ବ୍ରହ୍ମପୁର : ଚଳିତ ମାସ ୩ତାରିଖ ପରଠାରୁ ସହରର ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ ହୋଇଛି । ତେବେ କୋଭିଡ-୧୯ ନୀତି ନିୟମକୁ ନଜରରେ ରଖି ମହାନଗର ନିଗମ ପକ୍ଷରୁ ସହରରେ ଥିବା ସମସ୍ତ ଶାଢ଼ୀ ଦୋକାନ, ବେଶପୋଷାକ ଦୋକାନଗୁଡିକ ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ନୀତି ନିୟମକୁ ଉଲ୍ଲଂଘନ କରୁଥିବା ନେଇ ଗତ କିଛିଦିନ ହେଲା ନିଗମ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ କେତେକ ଦୋକାନ ବଜାର ସିଲ୍ କରିବା ସହ କେତେକଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି । ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର ଅନ୍ନପୂର୍ଣ୍ଣା ମାର୍କେଟସ୍ଥିତ କଳା ମନ୍ଦିର ଶାଢ଼ୀ ସେଣ୍ଟରରେ ସାମାଜିକ ଦୂରତା ନଥିବା ନେଇ ଅଭିଯୋଗ ଆସିବାପରେ ନିଗମ ପକ୍ଷରୁ ଚଢ଼ାଉ କରାଯାଇ ସିଲ୍ କରାଯାଇଥିବା ବେଳେ ବୁଧବାର ସହରରେ ବ୍ୟବସାୟ ବାଣିଜ୍ୟ କିଭଳି ଚାଲୁ ରହିବ ସେନେଇ ମହାନଗର ନିଗମ ଓ ଗଞ୍ଜାମ ଚାମ୍ବର ଅଫ୍ କମର୍ସର ମିଳିତ ବୈଠକ ନିଗମ ସମ୍ମିଳନୀ ଗୃହ ଠାରେ କମିଶନର ଚକ୍ରବର୍ତ୍ତି ସିଂ ରାଥୋଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ତେବେ ଘଟଣା ନେଇ ଚାମ୍ବର ପକ୍ଷରୁ ଦୁଃଖ ପ୍ରକାଶ କରିବା ସହ ଏଭଳି ଘଟଣାକୁ ନିନ୍ଦା କରିଥିଲେ । ଆସନ୍ତାଦିନରେ ସହରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନରେ ସାମାଜିକ ଦୂରତ୍ୱ ପ୍ରତି ଗୁରୁତ୍ୱଦେବା ସହ କୋଭିଡ-୧୯ ନୀତି ନିୟମକୁ ନେଇ ବ୍ୟବସାୟ ଚାଲୁ ରଖିବା ନେଇ ଚାମ୍ବର ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ଯଦି ସହରର କୌଣସି ବ୍ୟବସାୟୀ ଏହାର ଉଲ୍ଲଂଘନ କରୁଛନ୍ତି ତେବେ ଚାମ୍ବର ହେବ ଉତ୍ତର ଦାୟୀତ୍ୱ ବୋଲି ଚାମ୍ବର କର୍ମକର୍ତ୍ତା ମାନେ କମିଶନରଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କୋଭିଡ-୧୯ ନୀତି ନିୟମକୁ ନେଇ ଚାମ୍ବର ପକ୍ଷରୁ ପୁଣି ଥରେ ସମସ୍ତ ବ୍ୟବସାୟୀମାନଙ୍କୁ ଅବଗତ କରାଯାଇ କିଭଳି ଏହାକୁ କଡାକଡି ପାଳନ କରାଯିବ ତାହାର ସେନେଇ ଚାମ୍ବର ପକ୍ଷରୁ ସଚେତନତା ଗ୍ରହଣ କରାଯିବା ସହ ଏହାକୁ ଉଲ୍ଲଂଘନ କଲେ କ’ଣ ହେବ ସେନେଇ ମଧ୍ୟ ଅବଗତ କରାଯାଇ ଯେଭଳି ବ୍ୟବସାୟରେ କୌଣସି ସମସ୍ୟା ରହିବ ନାହିଁ ସେଥିପ୍ରତି ଚାମ୍ବର କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି କମିଶନର ଶ୍ରୀ ରାଥୋଡ ସୂଚନା ଦେଇଛନ୍ତି । ବୈଠକରେ ଚାମ୍ବର ସଭାପତି ଇଂ.ଶିବପ୍ରସାଦ ରାଓ, ସମ୍ପାଦକ ଭି.ସନ୍ତୋଷ କୁମାର, ରାଜ୍ୟ ବ୍ୟବସାୟୀ ମହାସଂଘ ସଭାପତି ସି.ଏଚ୍ ରବିନ୍ଦ୍ରନାଥ, ହୋଲସେଲ କ୍ଲଥ୍ ବ୍ୟବସାୟୀ ସଂଘ ଉପସଭାପତି ବି.ଆନନ୍ଦ ରାଓ ଏବଂ ଅର୍ବାନ ବ୍ୟାଙ୍କ ରୋଡ୍ ବ୍ୟବସାୟୀ କଲ୍ୟାଣ ସଂଘ ସମ୍ପାଦକ ଅରୁଣ ରାଥୋଡଙ୍କ ସମେତ ବିଭିନ୍ନ ବ୍ୟବସାୟୀ ସଂଘର କର୍ମକର୍ତ୍ତାମାନେ ଏଥିରେ ସାମିଲ୍ ହୋଇଥିଲେ ।
Related Stories
November 24, 2024