
ସାନଖେମୁଣ୍ଡି: ରାଜ୍ୟ କୃଷି ବିଭାଗର ନିର୍ଦ୍ଦେଶ ମତେ ସାନଖେମୁଣ୍ଡି ସ୍ଥିତ କୃଷିସୂଚନା ଓ ପରାମର୍ଶ କେନ୍ଦ୍ର ସୌଜନ୍ୟରୁ ଇତି ମଧ୍ୟରେ ପଞ୍ଚାୟତ ସ୍ତରୀୟ କୀଟନାଶକର ସଠିକ ଓ ନିରାପଦ ବ୍ୟବହାର ଜନିତ ତାଲିମ ଶିବିର ଅନୁଷ୍ଠିତ ହୋଇଅଛି। ଏହି କୃଷକ ତାଲିମ ଶିବିରର ଆୟୋଜନ କରି କୃଷିବିଭାଗ ବିଶେଷଜ୍ଞଙ୍କ ଦ୍ୱାରା ଅଂଚଳ କୃଷକ ସମାଜଙ୍କୁ ରାସାୟନିକ ସାର ଓ ରୋଗପୋକ ନିୟନ୍ତ୍ରଣ ନିମିତ୍ତ ବ୍ୟବହାରରେ ଆସୁଥିବା କୀଟନାଶକର ପ୍ରୟୋଗ ସମ୍ପର୍କିତ ସଚେତନତା ସୃଷ୍ଟି କରାଯାଉଛି। ଏହି ପରିପ୍ରେକ୍ଷୀରେ ଗତକାଲି ସୋମବାର ଅପରାହ୍ନରେ ଯଥା ସ୍ଥିତ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଅଞ୍ଚଳର ବରିଷ୍ଠ ଅଭିଜ୍ଞ କୃଷକ ତଥା କୃଷି କାର୍ଯ୍ୟ ବୃଦ୍ଧିଜୀବୀଙ୍କ ସମାବେଶରେ କୃଷି ବିଭାଗ ତରଫରୁ ଏକ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଅଛି। ପୂର୍ବତନ କୃଷି ଅଧକ୍ଷ ଶ୍ରୀ ଲଷ୍ମୀଚରଣ ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ତାଲିମ ଶିବିରରେ ସରପଞ୍ଚ ଶ୍ରୀମତି ଲିସାରାଣୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେବା ସହିତ ବିଭାଗୀୟ ସଚେତନତାକୁ ଗୁରୁତ୍ୱରୋପ କରିଥିଲେ। କୃଷି ବିଭାଗ କର୍ମଚାରୀ ରାଜେନ୍ଦ୍ର ନନ୍ଦ ରେଡି, କୃଷି ଯାନ୍ତ୍ରିକ କର୍ମଚାରୀ ଜଗନ୍ନାଥ ପାତ୍ର ପ୍ରମୁଖ ଉପସ୍ଥିତ କୃଷକଙ୍କ କୀଟନାଶକର ସଠିକ ପ୍ରୟୋଗ ବିଧି ସହିତ ବ୍ୟବହାର ଜନିତ ନିରାପତ୍ତା ସମ୍ୱନ୍ଧରେ ସୂଚନା ପ୍ରଧାନ କରିଥିଲେ। ରୋଗର ସଠିକ ନିରୂପଣ ସହିତ ଅନୁପାନକୁ ନଜର ରଖି ବ୍ୟବହାର ବିଧି ପରିବର୍ତ୍ତନ ପାଇଁ ଧାରଣ ସୃଷ୍ଟି କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ସୀମାଞ୍ଚଳ ଗୌଡ଼, ନାଏବ ସରପଞ୍ଚ ଶ୍ରୀ ଲୋକନାଥ ପାଣିଗ୍ରାହୀ, ଉପେନ୍ଦ୍ର ସାହୁ, ବାବୁ ସାହୁ, ରୋବିନି ସାହୁ, ନରସିଂହ ସାହୁ, ବିପ୍ର ସେଠି, ବିନ ସେଠି, ପ୍ରଭାକର ସାହୁ ପ୍ରମୁଖ ବହୁ ବସିଷ୍ଟକ ଚାଷୀ ଉପସ୍ଥିତ ରହି ଅଂଶଗ୍ରହଣ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।