ବ୍ରହ୍ମପୁର : ବୁଧବାର ବ୍ରହ୍ମପୁର ଏସ୍ପି ପିନାକମିଶ୍ର ଗିରିସୋଲାସ୍ଥିତ ଆନ୍ତଃରାଜ୍ୟ ତନଖି ଫାଟକକୁ ଯାଇ ସେଠାରେ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବା ସହ ବାହାରେ ରାଜ୍ୟରୁ ଆସି ଓଡ଼ିଶାକୁ ପ୍ରବେଶ କରୁଥିବା ପ୍ରବାସୀଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ସେଠାରେ ଥିବା ଅସ୍ଥାୟୀ ପ୍ରବାସୀ ଶ୍ରମିକ କ୍ୟାମ୍ପକୁ ଯାଇ ସେଠାରେ ଥିବା ପ୍ରବାସୀଙ୍କ ସହ ଆଲୋଚନାକରି ସେମାନଙ୍କୁ ଖାଦ୍ୟ, ପାନୀୟ ସହ ନିଜ ନିଜ ଅଞ୍ଚଳକୁ ଯିବାପାଇଁ ବସ୍ର ବ୍ୟବସ୍ଥା କରି ପଠାଇଥିଲେ । ଏଭଳି କାର୍ଯ୍ୟ ଜିଲ୍ଲା ପୋଲିସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟକାରୀ କରାଯାଉଛି । ଦୈନନ୍ଦିନ ୫ରୁ ଅଧିକ ବସ୍ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ସହାୟତାରେ ବସ୍ ଭଡାକରି ପ୍ରବାସୀଙ୍କୁ ନିଜ ନିଜ ଅଞ୍ଚଳକୁ ପଠାଯାଉଛି । ଏହାସହ ସେମାନଙ୍କ ଖାଦ୍ୟ, ପାନୀୟ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଉଛି । ଏହାର ତଦାରଖ କରିବା ପାଇଁ ଏସ୍ପି ଶ୍ରୀ ମିଶ୍ର ଗିରିସୋଲାରେ ପହଞ୍ôଚ ସ୍ଥିତି ଅନୁଧ୍ୟାନ କରି ପ୍ରବାସୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି । ଏହି ସମୟରେ ସଦର ଏସ୍ଡିପିଓ ଜୟନ୍ତ ମହାପାତ୍ର, ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଥାଉକି, ଗିରିସୋଲା ଠାରେ ଜିଲ୍ଲା ପରିବହନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ବିଭାଗର ମିଳିତ ଆନୁକୂଲ୍ୟରେ ଚେକ୍ ପୋଷ୍ଟ କରାଯାଇ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ସେମାନଙ୍କୁ ପଞ୍ଜିକରଣକରି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବସ୍ ଯୋଗେ ପଠାଯାଉଛି ।
Related Stories
November 25, 2024