କୋରାପୁଟ– ଚକୋଲେଟ୍ ଦେବା ବାହାନାରେ ଜଣେ ୪ ବର୍ଷିୟା ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ଦୁଷ୍କର୍ମ ପରେ ଶିଶୁକନ୍ୟାର ତଂଟି ଚିପି ହତ୍ୟା ଉଦ୍ୟମ କରିଥିଲା ଅଭିଯୁକ୍ତ । ହେଲେ କୌଣସି ପ୍ରକାରେ ଏହି ଶିଶୁକନ୍ୟାର ଜୀବନ ରକ୍ଷା ହୋଇଯାଇଛି । କଥାରେ ଅଛି ‘ଯାହାକୁ ରଖିବେ ଅନନ୍ତ କିକରି ପାରେ ବଳବନ୍ତ’ । ସମ୍ପୃକ୍ତ ଶିଶୁକନ୍ୟା କ୍ଷେତ୍ରରେ ଏଭଳି ଉକ୍ତି ସତ୍ୟ ପ୍ରତିପାଦିତ ହୋଇଛି । ଏଭଳି ପାଶବିକ ଅତ୍ୟାଚାରର ଶିକାର ହୋଇଥିବା ଶିଶୁକନ୍ୟା ଜଣକ କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଅଂଚଳର ବୋଲି ଜଣାପଡିଛି ।
ଅଭିଯୋଗ ମୁତାବକ, ଗତ ମଙ୍ଗଳବାର ଦିନ ଚକୋଲେଟ ଦେବା ବାହାନାରେ ଅଭିଯୁକ୍ତ ଯୁବକ ଶିଶୁକନ୍ୟାକୁ ନିକଟସ୍ଥ ଜଙ୍ଗଲକୁ ଡାକି ନେଇଥିଲା । ସେଠାରେ ବଳ ପୂର୍ବକ ତାକୁ ଦୁଷ୍କର୍ମ କରିଥିଲା । ଏହାପରେ କଥା ଗାଁରେ ପ୍ରଘଟ ହେବା ଆଶଙ୍କା କରି ଶିଶୁଟିର ତଂଟି ଚିପି ହତ୍ୟା ଉଦ୍ୟମ ମଧ୍ୟ କରିଥିଲା । ମରିଗଲା ଭାବି ସେଠାରେ ଛାଡି ଫେରାର୍ ହୋଇଯାଇଥିଲା ଅଭିଯୁକ୍ତ । ଅନ୍ୟପକ୍ଷରେ ଦୀର୍ଘ ସମୟ ଧରି ଝିଅ ଘରକୁ ନଫେରିବାରୁ ବ୍ୟସ୍ତ ହୋଇପଡିଥିଲେ ପରିବାର ଲୋକେ । ଚାରିଆଡେ ଖୋଜାଖୋଜି କରିବା ପରେ ନିକଟସ୍ଥ ଜଙ୍ଗଲରୁ ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋରାପୁଟ ମେଡିକାଲ କଲେଜରେ ଭର୍ତି କରିଛନ୍ତି । ଶିଶୁକନ୍ୟାର ପରିବାର ଲୋକଙ୍କ ଅଭିଯୋଗକୁ ଭିତି କରି କାକିରିଗୁମ୍ମା ଥାନା ପୋଲିସ ଏ ସଂକ୍ରାନ୍ତରେ ୫୧/୨୦ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ହେଲେ ଅଦ୍ୟାବଧି ଅଭିଯୁକ୍ତ ଗିରଫ ହୋଇନଥିବା ଜଣାପଡିଛି ।
ଏ ସମ୍ପର୍କରେ ଖବର ପାଇ ଶିଶୁ ସୁରକ୍ଷା ଅଧିକାରୀ (ଡ଼ିସିପିଓ) ରାଜଶ୍ରୀ ଦାଶ ଆଜି ମେଡ଼ିକାଲରେ ପହଂଚି ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଡ଼ାକ୍ତରଙ୍କ ଠାରୁ ପଚାରି ବୁଝିଛନ୍ତି । ଏନେଇ ସୂଚନା ଦେଇ ସେ କହିଛନ୍ତି ଯେ, ଶିଶୁକନ୍ୟା ସହ ଦୁଷ୍କର୍ମ କରାଯିବା ପରେ ତାକୁ ହତ୍ୟା ଉଦ୍ୟମ କରାଯାଇଛି । ଶିଶୁର ବେକରେ ଦାଗ ରହିଛି । ଶିଶୁକୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦେବା ସହିତ ଏଭଳି ଅକ୍ଷମଣୀୟ ଅପରାଧ ଘଟାଇଥିବା ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସେ ଉଦ୍ୟମ କରିବେ ବୋଲି କହିଛନ୍ତି ।