ବ୍ରହ୍ମପୁର: ଗୁଜୁରାଟ ରାଜ୍ୟର ସୁରଥ ସହରରେ ଘରୋଇ କାରଖାନାରେ କାମ କରୁଥିବା ଜଣେ ଓଡ଼ିଆ ଶ୍ରମିକର କରୋନାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଶ୍ରମିକଙ୍କ ଘର ଓଡ଼ିଶା ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ୍ ଅନ୍ତର୍ଗତ ଝରିପଦର ପଞ୍ଚାୟତ ବାଡୁକା ଗ୍ରାମର ବୋଲି ଜଣାପଡିଛି । ତାଙ୍କର ସମ୍ପର୍କୀୟଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ମୃତ ଓଡ଼ିଆ ଶ୍ରମିକଜଣକ ସୁରଥ ଜିଲ୍ଲାର ଧରିତ୍ରୀନଗରରେ ରହୁଥିଲେ । ସେଠାରେ ଏକ ସୁତାକଳ କମ୍ପାନୀରେ କାମ କରୁଥିଲେ । ଗତ ୧୧ତାରିଖରେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଥିଲେ । ମିଳିଥିବା ସୂଚନା ପ୍ରକାରେ ମୃତ ଶ୍ରମିକଜଣକ ହଠାତ୍ ଅସୁସ୍ଥ ହେବା ଫଳରେ ତାଙ୍କୁ ପ୍ରଥମେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ କରୋନା ପଜେଟିଭ ଆସିବାପରେ ତାଙ୍କୁ ସୁରଥର କୋଭିଡ ହସ୍ପିଟାଲରେ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ଦିନ ୧୨ଟାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ଶ୍ରମିକଙ୍କ ବୟସ ୨୭ ବର୍ଷ ହୋଇଥିବା ବେଳେ ତାଙ୍କର ଗ୍ରାମରେ ୧ବର୍ଷର ଶିଶୁପୁତ୍ର ରହିଛି । ଗ୍ରାମରେ ଖବର ପ୍ରଚାରିତ ହେବାପରେ ଶୋକରଛାୟା ଖେଳିଯାଇଥିଲା । ପରିବାରରେ ତାଙ୍କର ବୃଦ୍ଧ ମା’ବାପା, ୨ଭାଇ ଓ ସ୍ତ୍ରୀ ଭାଙ୍ଗି ପଡିଥିବା ବେଳେ ତାଙ୍କୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ହତୋତ୍ସାହିତ ହୋଇଛନ୍ତି । ସୂଚନାଥାଉକି, ଦୀର୍ଘ ୧୫ବର୍ଷ ଧରି ସେ ସୁରଥରେ ରହି କାମ କରୁଥିବା ବେଳେ ଗତ ଦେଢ଼ବର୍ଷ ତଳେ ସୁରଥ ଯାଇ ଆଉ ଘରକୁ ଫେରିନଥିଲେ । ଏପରିକି ତାଙ୍କର ଜନ୍ମିତ ଶିଶୁପୁତ୍ରକୁ ମଧ୍ୟ ସେ ଦେଖିନଥିବା ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି ।
Related Stories
November 22, 2024