-
ବିଭିନ୍ନ ବ୍ଲକ୍ ସଙ୍ଗରୋଧ କେନ୍ଦ୍ରର ସ୍ଥିତି ଅନୁଧ୍ୟାନ ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା
ବ୍ରହ୍ମପୁର : କରୋନା ଭୁତାଣୁ ସଂକ୍ରମଣରେ ସାରା ରାଜ୍ୟରେ ପ୍ରଥମ ସ୍ଥାନରେ ଥିବା ଗଞ୍ଜାମ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କାର୍ତ୍ତିକେୟାନ ପାଣ୍ଡିଆନ । ରେଡ୍ ଜୋନ୍ରେ ଥିବା ଗଞ୍ଜାମ ଜିଲ୍ଲାରେ ଅତ୍ୟଧିକ ୨୬୪ କରୋନା ରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଭଳିସ୍ଥିତିରେ ଶୁକ୍ରବାର ୫-ଟି ସଚିବ ଶ୍ରୀ ପାଣ୍ଡିଆନ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତକରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସଚିବ ଶୁକ୍ରବାର ସକାଳେ ରାୟଗଡା ଓ ଗଜପତି ଜିଲ୍ଲା ଗସ୍ତସାରି ସ୍ୱତନ୍ତ୍ର ହେଲିକେପ୍ଟରରେ ଶେରଗଡରେ ପହଞ୍ôଚଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଅନ୍ତର୍ଗତ ଶେରଗଡ ବ୍ଲକ୍ରେ ପହଞ୍ôଚ ସ୍ଥିତି ଅନୁଧ୍ୟାନ କରିବା ସହ ବ୍ଲକ୍ କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ବିଶେଷକରି ସଙ୍ଗରୋଧ ଗୃହରେ ସୁବ୍ୟବସ୍ଥା ପଦକ୍ଷେପ ଗ୍ରହଣ କରିବା ସହ ସତର୍କ ନଜର ରଖିବାକୁ ଶେରଗଡ ବିଡିଓ ସୁରଞ୍ଜନ ସାହୁ ଓ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ । ସେଠାରୁ ହିଞ୍ଜିଳିକାଟୁ ଆସି ଖୋଲାଯାଇଥିବା କୋଭିଡ୍ କେୟାର ସେଣ୍ଟର ବୁଲି ଦେଖିବା ସହ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ହିଞ୍ଜିଳିକାଟୁରେ ଖୋଲାଯାଇଥିବା କୋଭିଡ୍ କେୟାର ସେଣ୍ଟରରେ ୧୦୦ଶଯ୍ୟା ବ୍ୟବସ୍ଥା କରାଯାଇଥିବା ବେଳେ ଏଠାରେ ୬ଜଣ ଡାକ୍ତରଙ୍କ ସମେତ ପାରାମେଡିକାଲ୍ ଷ୍ଟାଫ୍ଙ୍କୁ ନିଯୁକ୍ତି କରାଯାଇଛି । ପ୍ରବାସୀ ଓଡ଼ିଆଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇ ସେମାନଙ୍କ ନମୁନା ସଂଗ୍ରହ ସହ ପରୀକ୍ଷା ଜାରି ରହିଛି । ପଜେଟିଭଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁ ଅଧିକ କୋଭିଡ୍ କେୟାର ସେଣ୍ଟର ସ୍ଥାପନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ପ୍ରବାସୀ ଓଡ଼ିଆଙ୍କ ସଂଖ୍ୟା ଜିଲ୍ଲାରେ ବଢ଼ିବାକୁ ଥିବାରୁ ଅଧିକରୁ ଅଧିକ ସଙ୍ଗରୋଧ କେନ୍ଦ୍ର ସ୍ଥାପନ ଦିଗରେ ଧ୍ୟାନ ଦେବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଠାରୁ ଆସିକା ଗସ୍ତକରି ବ୍ଲକ୍ ପ୍ରଶାସନ ସହ ଆଲୋଚନାକରି କବିସୂର୍ଯ୍ୟନଗରରେ ପହଞ୍ôଚ ସେଠାକାର ସଙ୍ଗରୋଧ ଗୃହ ଓ ପ୍ରବାସୀ ଓଡ଼ିଆଙ୍କ ସଙ୍ଗରୋଧ କେନ୍ଦ୍ର କିପରି ଚାଲିଛି ତାହାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେଠାରୁ ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ବ୍ଲକ୍କୁ ଯାଇ ବ୍ଲକ୍ ପ୍ରଶାସନ ସହ ଅଞ୍ଚଳରେ କିପରି କୋଭିଡ୍ ମୁକାବିଲା କରାଯାଉଛି ତାହା ପଚାରି ବୁଝିବା ସହ ସଙ୍ଗରୋଧ କେନ୍ଦ୍ରରେ ସମସ୍ତ ପ୍ରକାର ସହାୟତା ଯୋଗାଇବା ସହ ସେମାନଙ୍କୁ ଉଚିତ ବ୍ୟବହାର ଓ ଅନ୍ୟାନ୍ୟ ସୁବ୍ୟବସ୍ଥା କରିବା ପାଇଁ ବ୍ଲକ୍ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ବ୍ରହ୍ମପୁର ନିକଟସ୍ଥ ପାରଳା ମହାଜାରା କୋଭିଡ୍ କେୟାର ସେଣ୍ଟରକୁ ଆସି ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ । ଜିଲ୍ଲା ଗସ୍ତସାରି ୫-ଟି ସଚିବ ପ୍ରଶସାନିକ ଅଧିକାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ସଙ୍ଗରୋଧ ଗୃହରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପ୍ରତି ଯତ୍ନନେବାକୁ ପରାମର୍ଶଦେଇ ଭୁବନେଶ୍ୱର ଫେରିଥିଲେ । ୫-ଟି ସଚିବଙ୍କ ସହ ରାଜ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ର ମଧ୍ୟ ଆସିଥିଲେ । ଗସ୍ତ ସମୟରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେଙ୍କ ସମେତ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, କୋଭିଡ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ସମ୍ବିତ ରାଉତ, କୋଭିଡ୍ ହସ୍ପିଟାଲର ମୁଖ୍ୟ ଚିକିତ୍ସକ ଡା. ଉମାଶଙ୍କର ମିଶ୍ର, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ଉମାଶଙ୍କର ମିଶ୍ରଙ୍କ ସମେତ ୫-ଟି ସଚିବ ଗସ୍ତ କରିଥିବା ଅଞ୍ଚଳର ସମସ୍ତ ବ୍ଲକ୍ ପ୍ରଶାସନିକ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।