-
ସୋମବାର ପୁଣି ୧୫ କରୋନା ରୋଗୀ ଚିହ୍ନଟ, ୪୦ ସୁସ୍ଥ
ବ୍ରହ୍ମପୁର (ବ୍ୟୁରୋ): ସୋମବାର ଜିଲ୍ଲାରେ ପୁଣି ୧୫ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୩୦୭ରେ ପହଞ୍ôଚଛି । ସେମାନଙ୍କ ମଧ୍ୟରୁ ସୋମବାର ୪୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପକ୍ଷରୁ ଘୋଷଣା କରାଯାଇଛି । ଖବର ପ୍ରଚାରିତ ହେବାପରେ ଜିଲ୍ଲାବାସୀ ତଥା ରୋଗୀଙ୍କ ପରିବାର ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ବର୍ତ୍ତମାନ ଜିଲ୍ଳାରେ ୩୦୭ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଗତ ୩ଦିନ ମଧ୍ୟରେ ୮୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ୨୧୬ ରୋଗୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ରହିଛି । ଆକ୍ସିସ୍ କଣ୍ଟ୍ରୋଲ ଜୋନ୍ରେ ଥିବା ବ୍ରହ୍ମପୁର ଶଙ୍କରପୁର ସାହିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍କ୍ରିନିଂ ଚାଲିଥିବା ବେଳେ ସୋମବାର ଦିନ ପୁରା ସାହିକୁ ଅଗ୍ନିଶମ ବିଭାଗ ଦ୍ୱାରା ବିଶୋଧନ କରାଯାଇଛି । ଜିଲ୍ଲାରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପରିସ୍ଥିତି ସଙ୍ଗୀନ ହେଉଛି । ରବିବାର କୁକୁଡାଖଣ୍ଡି ବ୍ଲକ୍ ଦକ୍ଷିରପୁର ପଞ୍ଚାୟତର ଗୁଣ୍ଠବନ୍ଧ ଗ୍ରାମର ବଡସାହିରେ ଜଣେ କରୋନା ରୋଗୀ ଚିହ୍ନଟପରେ ଗ୍ରାମକୁ ସିଲ୍ କରିଥିଲା ପ୍ରଶାସନ । ଗ୍ରାମର ସମସ୍ତ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ ଚାଲିଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ପୁରା ଗ୍ରାମକୁ ବିଶୋଧନ କରାଯାଇଛି । କୁକୁଡାଖଣ୍ଡି ବିଡିଓ ଗଦାଧର ପାତ୍ର ଓ ତହସିଲଦାର ଡା. ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର ଘନ ଘନ ଗ୍ରାମକୁ ଗସ୍ତକରି ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଗ୍ରାମ ସମ୍ମୁଖରେ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ପନିପରିବା, କ୍ଷୀର, ରାସନ ସାମଗ୍ରୀ ଯୋଗାଇ ଦିଆଯାଇଥିଲା । ସୋମବାର ସକାଳେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରଥମେ ନୂଆ ୧୫ଜଣ କରୋନା ରୋଗୀ ଗଞ୍ଜାମରେ ଚିହ୍ନଟ ହୋଇଥିବା ସୂଚନା ଦେବାସହ ଏଥିମଧ୍ୟରୁ ୧୪ଜଣ ସୁରଥ ଫେରନ୍ତା ଓ ସମସ୍ତେ ଅସ୍ଥାୟୀ ମେଡିକାଲ୍ରେ ଥିବାବେଳେ ଆଉ ଜଣେ ବେଙ୍ଗଲୋରରୁ ଫେରି ହୋମ୍ କ୍ୱାରାଣ୍ଟାଇନ୍ରେ ଥିଲେ ବୋଲି ସୂଚନା ଦେଇଥିଲେ । ପୁଣି ମଧ୍ୟାହ୍ନପରେ ବିଭାଗ ପକ୍ଷରୁ ୪୦ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ଦିଆଯାଇଥିଲା । ତେବେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସେପଟେ ଗତ ୪ଦିନ ମଧ୍ୟରେ ପ୍ରଥମ ୨, ତା’ପରେ ୨୮, ତା’ପରେ ୧୯ ଓ ସୋମବାର ଦିନ ୪୦ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ସୂଚନା ମିଳିଛି । ଏହି ଖବର ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହିତ କରୁଥିବା ବେଳେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଭୟଭୀତ ରହିଛନ୍ତି । ବର୍ତ୍ତମାନ ଜିଲ୍ଲାକୁ ପ୍ରାୟ ୫୦ହଜାର ପ୍ରବାସୀ ଓଡ଼ିଆ ଆସିଥିବା ବେଳେ ସେମାନଙ୍କୁ ୩ହଜାରରୁ ଊର୍ଦ୍ଧ୍ୱ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ ବା ସଙ୍ଗରୋଧ ଗୃହରେ ରଖାଯାଇଛି । ସେମାନଙ୍କ ମଧ୍ୟରୁ ଓ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା କିଛି ସ୍ଥାନୀୟ ଲୋକଙ୍କ ଠାରୁ ହିଁ ବର୍ତ୍ତମାନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହିସବୁ ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗର ୨ଜଣିଆ ଟିମ୍ ଗତ ୨ଦିନଧରି କୋଭିଡ୍ ହସ୍ପିଟାଲ ଓ ଜିଲ୍ଲାର ପ୍ରାୟ ବିଭିନ୍ନ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ ବୁଲି ସ୍ଥିତି ଅନୁଧ୍ୟାନ କରୁଥିବା ଜଣାପଡିଛି । ଏପରିକି ସୋମବାର ଦିନ ପରିଦର୍ଶନପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିବା ମଧ୍ୟ କୁହାଯାଇଛି । ଆଗକୁ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ଏଥିରେ ଭୟଭୀତ ନହୋଇ ଏହାର ମୁକାବିଲା କିପରି କରିବା ତାକୁ ନେଇ ଏବେ ସମସ୍ତଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ଡାକ୍ତର, ନର୍ସଙ୍କ ମିଳିତ ଉଦ୍ୟମରେ ଏବେ କରୋନା ମୁକାବିଲା ସୁରୁଖୁରୁରେ ଚାଲିଛି । ଜିଲ୍ଲାରେ ୫ହଜାର ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଖୋଲିବା ପାଇଁ ସରକାରୀ ଓ ପ୍ରଶାସନ ସ୍ତରରେ ଉଦ୍ୟମ ଜାରି ରହିଥିବା ଜଣାପଡିଛି ।