ୟାଳୟଟି । ଏଭଳି ବିଦ୍ୟାଳୟ ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।
Related Stories
November 25, 2024