-
● ଆଲୋଚନା ହେଲା କୋଭିଡ୍ ୧୯ ଫଳରେ ଶିଳ୍ପ କ୍ଷେତ୍ର କେତେ ପ୍ରଭାବିତ
-
● ଅତିଥି କହିଲେ, କୋଭିଡ ସହିତ ବଞ୍ଚିବାକୁ ହେବ, ଶିଳ୍ପ କ୍ଷେତ୍ରର ପୁନରୁଦ୍ଧାର ପାଇଁ ନେବାକୁ ହେବ ଠିକଣା ପଦକ୍ଷେପ
ବାଲେଶ୍ଵର , ୧୭/ ୦୫ (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ): କୋଭିଡ -୧୯ର ପ୍ରକୋପ ଜାରି ରହିବାକୁ ଥିବାରୁ ମାନବ ସମାଜକୁ ଏହା ସହିତ ବଞ୍ଚିବାକୁ ପଡ଼ିବ। ତେବେ କୋଭିଡ ଓ ଲକ୍ ଡାଉନ ପ୍ରଭାବିତ ଶିଳ୍ପ କ୍ଷେତ୍ରର ପୁନରୁଦ୍ଧାର ପାଇଁ ଭାବିଚିନ୍ତି ଠିକଣା ପଦକ୍ଷେପ ନିଆନଗଲେ ଆଗକୁ ଅର୍ଥନୀତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହେବ ବୋଲି ‘ ଓଡ଼ିଶା ଡାଇରେକ୍ଟୋରି. ଓଆରଜି’ ପକ୍ଷରୁ ଆଜି ଆୟୋଜିତ ଏକ ଓ୍ବେବିନାର୍ ରେ ମତପ୍ରକାଶ ପାଇଛି।
ଗଣମାଧ୍ୟମ ଅନୁଷ୍ଠାନ ‘ ବିଜ୍ଞାପନ ‘ ଦ୍ବାରା ପରିଚାଳିତ ‘ ଓଡ଼ିଶା ଡାଇରେକ୍ଟୋରି. ଓଆରଜି ‘ ପକ୍ଷରୁ ଆଜି ‘ ଓଡ଼ିଶାର ଶିଳ୍ପ କ୍ଷେତ୍ର ଉପରେ କୋଭିଡ -୧୯ ର ପ୍ରଭାବ’ ଶୀର୍ଷକ ଏକ ଓ୍ବେବିନାର ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଆଲୋଚକମାନଙ୍କୁ ସ୍ବାଗତ କରି ବିଜ୍ଞାପନ ଗୃପର ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ ପୃଷ୍ଟି କହିଥିଲେ ଯେ, ଲକ୍ ଡାଉନ ଯୋଗୁଁ ଏମ୍ଏସ୍ଏମ୍ଇ କ୍ଷେତ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ତେବେ ସମସ୍ତଙ୍କୁ ଆଗକୁ ଯିବାକୁ ପଡିବ। ଏହି ସମୟରେ ନିୟମିତ ଆଲୋଚନା ଚକ୍ର କରିବା ସମ୍ଭବ ନଥିବାରୁ ଏହି ଓ୍ବେବିନାର ଆୟୋଜନ କରାଯାଇଥିବା ସେ ସୂଚନା ଦେଇଥିଲେ।
ସଞ୍ଚାଳକ ପ୍ରଫେସର ଡକ୍ଟର ତପନ କୁମାର ପଣ୍ଡାଙ୍କ ଆମନ୍ତ୍ରଣ କ୍ରମେ ଆଲୋଚନା ଆରମ୍ଭ କରି ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଭବାନୀ ଶଙ୍କର ମିଶ୍ର କହିଥିଲେ ଯେ, ସରକାରଙ୍କ ଦ୍ଵାରା ଘୋଷିତ ଆର୍ଥିକ ପ୍ୟାକେଜ ମୁଖ୍ୟତଃ ବ୍ୟାଙ୍କ ଜରିଆରେ କାର୍ଯ୍ୟକାରୀ ହେବ। ତେଣୁ ବ୍ୟାଙ୍କ ମାନଙ୍କୁ କିଛି ଅଧିକ ଦାୟିତ୍ଵ ନିର୍ବାହ କରିବାକୁ ପଡ଼ିବ। ଲକ୍ ଡାଉନ ଯୋଗୁଁ ଗ୍ରାମାଞ୍ଚଳର ବ୍ୟାଙ୍କ ସେବା ଅଧିକ ପ୍ରଭାବିତ ହୋଇଥିବା ସେ ଦର୍ଶାଇଥିଲେ।
