ଭଦ୍ରକ – ସରକାର ‘ଗାଁ କୁ କାମ, ମା’ କୁ ସମ୍ମାନ’ ର ନାରା ଦେଇ ମମତା ଯୋଜନାରେ ପ୍ରସୂତି କାଳୀନ ମହିଳାଙ୍କୁ ବିନା ମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗଇବାର ଡିଣ୍ଡିମ ପିଟିଚାଲିଛନ୍ତି । ମାତ୍ର ଆମ ଦେଶ ସ୍ୱାଧୀନତାର ୭୩ ବର୍ଷ ପରେ ବି ଭଦ୍ରକ ଜିଲାରେ ଏଭଳି ଏକ ଗାଁ ରହିଛି, ଯେଉଁଠି ବିକାଶର ଆଲୋକ ସଂପୂର୍ଣ୍ଣ ରୂପେ ପଡିପାରିନାହିଁ । ଅସହାୟ ମହିଳାଙ୍କ କ୍ଷେତ୍ରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଏଠାରେ କିଭଳି ଅପହଞ୍ଚ ହୋଇଛି, ତାହାର ନଜିର ଦେଖିବାକୁ ମିଳିଛି ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ ତେନ୍ତୁଳିଡିହି କୁହ୍ଲିବିନ୍ଧା ଗାଁରେ । ଏହି ଗ୍ରାମବାସୀମାନେ ଏବେବି ନିଜର ଗମନାଗମନର ମାଧ୍ୟମ କରିଛନ୍ତି ବାପ ଗୋଷାପ ଅମଳର ସେହି କାଦୁଅ ପଚ୍ ପଚ ଧାନବିଲର ମାଟିରାସ୍ତାକୁ । ଆଜି ପୁଣିଥରେ ସାଙ୍ଗିଭାରାରେ ବୁହାହେଲେ ଏହି ଗାଁର ଜଣେ ଗର୍ଭବତୀ ମହିଳା । ଗାଁକୁ ପକ୍କା ସଡକଟିଏ ନଥିବାରୁ ଆସିପାରିଲାନାହିଁ ସରକାରଙ୍କ ୧୦୮ କି ୧୦୨ ଆମ୍ବୁଲାନ୍ସଟିଏ । ଯେଉଁଥିପାଇଁ ଶେଷରେ ପରିବାର ଲୋକେ ସେହି ପୁରୁଣା ଯୁଗର ଶିକାଭାରରେ ପଟା ପକା ଦୋଳିରେ ଗର୍ଭବତୀ ମହିଳାଙ୍କୁ ଶୁଆଇ ଦୀର୍ଘ ବିଲ ରାସ୍ତା ଅତିକ୍ରମ କରି ଡାକ୍ତରଖାନାକୁ ଆଣିଲେ । ଏହିଭଳି ଏକ ଅଭାବନୀୟ ଦୃଶ୍ୟ ଆଜି ଝିପିଝିପି ବର୍ଷାରେ ଦେଖିବାକୁ ମିଳିଥିଲା କୁହ୍ଲିବିନ୍ଧା ଗ୍ରାମରେ । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ସକାଳେ ତେନ୍ତୁଳିଡିହି କୁହ୍ଲିବିନ୍ଧା ଗାଁର ତ୍ରିଲୋଚନ ମହାନ୍ତିଙ୍କର କନ୍ୟାର ପ୍ରସବ ବେଦନା ଆରମ୍ଭ ହୋଇଥିଲା । ଏଣୁ ତ୍ରିଲୋଚନ ୧୦୮କୁ ଫୋନ୍ କରିଥିଲେ ମଧ୍ୟ ଗାଁକୁ ପକ୍କା ସଡକଟିଏ ନଥିବାରୁ ସେ ସିଧାସଳଖ ମନା କରିଦେଲା । ଫଳରେ ଗାଁ ଲୋକଙ୍କ ସହାୟତାରେ ତ୍ରିଲୋଚନା ଝିଅକୁ ବାଧ୍ୟ ହୋଇ ଶିକାଭାର ଲଗା ପଟା ଦୋଳିରେ ବୋହି ବୋହି ଦୀର୍ଘ ବିଲରାସ୍ତା ଅତିକ୍ରମ ପୂର୍ବକ ମୁଖ୍ୟ ରାସ୍ତାକୁ ଉଠି ଅଟୋ ଯୋଗେ ଚାନ୍ଦବାଲି ଡାକ୍ତରଖାନାକୁ ଆଣିଥିଲେ । ଯଦିଓ ତାଙ୍କ କନ୍ୟାର ଭଲରେ ଭଲରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି, ତେବେ ଏପରି ଘଟଣା ଏବେ ଚାନ୍ଦବାଲିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏବଂ ଭଦ୍ରକ ଭଳି ଏକ ଜିଲାରେ ଥିବା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିକାଶର ଅସଲ ଚିତ୍ରକୁ ପଦାରେ ପକାଇଛି ।
Related Stories
November 25, 2024