-
ଲକ୍ଡାଉନ୍ରେ ଆପତ୍ତି ସଂଗ୍ରହ ପାଇଁ ବିଜ୍ଞପ୍ତୀ
-
ବିରୋଧ ପାଇଁ ଆମ୍ବପୁଆ ଗ୍ରାମବାସୀ ସଜବାଜ
ହସ୍ତଗତ ହୋଇଥିବା ତଥ୍ୟ ମୁତାବକ, ବ୍ରହ୍ମପୁର ସହରର ୪ଟି ଗୁରୁତ୍ୱପୂର୍ଣ୍ଣ ତଥା ଜନଗହଳି ସ୍ଥାନରେ ବିଦେଶୀ ମଦଦୋକାନ ଖୋଲିବାକୁ ଅବକାରୀ ବିଭାଗ ନିକଟରେ ଆବେଦନ କରାଯାଇଥିଲା । ଆବେଦନକାରୀଙ୍କ ମଧ୍ୟରୁ ଟାଟାବେଞ୍ଜ୍ ଛକରେ ସୁମନ୍ଗାଲାମ୍ ହୋଟେଲ, ଗୋଳନ୍ଥରା ଥାନା ଆର.ସୁଭାନିରେ ନିହାରିକା ରେଷ୍ଟୁରାଣ୍ଟ, ଆମ୍ବପୁଆ ବାଇପାସ୍ଠାରେ ପାଣିଗ୍ରାହୀ ରେଷ୍ଟୁରାଣ୍ଟ ଏବଂ ଗୋପାଳପୁର ଜଙ୍କସନ୍ ରୋଡରେ ବ୍ରଦର୍ସ ଲଡ୍ଜ ଆଣ୍ଡ ରେଷ୍ଟୁରାଣ୍ଟ୍ ଲାଇସେନ୍ସ ପାଇଁ ଆବେଦନ କରିଥିଲେ । ଅବକାରୀ ଆଇନ୍ ଅନୁସାରେ ମଦ ଦୋକାନ ଖୋଲିବା ପୂର୍ବରୁ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଆପତ୍ତି ଅଭିଯୋଗ ଗ୍ରହଣ କରିବା ବାଧ୍ୟତାମୂଳକ ଅଟେ । ଉକ୍ତ ଆପତ୍ତି ଅଭିଯୋଗ ଉପରେ ବିଭାଗୀୟ ଅଧିକାରୀ ଶୁଣାଣି କରି ଲାଇସେନ୍ସ ପ୍ରଦାନ କରିବା କିମ୍ବା ନାକଚ କରିବା ବିଧେୟ । ଏହି ଆଇନ୍ର ଅନୁପାଳନ ବେଆଇନ୍ ଭାବେ କରାଯାଇଥିବା ଆମ୍ବପୁଆ ଗ୍ରାମର କିଛି ବରିଷ୍ଠ ନାଗରିକ ଓ ଗୋପାଳପୁର ଜଙ୍ଗସନ ନିକଟର କିଛି ଯୁବକମାନେ ବିରୋଧ କରିବାପରେ ଏହା ଏବେ ସାମ୍ନାକୁ ଆସିଛି ।
ରାଜ୍ୟରେ ଦୀର୍ଘ ଦୁଇମାସ ହେବ କରୋନା ପାଇଁ ଲକ୍ଡାଉନ୍ ଜାରି ରହିଛି । ସେଥିପାଇଁ ମଦ ଦୋକାନ ଏବଂ କାରବାର ବନ୍ଦ ରହିଛି । ଏପରି ସ୍ଥଳେ ଲୋକ ଘରୁ ବାହରକୁ ବାହାରୁ ନ ଥିବା ସମୟରେ ଅବକାରୀ ବିଭାଗ ସାଧାରଣରେ ବିଜ୍ଞପ୍ତୀ ପ୍ରକାଶ କରିବା ଏବଂ ସ୍ଥାନୀୟ ଲୋକଙ୍କ ନକଲି ଦସ୍ତଖତ ସଂଗ୍ରହ କରିଥିବା ନେଇ ଅଭିଯୋଗ ହୋଇଛି । ଯାହାକୁ ନେଇ ଉପରୋକ୍ତ ଅଞ୍ଚଳରେ ଜନ ଅସନ୍ତୋଷ ଧିରେ ଧିରେ ବଢିବାରେ ଲାଗିଛି । ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଚିଠି ମୁତାବକ, ଏପ୍ରିଲ୍ ୨୫ ତାରିଖରେ ଉପରୋକ୍ତ ୪ଟି ଅନ୍ସପ୍ ଖୋଲିବା ପାଇଁ ଲୋକଙ୍କ ଆପତ୍ତି ଗ୍ରହଣ ବିଜ୍ଞପ୍ତୀ ପ୍ରକାଶ ପାଇଥିଲା । ଯାହାର ଅବଧି ମଇ ୧୦ ତାରିଖ ଯାଏଁ ରହିଥିଲା । ଏହି ୧୪ ଦିନ ମଧ୍ୟରେ ଉପରୋକ୍ତ ଅନ୍-ସପ୍ ଖୋଲିବା ନେଇ ଲୋକଙ୍କ ଆପତ୍ତି ଅଭିଯୋଗ ଥିଲେ ଅବକାରୀ କାର୍ଯ୍ୟାଳୟରେ ଜଣାଇବାକୁ ଅନୁରୋଧ କରାଯାଇଥିଲା । କିନ୍ତୁ ରାଜ୍ୟରେ ଲକ୍ଡାଉନ୍ ଚାଲିଥିବା, ଲୋକ ଘରୁ ବାହାରୁ ନ ଥିବା ବେଳେ ଅବକାରୀ ବିଭାଗର ବିଜ୍ଞପ୍ତୀ କାହା ପାଇଁ ପ୍ରକାଶ ପାଇଥିଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ସେହିପରି ଲୋକ ଘରୁ ବାହାରୁ ନ ଥିବା ବେଳେ ଅବକାରୀ ବିଭାଗ ସ୍ଥାନୀୟ ଲୋକଙ୍କ ଦସ୍ତଖତ ସଂଗ୍ରହ କରିବା ଆଉ ଏକ ଦ୍ୱନ୍ଦ୍ୱକୁ ଜନ୍ମଦେଇଛି । ଯାହାକୁ ନେଇ ଅନ-ସପ୍ ଖୋଲାଯିବାକୁ ଥିବା ସ୍ଥାନୀୟ ବାସିନ୍ଦା ବିରୋଧ କରିବାକୁ ସଜବାଜ ହେଉଛନ୍ତି । ଯଦି ଗୋପାଳପୁର ଜଙ୍ଗସନରେ ବଦର୍ସ ଲଡଜ୍ ଏଣ୍ଡ୍ ରେଷ୍ଟ୍ୟୁରାଣ୍ଟ ଖୋଲିଲେ ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇବା ସହ ମୁଖ୍ୟମନ୍ତ୍ରୀ, ଅବକାରୀ ମନ୍ତ୍ରୀ, ଅବକାରୀ କମିଶନର ଓ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି । ଅବକାରୀ ବିଭାଗର ଏଭଳି ବେଆଇନ୍ କାର୍ଯ୍ୟକୁ ବରଦାସ୍ତ କରାଯିବନି ବୋଲି ସ୍ଥାନୀୟ ବାସିନ୍ଦାମାନେ ଆମ ପ୍ରତିନିଧିଙ୍କୁ କହିଛନ୍ତି । ଅବକାରୀ ବିଭାଗର କଳା କାରନାମାର ମୁଖା ଖୋଲାଯିବ ଏବଂ ସମ୍ପୃକ୍ତ ମାଲିକଙ୍କୁ ମଦ କାରବାର କରିବାକୁ ପ୍ରଶ୍ରୟ ଦିଆଯିବନି ବୋଲି ସ୍ପଷ୍ଟଭାବେ ସେମାନେ କହିଛନ୍ତି ।