ବରିଷ୍ଠ ସାମ୍ବାଦିକ ତଥା ‘ଓଡ଼ିଶା ଲାଇଭ’ର ସିଇଓ ନୀଳାମ୍ବର ରଥ ଗଣମାଧ୍ୟମ ଶିଳ୍ପ କିଭଳି କୋଭିଡ-୧୯ ଯୋଗୁଁ ପ୍ରଭାବିତ ହୋଇଛି, ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସମୟରେ ଗଣମାଧ୍ୟମର ଆୟ କମିଥିବାରୁ କର୍ମଚାରୀ ମାନେ ମଧ୍ୟ ପ୍ରଭାବିତ ହୋଇଥିବା ସେ ସୂଚନା ଦେଇଥିଲେ। ଏଭଳି ବିପର୍ଯ୍ୟୟ ସମୟରେ ଗଣମାଧ୍ୟମ ଅଧିକ ସକାରାତ୍ମକ ଖବର ପରିବେଷଣ ଉପରେ ଗୁରୁତ୍ବ ଦେବା ଉଚିତ ବୋଲି ସେ ମତ ରଖିଥିଲେ।
କୋଭିଡ ଯୋଗୁଁ ଚିକିତ୍ସା ସେବା କ୍ଷେତ୍ର କିଭଳି ପ୍ରଭାବିତ ହୋଇଛି, ସେ ସମ୍ପର୍କରେ ‘ ହେଲଥ୍ ଭିଲେଜ ‘ ର ଅନ୍ୟତମ ନିର୍ଦ୍ଦେଶକ ଡାକ୍ତର ଶୋଭନ ରଥ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ବର୍ତ୍ତମାନ ସମୟରେ ଛୋଟ ହସ୍ପିଟାଲ ଓ ନର୍ସିଂହୋମ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। କରୋନା ଭୟରେ ଏବେ ଅତି ଗୁରୁତର ଅବସ୍ଥା ନହେଲେ କୈାଣସି ରୋଗୀ ଡାକ୍ତରଖାନା ଯାଉନାହାଁନ୍ତି। ଡାକ୍ତରଖାନାକୁ ରୋଗୀଙ୍କ ଆଗମନ ୮୦% ହ୍ରାସ ପାଇଛି। ଅପରପକ୍ଷରେ ଗୋଟିଏ ଡାକ୍ତରଖାନାର ସମସ୍ତ ଖର୍ଚ୍ଚର ୮୦% ଖର୍ଚ୍ଚ ନିୟମିତ ଖର୍ଚ୍ଚ। ରୋଗୀ ଆସନ୍ତୁ କିମ୍ବା ନଆସନ୍ତୁ ଏହି ୮୦% ବ୍ୟୟଭାର ବହନ କରିବାକୁ ପଡ଼ିବ। ତେଣୁ ଛୋଟ ହସ୍ପିଟାଲ ଓ ନର୍ସିଂହୋମ ଚଳାଇବା ଏବେ କଷ୍ଟକର ବ୍ୟାପାର। ଅନ୍ୟ ପକ୍ଷରେ କୋଭିଡର ମୁକାବିଲା ପାଇଁ ଡାକ୍ତର ଓ ଚିକିତ୍ସା ସେବା ସହିତ ଜଡ଼ିତ ସମସ୍ତ କର୍ମଚାରୀ ଯେଭଳି ନିରବିଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି, ତାହା ବେଶ୍ ପ୍ରଶଂସନୀୟ ବୋଲି ଡାକ୍ତର ରଥ କହିଥିଲେ।
ଭୁବନେଶ୍ଵର ମାଲ୍ ପରିବହନ ସଂଘ ସଭାପତି ନିରଞ୍ଜନ ପ୍ରହରାଜ କହିଲେ ଯେ, ଲକ୍ ଡାଉନ ସମୟରେ ମାଲ୍ ପରିବହନ କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଏହା ପ୍ରଭାବିତ ହୋଇଛି। ବହୁ ଡ୍ରାଇଭର ଓ ଅନ୍ୟ କର୍ମଚାରୀ ଘରକୁ ପଳେଇ ଥିବାରୁ ମାଲ୍ ପରିବହନ ସ୍ବାଭାବିକ ହୋଇପାରିନାହିଁ। କିନ୍ତୁ ଯେଉଁ ଡ୍ରାଇଭର ଓ କର୍ମଚାରୀ କାର୍ଯ୍ୟରତ ଅଛନ୍ତି , ସେମାନଙ୍କୁ ମଧ୍ୟ ଅନ୍ୟ କୋଭିଡ୍ ଯୋଦ୍ଧାଙ୍କ ଭଳି ପ୍ରଶଂସା କରାଯିବା