ଲଖନଉ– ବହୁଜନ ସମାଜ ପାର୍ଟିର ପ୍ରମୁଖ ମାୟାବତୀ ଶ୍ରମିକଙ୍କ ଗାଡି ନାମରେ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଥିବା ଆରୋପ ପ୍ରତ୍ୟାରୋପ ଓ ଟଚ୍ଚା ଓଟରାକୁ ଘୃଣା ରାଜନୀତି କହିଛନ୍ତି । ଏହା ସହିତ ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି । ସେ ସନ୍ଦେହ ପ୍ରକାଶ କରିଛନ୍ତି ଯେ, ଉଭୟ ଦଳ ନିଜ ନିଜର ଦୁର୍ବଳତା ଲୁଚାଇବାକୁ ଯାଇ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରି ଏହି ସଙ୍କଟରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଚାହୁଁଛନ୍ତି ।
ବୁଧବାର ସକାଳେ ମାୟାବତୀ ଚାରୋଟି ଟୁଇଟ୍ କରିଛନ୍ତି । ସେ ଲେଖିଛନ୍ତି, ବିଏସପି କଂଗ୍ରେସ ପାର୍ଟିକୁ ଏହି ପରାମର୍ଶ ଦେଉଛି ଯେ, ଯଦି କଂଗ୍ରେସ ପ୍ରବାସୀ ଶ୍ରମିକଙ୍କୁ ବସ୍୍ ଜରିଆରେ ସେମାନଙ୍କର ଘରେ ପହଁଚାଇବାକୁ ସାହାଯ୍ୟ କରିବାକୁ ଚାହୁଁଛି ତେବେ ତାଙ୍କୁ ଏହି ସବୁ ବସ୍ ନିଜର କଂଗ୍ରେସ ଶାସିତ ରାଜ୍ୟରେ ଶ୍ରମିକଙ୍କ ସାହାଯ୍ୟ ପାଇଁ ଲଗାଇ ଦେବା ଉଚିତ୍ ।
ଅନ୍ୟ ଏକ ଟୁଇଟରେ ସେ ଲେଖିଛନ୍ତି, ଗତ ଦିନରେ ପ୍ରବାସୀ ଶ୍ରମିକଙ୍କୁ ଘର ପଠାଇବା ନାମରେ ବିଜେପି ଓ କଂଗ୍ରେସ ଦ୍ୱାରା ଯେଉଁ ପରି ଘୃଣିତ ରାଜନୀତି କରୁଛନ୍ତି ତାହା ଅତି ଦୁର୍ଭାଗ୍ୟପୂର୍ଣ୍ଣ । ବୋଧହୁଏ ଉଭୟ ପାର୍ଟି ନିଜର ବିଫଳତାକୁ ଲୁଚାଇବାକୁ ଯାଇ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରି ଏହି ସଙ୍କଟ ଉପରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଚାହୁଛନ୍ତି ।
ମାୟାବତୀ କହିଛନ୍ତି, ଯଦି ଏମିତି ନୁହେଁ ତେବେ ବିଏସପିର କହିବା କଥା, କଂଗ୍ରେସକୁ ପ୍ରବାସୀ ଶ୍ରମିକଙ୍କୁ ବସରେ ହିଁ ଘରେ ପଠାଇବାରେ ସାହାଯ୍ୟ କରିବା ବଦଳରେ ସେମାନଙ୍କ ଲାଗି ଟିକେଟ୍ କାଟି ଘରକୁ ପଠାଇବାରେ ବ୍ୟବସ୍ଥା କରିବା ଉଚିତ୍ । ଏହି ସବୁ ବିଷୟକୁ ଦୃଷ୍ଟିରେ ରଖି ବିଏସପି ଲୋକଙ୍କୁ ନିଜର ସାମର୍ଥ୍ୟ ହିସାବରେ ପ୍ରଚାର ପ୍ରସାର ଚକ୍କରରେ ନପଡି ପୂରା ଦେଶରେ ନିଜ ସ୍ତରରେ ସାହାଯ୍ୟ କରୁଛି । ବିଜେପି ଓ କଂଗ୍ରେସ ପାର୍ଟିଙ୍କ ପରି ଶ୍ରମିକଙ୍କୁ ସାହାଯ୍ୟ କରିବା ନାଁରେ ଘୃଣାର ରାଜନୀତି କରୁନାହିଁ ।