-
ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠା ଦାବୀ ନେଇ ଗଂଜାମ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିଲା ଓଏଏସ ସଂଘ
ବ୍ରହ୍ମପୁର : ଗତ ବୁଧବାର ଅପରାହ୍ନ ରେ ଗଂଜାମ ଥାନା ଅନ୍ତର୍ଗତ ଛତ୍ରପୁର ବ୍ଲକ ଅଗସ୍ତି ନୁଆଗାଁ ପଞ୍ଚାୟତ ର ତେଲୁଗୁ ନୂଆଗାଁ ନିକଟ ଖେଳ ପଡିଆ ଠାରେ କୋଭିଡ-୧୯ ନୀୟମ ଉଲ୍ଲଂଘନ କରି କିଛି ଯୁବକ ମାନେ କ୍ରିକେଟ ଖେଳୁଥିଲେ । ଏହାକୁ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ ବାରଣ କରିବା ସହ ଯୁବକ ମାନଙ୍କୁ ତାଗିଦ କରିଥିଲେ । ଯୁବକମାନେ ଉତ୍କ୍ଷିପ୍ତ ହୋଇ ବିଡିଓ ଶ୍ରୀଦାଶଙ୍କ ଉପରେ ଆକ୍ରମଣ କରିଥିଲେ । ବିଡିଓ ଶ୍ରୀ ଦାଶ ତଳେ ପଡିଯାଇଥିବା ବେଳେ ଘଟଣାସ୍ଥଳରେ ଆଉ ଜଣେ ପ୍ରଶାସନିକ ଅଧିକାରୀ ତଥା ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ତାଙ୍କୁ ଉଦ୍ଧାର କରିଥିଲେ । ପରେ ବିଡିଓ ଶ୍ରୀ ଦାଶ ଘଟଣା ସଂପର୍କରେ ଗଂଜାମ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଗଂଜାମ ଥାନା ପୁଲିସ ପକ୍ଷରୁ କେସନଂ ୬୨/୨୦୨୦ ର ଏକ ମାମଲା ରୁଜୁ କରି ଘଟଣା ତଦନ୍ତ ଆରମ୍ଭ କରିଥିଲେ ।
ଏହି ଘଟଣାକୁ ନେଇ ଗୁରୁବାର ଓଡିଶା ପ୍ରଶାସନିକ ସେବା ସଂଘ ଗଂଜାମ ଜିଲ୍ଲା ଶାଖା ପକ୍ଷରୁ ଘୋର ନିନ୍ଦା କରାଯିବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ଗଂଜାମ ଜିଲ୍ଲାପାଳ ଓ ଗଂଜାମ ଏସପିଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରାଯାଇଛି ।
ଶାଖାର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱ ରେ ସଂଘ ର କର୍ମକର୍ତ୍ତା ମାନେ ପ୍ରଥମେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁାଲଙ୍ଗେଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିବାସହ ଛତ୍ରପୁର ବିଡିଓଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ଜାତୀୟ ନିରାପତ୍ତା ଆଇନ (ଏନଏଏସ) ଲାଗୁ କରିବା ସହ ବିଡିଓଙ୍କୁ ବ୍ୟକ୍ତିଗତ ସୁରକ୍ଷା ଯୋଗାଇଦେବା ପାଇଁ ସଂଘ ପକ୍ଷରୁ ଦାବୀ କରାଯାଇଛି । ପରେ ସଂଘ ପକ୍ଷରୁ ଗଂଜାମ ଏସପି ବ୍ରିଜେଶ କୁମାର ରାଏଙ୍କୁ ଭେଟି ଅବିକଳ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଏହାସହ ପ୍ରଶାସନିକ ଅଧିକାରୀ ମାନଙ୍କୁ ସୁରକ୍ଷା ଯୋଗାଇବା ନିମନ୍ତେ ଦାବୀ କରିଛନ୍ତି ।
ଅପରପକ୍ଷରେ ଉକ୍ତ ଘଟଣା ରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଗଂଜାମ ପୁଲିସ ପକ୍ଷରୁ ଗିରଫ କରାଯାଇଛି । ତଦନ୍ତ ପରେ ଘଟଣା ରେ ସଂପୃକ୍ତ ଥିବା ଅନ୍ୟମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଂଜାମ ଏସପି ରାଏ ସୂଚନା ଦେଇଛନ୍ତି ।
ଏହି ଦାବୀ ପତ୍ର ପ୍ରଦାନ ବେଳେ ଓଡିଶା ପ୍ରଶାସନିକ ସେବା ସଂଘ ଗଂଜାମ ଜିଲ୍ଲା ଶାଖା ର ସଦସ୍ୟ ତଥା ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ,ଅତିରିକ୍ତ ଜିଲ୍ଲାପାଳ ତଥା ଡୁଡା ପିଡି ସୁଦାମ ଚରଣ ମଣ୍ଡଳ,ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଜିଲ୍ଲା ରାଜସ୍ୱ ଅଧିକାରୀ ଡ. ଦିବ୍ୟ ଲୋଚନ ମହନ୍ତ,ଜିଲ୍ଲା ନିର୍ବାଚନ ଅଧିକାରୀ ଡ. ବିଜୟାନନ୍ଦ ସେଠୀ,ଡେପୁଟି କଲେକ୍ଟର ସ୍ନିଗ୍ଧାରାଣୀ ଧଳ,ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ,ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କ ସମେତ ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।
ସୂଚନାଅନୁଯାୟୀ କରୋନା ଭାଇରସ ର ମୁକାବିଲା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ଦୂରତା ବଜାୟ ରଖିବା ସହିତ ଜରୁରୀ କାମ ନ ଥିଲେ ଘରୁ ନ ବାହାରିବା ପାଇଁ ବାରମ୍ବାର ସଚେତନ କରାଯାଉଥିବା ବେଳେ ଗତକାଲି ଅଗସ୍ତି ନୂଆଗାଁ ପଞ୍ଚାୟତ ର ତେଲେଗୁ ନୁଆ ଗାଁ ନିକଟ ଖେଳ ପଡିଆ ଠାରେ କିଛି ଯୁବକ କ୍ରିକେଟ ଖେଳୁଥିଲେ । ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ ଓ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ଯୁବକଙ୍କୁ ତାଗିତ କରିବା ସହିତ କ୍ରିକେଟ ଖେଳିବା ପାଇଁ ଯୁବକଙ୍କୁ ବାରଣ କରିଥିଲେ । ହଠାତ୍ ଯୁବକ ମାନେ ଉତକ୍ଷିପ୍ତ ହୋଇ ଛତ୍ରପୁର ବିଡିଓଙ୍କୁ ଆକ୍ରମଣ କରିଥିଲେ ।