ଆବଶ୍ୟକ। ଏହି ସମୟରେ ଗାଡ଼ି ଚାଳକ ମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାବେଳେ ଯଦି କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କୁ ସାହାଯ୍ୟ କରିବାକୁ ସର୍ବଭାରତୀୟ ସଂଘ ପକ୍ଷରୁ ‘ ହାଇଓ୍ବେ ହିରୋଜ୍ ‘ ନାମକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି।
ଲକ୍ ଡାଉନ ସମୟରେ ହୋଟେଲ ଶିଳ୍ପ କିଭଳି ପ୍ରଭାବିତ ହୋଇଛି ସେ ସମ୍ପର୍କରେ ପୁରୀର ଯୁବ ହୋଟେଲ ଶିଳ୍ପପତି ଦେବାଶିଷ କୁମାର ବିସ୍ତୃତ ଆଲୋଚନା କରିଥିଲେ। ଗତ ବର୍ଷ ବାତ୍ୟା ବିପର୍ଯ୍ୟୟ ‘ ଫନି ‘ ଯୋଗୁଁ ଗୁରୁତର କ୍ଷତିଗ୍ରସ୍ତ ହୋଇଥିବା ହୋଟେଲ ଶିଳ୍ପ ଧୀରେ ଧୀରେ ସେଥିରୁ ମୁକ୍ତ ହୋଇ ଆସୁଥିବା ବେଳେ କୋଭିଡ-୧୯ର ପ୍ରଭାବ ବେଡ଼ି ଉପରେ କୋରଡ଼ା ସଦୃଶ ହୋଇଛି। କୋଭିଡ ଯୋଗୁଁ ହୋଟେଲ ସବୁଠାରୁ ପ୍ରଥମେ ବନ୍ଦ ହୋଇଯାଇଥିଲା ବେଳେ ସମ୍ଭବତଃ ସବୁଠାରୁ ଶେଷରେ ଖୋଲିବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଥିଲେ। ହୋଟେଲ ଖୋଲାଗଲେ ବି ପର୍ଯ୍ୟଟକମାନେ ସହଜରେ ଆସିବେ ନାହିଁ। କୋଭିଡ୍ ଦ୍ବାରା ସମସ୍ତେ ପ୍ରଭାବିତ ହୋଇଛନ୍ତି। ଲୋକେ ପ୍ରଥମେ ନିଜର ଆର୍ଥିକ ସ୍ଥିତି ସୁଧାରିବେ। ପର୍ଯ୍ୟଟନ ସେମାନଙ୍କ ପାଇଁ ଅଗ୍ରାଧିକାର ହେବନାହିଁ ବୋଲି ଶ୍ରୀ କୁମାର କହିଥିଲେ।
ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ଉପ ସଭାପତି ଶ୍ରୀ ଅଶୋକ କୁମାର ଶାରଦା କହିଥିଲେ ଯେ, କୋଭିଡ୍ ଯୋଗୁଁ ଶିଳ୍ପ କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଛି। ବିଶେଷ କରି କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ନିୟମିତ ବ୍ୟୟଭାର ବହନ କରିବାକୁ ଏମ୍ଏସ୍ଏମ୍ଇ କ୍ଷେତ୍ର ଅସମର୍ଥ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଭାରତ ସରକାରଙ୍କ ପ୍ୟାକେଜ ଘୋଷଣା ପରେ କିଛିଟା ଆଶ୍ୱସ୍ତି ମିଳିଛି। ଅନ୍ୟ ପକ୍ଷରେ କୋଭିଡ ଦ୍ବାରା ସୃଷ୍ଟ ପରିସ୍ଥିତିର ସକରାତ୍ମକ ଫାଇଦା ବିଷୟରେ ମଧ୍ୟ ସେ ସୂଚନା ଦେଇଥିଲେ। ଅନ୍ୟ ରାଜ୍ୟରୁ ଫେରିଆସିଥିବା କୁଶଳୀ ଓଡ଼ିଆ ଶ୍ରମ ଶକ୍ତିର ସଦୁପଯୋଗ କରିବା ପାଇଁ ଶିଳ୍ପ କ୍ଷେତ୍ର ଓ ସରକାର ପଦକ୍ଷେପ ନେବା ଆବଶ୍ୟକ। କୋଭିଡ୍ ସମୟରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଶିଳ୍ପ ସଂସ୍ଥା ପରସ୍ପରକୁ ସାହାଯ୍ୟ କରିବା ଏକ ନୂତନ ଶୈଳ୍ପିକ ପରିବେଶର ସଙ୍କେତ ଦେଉଥିବା ସେ କହିଥିଲେ। ଶ୍ରୀ ଶାରଦା ମଧ୍ୟ କୃଷି ଓ ପୋଲଟ୍ରି ବ୍ୟବସାୟ କ୍ଷେତ୍ର କିଭଳି ପ୍ରଭାବିତ ହୋଇଛି ସେ ସମ୍ପର୍କରେ ଆଲୋଚନା କରିଥିଲେ।
ପୂର୍ବତନ ମନ୍ତ୍ରୀ ତଥା ଚିନ୍ତକ ପ୍ରସାଦ ହରିଚନ୍ଦନ କୋଭିଡର ସାମଗ୍ରିକ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ, କୋଭିଡ ରହିବ ବୋଲି କୁହାଯାଉଛି। ଯଦି କୋଭିଡ ରହିବ, ତେବେ ଲକ୍ ଡାଉନ ମଧ୍ୟ ରହିବ। ଅତଏବ ଲକ୍ ଡାଉନ ମଧ୍ୟରେ କେତେ ଅଧିକ ସକ୍ରିୟ ରହି ବିକାଶ ମୂଳକ କାର୍ଯ୍ୟ କରି ପାରିବା, ତାହା ଚିନ୍ତା କରିବାର ଅଛି। ଏବେ ଉତ୍ପାଦନ ପ୍ରଭାବିତ ହୋଇଛି। ରାଜ୍ୟର ବ୍ୟୟ ବଢ଼ିଥିବା ବେଳେ ରାଜସ୍ବ ହ୍ରାସ ପାଇଛି। ଏଭଳି ସ୍ଥିତିରେ ଠିକଣା ପଦକ୍ଷେପ ନିଆନଗଲେ ଆଗକୁ ଅର୍ଥନୀତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହେବ। ବାହାରୁ ଲକ୍ଷ ଲକ୍ଷ କୂଶଳୀ ଓଡ଼ିଆ ଫେରିଆସିଛନ୍ତି। ସେମାନଙ୍କ ସହିତ ଆମର ଏଠାରେ ପୂର୍ବରୁ କାର୍ଯ୍ୟ କରୁଥିବା ଲୋକଙ୍କ ହାତକୁ କାମ ଦିଆଯିବା ଦରକାର ବୋଲି ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି।
କାର୍ଯ୍ୟକ୍ରମର ଶେଷ ଆଲୋଚକ ଜଣାଶୁଣା ରପ୍ତାନି ବିଶେଷଜ୍ଞ ରାଜେନ ପାଢ଼ୀ କହିଥିଲେ ଯେ, କୋଭିଡ୍ ଦ୍ବାରା ଓଡ଼ିଶାର ରପ୍ତାନି କ୍ଷେତ୍ର ବିଶେଷ ପ୍ରଭାବିତ ହୋଇନାହିଁ। ଲକ୍ ଡାଉନ ସତ୍ତ୍ୱେ ଭାରତରୁ ଚୀନ ସର୍ବାଧିକ ସାମୁଦ୍ରିକ ଖାଦ୍ୟ ଆମଦାନୀ କରିଛି। କୋଭିଡ୍ ମୁକାବିଲା କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶର ଆଦର୍ଶ ହୋଇଥିବା ସେ ମତ ଦେଇଥିଲେ।
ଆଜିର ଓ୍ବେବିନାରରେ କୋଭିଡ_୧୯ର ପ୍ରଭାବ ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ଆଗାମୀ ଦିନରେ କୋଭିଡ ପରବର୍ତ୍ତୀ ସମୟରେ ଭବିଷ୍ୟତର କାର୍ଯ୍ୟପନ୍ଥା କ’ଣ ହେବା ଉଚିତ, ସେ ନେଇ ଆଉ ଏକ ଓ୍ବେବିନାର କରିବାକୁ କାର୍ଯ୍ୟକ୍ରମର ସଞ୍ଚାଳକ ପ୍ରଫେସର ପଣ୍ଡା ପ୍ରସ୍ତାବ ଦେଇଥିଲେ।