ନୂଆଦିଲ୍ଲୀ, ମେ ୧୫(ହି.ସ)- କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକାନ୍ତବାସରେ ରହୁଥିବା ପ୍ରବାସୀ ଶ୍ରମିକ, ବିଦେଶ ଫେରନ୍ତା ନାଗରିକଙ୍କ କରୋନା ଯାଂଚ ଲାଗି ପୁଲ୍ ଟେଷ୍ଟିଂ କରିବାକୁ ନିଷ୍ପତି ନେଇଛି । ପୁଲ ଟେଷ୍ଟିଂ ଆରଟି-ପିସିଆର ଟେଷ୍ଟ ଆଧାଧିତ ହେବ । ଏହି ସମ୍ବନ୍ଧରେ ମନ୍ତ୍ରଣାଳୟ ପକ୍ଷରୁ ନୂତନ ଗାଇଡ୍ ଲାଇନ୍୍ ଜାରି କରାଯାଇଛି ।
ଏହି ପୁଲ ଟେଷ୍ଟିଂ ଆଧାରରେ ୨୫ ଜଣଙ୍କ ବେକ ଓ ନାକରୁ ନମୂନା ନିଆଯିବ । ଏହି ନମୂନା ଏକତ୍ର କରାଯିବା ପ୍ରକ୍ରିୟା ପ୍ରଶିକ୍ଷିତ ଲ୍ୟାବ୍ ଅଧିକାରୀଙ୍କ ଦ୍ୱାରା କରାଯିବ । ଅଧିକାରୀ ପିପିଇ ସୁଟ୍ ସହିତ ଗ୍ଲୋଭ୍, ଫେସ୍ ସିଲ୍ଡ ଓ ଏନ-୯୫ ମାସ୍କ ପିନ୍ଧିବେ । ଏହି ନମୂନାର ଯାଂଚ ରିପୋର୍ଟ ଆସିବାର ୨୪ ଘଂଟା ଭିତରେ ସମ୍ବନ୍ଧିତ କ୍ୱାରେନଟାଇନ୍ କେନ୍ଦ୍ରକୁ ଏହାର ସୂଚନା ଦିଆଯିବ । ଯଦି କୌଣସି ପୁଲ୍ ନମୂନା ରିପୋର୍ଟ ପଜିଟିଭ୍ ଆସେ ତେବେ ସେଥିରେ ସମ୍ମିଳିତ ପ୍ରତ୍ୟେକ ନମୂନାର ଯାଂଚ କରାଯିବ ।
କଣ ଏହି ପୁଲିଂ ଟେଷ୍ଟିଂ
ପୁଲ ଟେଷ୍ଟିଂ ଆଧାରରେ ଅନେକ ଲୋକଙ୍କ ନାକ ଓ ବେକରୁ ସ୍ୱାବ୍ ସଂଗ୍ରହ କରାଯିବ । ଏହାକୁ ମିଶାଇ ଏକ ନମୂନା ପ୍ରସ୍ତୁତ କରାଯିବ । ଏହା ପରେ ଉକ୍ତ ନମୂନା ଯାଂଚ କରାଯିବ । ଏଥିରୁ ନମୂନା ନେଗେଟିଭ୍ ନା ପଜିଟିଭ୍ ଜଣା ପଡିଥାଏ । ଯଦି ନମୂନା ନେଗେଟିଭ୍ ତେବେ ସେହି ବ୍ୟକ୍ତିଙ୍କୁ ସଂକ୍ରମଣମୁକ୍ତ କୁହାଯାଏ ଯାହାଙ୍କଠୁ ଏହି ନମୂନା ସଂଗ୍ରହ କରାଯାଇଛି । ଯଦି ନମୂନା ପଜିଟିଭ୍ ଆସେ ତେବେ ପ୍ରତ୍ୟେକ ନମୂନାର ଯାଂଚ କରାଯାଏ । ଏହି ସୁିବଧା ଦ୍ୱାରା କିଟ୍ ଓ ