-
ଏସ୍ପିଙ୍କ ନେତୃତ୍ୱରେ ତଦାରଖ କରୁଛି ୫୮ଟି ପୋଲିସ ମୋବାଇଲ ଟିମ୍
ବ୍ରହ୍ମପୁର : ପୋଲିସ ନଜରରେ ଗଞ୍ଜାମ ପୋଲିସ ଜିଲ୍ଲା ଅଧିନସ୍ଥ ୨୨ଟି ଥାନାର ୧୧୬୭ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ(ଟିଏମ୍ସି)ରେ ୫୫୦୨୫ଜଣ ପ୍ରବାସୀ ଓଡ଼ିଆ ରହିଛନ୍ତି । ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏଙ୍କ ନେତୃତ୍ୱରେ ୫୮ଟି ମୋବାଇଲ ପୋଲିସ ଟିମ୍ ଗଠନ କରାଯାଇ ଏହାର ତଦାରଖ କରୁଥିବା ନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି । ୨୨ଟି ଥାନା ମଧ୍ୟରୁ ଛତ୍ରପୁର ଥାନା ଅଧିନସ୍ଥ ୩୯, ଚମାଖଣ୍ଡି ୧୩, ମେରାଇନ୍ ୧, ଗଞ୍ଜାମ ୭, ରମ୍ଭା ୨୦, ଖଲ୍ଲିକୋଟ ୭୫, ପୁରୁଷୋତ୍ତମପୁର ୭୪, ପୋଲସରା ୧୦୪, କବିସୂର୍ଯ୍ୟନଗର ୧୧୫, କୋଦଳା ୮୦, ଆସିକା ୯୨, ଧରାକୋଟ ୩୩, ସୋରଡା ୪୯, ହିଞ୍ଜିଳି ୬୫, ଶେରଗଡ ୩୪, ବଡଗଡ ୪୯, ପାଟପୁର ୫୦, ଗାଙ୍ଗପୁର ୭୫, ଭଞ୍ଜନଗର ୬୨, ବୁଗୁଡା ୮୫, ଜଗନ୍ନାଥପ୍ରସାଦ ୨୮ ଓ ତାରସିଂ ଥାନା ଅଞ୍ଚଳରେ ୧୭ ଏଭଳି ମୋଟ ୧୧୬୭ଟି ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପରେ ମୋଟ ୫୫୦୨୫ଜଣ ପ୍ରବାସୀ ଓଡ଼ିଆ ରାଜ୍ୟ ବାହାରୁ ଆସି ରହୁଛନ୍ତି । ଏମାନଙ୍କ ଦୈନନ୍ଦିନ ସୁରକ୍ଷା ଯାଞ୍ଚ କରୁଛି ଏସ୍ପିଙ୍କ ଅଧିନରେ ଗଠିତ ୫୮ଟି ମୋବାଇଲ୍ ଟିମ୍ ତଦାରଖ କରି ପ୍ରତ୍ୟେକ ଦିନ ଏସ୍ପିଙ୍କୁ ରିପୋର୍ଟ ପ୍ରଦାନ କରୁଥିବା ଜଣାପଡିଛି । ସବୁ କେନ୍ଦ୍ରରେ ସ୍ଥିତି ନିୟନ୍ତ୍ରଣାଧିନ ଥିବା ଓ ଗ୍ରାମବାସୀ ଏଥିରେ ସହଯୋଗ କରୁଥିବା ନେଇ ଜିଲ୍ଲା ପୋଲିସ ପକ୍ଷରୁ କୁହାଯାଇଛି ।