
ପୁଞ୍ଝ– ପାକିସ୍ତାନ ଜାମ୍ମ-କାଶ୍ମୀରର ନିୟନ୍ତ୍ରଣା ରେଖା ଉପରେ ଗୁଳି ବର୍ଷଣ କରି ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଂଘନ କରି ଚାଲିଛି । ଏହି କ୍ରମରେ ବୁଧବାର ସକାଳେ ପାକିସ୍ତାନୀ ସେନା ପୁଞ୍ଝ ଜିଲ୍ଲା ସଂଲଗ୍ନ ନିୟନ୍ତ୍ରଣ ରେଖାରେ ଅସ୍ତ୍ର ବିରତି ଉଲ୍ଲଂଘନ କରି ଗୁଳିମାଡ କରିଛନ୍ତି । ଭାରତୀୟ ଯବାନ ମଧ୍ୟ ପାକ୍ ଗୁଳିମାଡର ଦୃଢ ଜବାବ ଦେଉଛନ୍ତି । ଏହି ଗୁଳି ବିନିମୟରେ ଅଦ୍ୟାବଧି କୌଣସି ପ୍ରକାର କ୍ଷୟକ୍ଷତିର ସୂଚନା ମିଳିନାହିଁ । ଉଭୟ ପକ୍ଷରେ ଗୁଳି ବିନିମୟ ଜାରି ରହିଛି ।
ସୂଚନା ଅନୁଯାୟୀ, ବୁଧବାର ସକାଳ ୯ଟା ୩୦ରେ ପାକିସ୍ତାନ ପୁଞ୍ଝ ଜିଲ୍ଲାର କିରନି ତଥା ଦିଗଓ୍ାର ସେକ୍ଟରରେ ସ୍ଥିତ ଭାରତୀୟ ସୈନ୍ୟ ଶିବିରକୁ ନିଶାଣ କରି ଗୁଳିମାଡ କରିଥିଲେ । ଏହି ସମୟରେ ସୀମାରେ ସ୍ଥିତ ଜନବହୁଳ ଅଂଚଳକୁ ମଧ୍ୟ ନିଶାଣ କରି ପାକ୍ ସେନା ମୋର୍ଟାର ମାଡ କରିଛନ୍ତି । ପାକିସ୍ତାନ ପକ୍ଷରୁ ଗୁଳିବର୍ଷଣ ଆରମ୍ଭ ହେବା ମାତ୍ରେ ଗାଁ ଲୋକ ଜୀବନ ବଂଚାଇବା ପାଇଁ ବଙ୍କର ତଥା ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି । ଭାରତୀୟ ଯବାନ ମଧ୍ୟ ପାକିସ୍ତାନର ପ୍ରତିଟି ଗୁଳିମାଡର ମୁହଁତୋଡ ଜବାବ ଦେଉଛନ୍ତି ।
ଉଲ୍ଲେଖନୀୟ ମଙ୍ଗଳବାର ମଧ୍ୟ ପାକିସ୍ତାନ ସେନା ଜାମ୍ମୁ ସଂଲଗ୍ନ ନିୟନ୍ତ୍ରଣ ରେଖାଠୁ ନେଇ ଅନ୍ତରାଷ୍ଟ୍ରୀୟ ସୀମା ପର୍ଯ୍ୟନ୍ତ ଗୁଳିମାଡ କରିଛନ୍ତି । ଏହି ସମୟରେ ପାକିସ୍ତାନ ରାଜୌରୀ ଓ ପୁଞ୍ଝ ଜିଲ୍ଲାର ନିୟନ୍ତ୍ରଣ ରେଖା ତଥା କଠୁଆ ଜିଲ୍ଲାର ଅନ୍ତରାଷ୍ଟ୍ରୀୟ ସୀମା ସହିତ ଜନବହୁଳପୂର୍ଣ୍ଣ ଅଂଚଳକୁ ନିଶାଣ କରି ଗୋଳାମାଡ କରିଥିଲେ । ଭାରତୀୟ ଯବାନ ଏହାର ଦୃଢ ଜବାବ ଦେଇଥିଲେ ।