
-
ପବନର ବେଗ ୬୦ ରୁ ୭୦ କିଲୋମିଟର , ରାସ୍ତାରେ ଗଛ ଉପୁଡିଲା
ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ଆଜି ସକାଳ ଠାରୁ ବାଲେଶ୍ୱରରେ ଆରମ୍ଭ ହୋଇଯାଇଛି ବର୍ଷା ଓ ପବନ। ପବନର ବେଗ ୬୦ ରୁ ୭୦ କିମି ଥିବାବେଳେ ଥରକୁଥର ଝଟକା ମାରି ପବନ ଆସୁଛି। ସୁ ସୁ ପବନର ଶବ୍ଦ ବି ଲୋକମାନଙ୍କ ମନରେ ଭୟ ସଂଚାର କରିଛି। କେହି ଘରୁ ବାହାରୁ ନାହାନ୍ତି। ରାସ୍ତାଘାଟ ଶୂନଶାନ୍ ଓ ସହରବଜାର ସବୁ ବନ୍ଦ। ଏକପ୍ରକାର ଆତଙ୍କର ଆତସବାଜି ଖେଳ ଚାଲିଛି ଯେମିତି। ତେବେ ଏହାରି ଭିତରେ ପବନର ଝଟକାରେ ଏକ ଗଛ ଭାଙ୍ଗି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି।
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାଫଳରେ ଏହାର ପ୍ରଭାବରେ ବର୍ତ୍ତମାନ ବିପଦର ଆଶଙ୍କା ଦେଖାଦେଇଛି। ମଙ୍ଗଳବାର ବିଳମ୍ବିତ ରାତିରୁ ଜିଲ୍ଲାରେ ଅଳ୍ପ ଅଳ୍ପ ପବନ ଓ ଝିପିଝିପି ବର୍ଷା ହେବା ଆରମ୍ଭ ହୋଇଥିଲା। ଆଜି ସକାଳ ୮ଟା ସୁଦ୍ଧା ଜିଲ୍ଲାରେ ସମୁଦାୟ ୫୮.୫୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଘଣ୍ଟା ପ୍ରତି ୬୭ କିଲୋମିଟର ବେଗରେ ପବନ ବହୁଥିବା ଲକ୍ଷ୍ୟ କରାଯାଇଛି। ଏହା ସହିତ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ ଦ୍ୱାରା ସମୁଦାୟ ୩୭୮୨୮ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅନେକ ସ୍ଥାନରେ ଗଛ ଉପୁଡ଼ିଥିବା ଓ ଗଛ ଡାଳପତ୍ର ଭାଙ୍ଗି ଥିବାର ଖବର ଅଛି। ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ ଜିଲ୍ଲାରେ ୪ଟି ଏନ୍.ଡି.ଆର୍.ଏଫ୍. ଟିମ୍ ଏବଂ ୬ଟି ଓଡ୍ରାଫ୍ ଦଳ ପ୍ରଶାସନ ଦ୍ବାରା ନିୟୋଜିତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଜିଲ୍ଲାର ମୋଟ ୩୯୧ ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ ୫୫ଟି କରୋନା ମହାମାରୀ ପାଇଁ କ୍ୱାରେଣ୍ଟାଇନ୍ ସେଣ୍ଟର କରାଯାଇଥିବାରୁ ଜିଲ୍ଲା ପ୍ରଶାସନ କିଛି ସ୍କୁଲ ଏବଂ କ୍ଲବ ଘରକୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ କରିଛନ୍ତି। ଫଳରେ ଜିଲ୍ଲାରେ ଏବେ ସମୁଦାୟ ୪୦୦ ବାତ୍ୟା ଆଶ୍ରୟସ୍ଥଳ ସ୍ଥାପନ କରାଯାଇପାରିଛି।