-
ବୁଧବାର ୬ଜଣ କରୋନା ରୋଗୀ ଚିହ୍ନଟ , ୨୩ ସୁସ୍ଥ
ବ୍ରହ୍ମପୁର: ଜିଲ୍ଲାରେ ବୁଧବାର ସୁଦ୍ଧା ୩୧୩ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ବୁଧବାର ଆଉ ୨୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ବର୍ତ୍ତମାନ ଜିଲ୍ଲାରେ ୩୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୫ଦିନରେ ୧୩୨ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ୧୭୯ରୋଗୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ୨ରେ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପକ୍ଷରୁ ଘୋଷଣା କରାଯାଇଛି । ଖବର ପ୍ରଚାରିତ ହେବାପରେ ଜିଲ୍ଲାବାସୀ ତଥା ରୋଗୀଙ୍କ ପରିବାର ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଏପଟେ ଜିଲ୍ଲାର ୨୩୬ଜଣ ପ୍ରବାସୀ ଓଡ଼ିଆ ସଙ୍ଗରୋଧ ଗୃହରେ ୨୧ଦିନ ରହିବାପରେ ନିଜ ନିଜ ଘରକୁ ଫେରି ଜଣେ ଜଣେ କରୋନା ମୁକାବିଲାର ସ୍ୱାସ୍ଥ୍ୟକର୍ମୀମାନେ ପରିଚିତ ହୋଇ ନିଜ ନିଜ ଅଞ୍ଚଳରେ ସଚେତନତା ଆରମ୍ଭ କରିଛନ୍ତି । କରୋନାକୁ କିପରି ମୁକାବିଲା କରିବା, ସମଦୂରତା ରକ୍ଷା, ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ହାତ ଧୋଇବା ଆଦି ବିଷୟରେ ନିଜ ନିଜ ଗ୍ରାମରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୧ଦିନି ଧରି ଯୋଗାଇ ଦିଆଯାଇଥିବା ସେବା ମଧ୍ୟ ଉଲ୍ଲେଖନୀୟ ବୋଲି କହିଛନ୍ତି । ଆକ୍ସିସ୍ କଣ୍ଟ୍ରୋଲ ଜୋନ୍ରେ ଥିବା ବ୍ରହ୍ମପୁର ଶଙ୍କରପୁର ସାହିରେ ଚତୁର୍ଥ ଦିନରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍କ୍ରିନିଂ ଚାଲିଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ ଜାରି ରହିଛି । ଜିଲ୍ଲାରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପରିସ୍ଥିତି ସଙ୍ଗୀନ ହେଉଛି । ରବିବାର କୁକୁଡାଖଣ୍ଡି ବ୍ଲକ୍ ଦକ୍ଷିରପୁର ପଞ୍ଚାୟତର ଗୁଣ୍ଠବନ୍ଧ ଗ୍ରାମର ବଡସାହିରେ ଜଣେ କରୋନା ରୋଗୀ ଚିହ୍ନଟପରେ ଗ୍ରାମକୁ ସିଲ୍ କରିଥିଲା ପ୍ରଶାସନ । ଗ୍ରାମର ସମସ୍ତ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ ଚାଲିଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ପୁରା ଗ୍ରାମକୁ ବିଶୋଧନ କରାଯାଇଛି । କୁକୁଡାଖଣ୍ଡି ବିଡିଓ ଗଦାଧର ପାତ୍ର ଓ ତହସିଲଦାର ଡା. ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର ଘନ ଘନ ଗ୍ରାମକୁ ଗସ୍ତକରି ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଗ୍ରାମ ସମ୍ମୁଖରେ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ପନିପରିବା, କ୍ଷୀର, ରାସନ ସାମଗ୍ରୀ ଯୋଗାଇ ଦିଆଯାଇଥିଲା । ତେଣୁ ସମସ୍ତେ ଭୟଭୀତ ନହୋଇ ସୁରକ୍ଷିତରେ ରୁହନ୍ତୁ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଥିବା ଜଣାପଡିଛି । ସେପଟେ ହଳଦିଆପଦର ବସ୍ଷ୍ଟାଣ୍ଡକୁ ରାଜ୍ୟ ବାହାରୁ ଆସୁଥିବା ଶ୍ରମିକମାନଙ୍କୁ ପ୍ରଶାସନ ପକ୍ଷରୁ ଖାଦ୍ୟଦେବା ସହ ନିଜ ନିଜ ଅଞ୍ଚଳକୁ ଯିବାପାଇଁ ସୁବ୍ୟବସ୍ଥା କରାଯାଉଛି । ତେବେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସେପଟେ ଗତ ୬ଦିନ ମଧ୍ୟରେ ପ୍ରଥମ ୨, ତା’ପରେ ୨୮, ତା’ପରେ ୧୯ ଓ ସୋମବାର ଦିନ ୪୦, ମଙ୍ଗଳବାର ୨୦ ଓ ବୁଧବାର ଦିନ ୨୩ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ଖବର ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହିତ କରୁଥିବା ବେଳେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଭୟଭୀତ ରହିଛନ୍ତି । ବର୍ତ୍ତମାନ ଜିଲ୍ଲାକୁ ପ୍ରାୟ ୫୫ହଜାର ପ୍ରବାସୀ ଓଡ଼ିଆ ଆସିଥିବା ବେଳେ ସେମାନଙ୍କୁ ୩ହଜାରରୁ ଊର୍ଦ୍ଧ୍ୱ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ ବା ସଙ୍ଗରୋଧ ଗୃହରେ ରଖାଯାଇଛି । ସେମାନଙ୍କ ମଧ୍ୟରୁ ଓ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା କିଛି ସ୍ଥାନୀୟ ଲୋକଙ୍କ ଠାରୁ ହିଁ ବର୍ତ୍ତମାନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆଗକୁ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ଏଥିରେ ଭୟଭୀତ ନହୋଇ ଏହାର ମୁକାବିଲା କିପରି କରିବା ତାକୁ ନେଇ ଏବେ ସମସ୍ତଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ଡାକ୍ତର, ନର୍ସଙ୍କ ମିଳିତ ଉଦ୍ୟମରେ ଏବେ କରୋନା ମୁକାବିଲା ସୁରୁଖୁରୁରେ ଚାଲିଛି । ଜିଲ୍ଲାରେ ୫ହଜାର ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଖୋଲିବା ପାଇଁ ସରକାରୀ ଓ ପ୍ରଶାସନ ସ୍ତରରେ ଉଦ୍ୟମ ଜାରି ରହିଥିବା ଜଣାପଡିଛି । ସେପଟେ ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ଜିଲ୍ଲାରେ ବଳବତ୍ତର ରହିଥିବା ବେଳେ ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ କର୍ଫ୍ୟୁ ସ୍ଥିତି ଜାରି କରାଯାଇଛି । ଏହି ସମୟରେ ମେଡିକାଲ୍ କାର୍ଯ୍ୟ ସାରିଲେ ଅନ୍ୟ କୌଣସି କାର୍ଯ୍ୟରେ ଲୋକେ ଯେପରି ବାହାରକୁ ବାହାରିବେନି ସେ ଉପରେ ଗୁରୁତ୍ୱ ଦିଆଯାଇଛି । ଯଦି କୌଣସି ଲୋକ ଅନାୟସରେ ପଦାକୁ ବାହାରେ ତାହେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଳାପାଳ କହିଛନ୍ତି । ଏପଟେ ସୁସ୍ଥ ହୋଇ ଘରକୁ ଫେରିଥିବା ୧୩୨ କରୋନା ରୋଗୀ ହୋମ୍ କ୍ୱାରାଣ୍ଟାଇନ୍ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ସୁସ୍ଥ ରୋଗୀ ଏହାକୁ ଅବମାନନା କରିବେ ତା’ହେଲେ ସେମାନଙ୍କୁ ପୁଣି ପ୍ରଶାସନ ପକ୍ଷରୁ କରାଯାଇଥିବା ୨୮ଦିନିଆ କ୍ୱାରାଣ୍ଟାଇନ୍ରେ ରଖିବାକୁ ପ୍ରଶାସନ ବାଧ୍ୟ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।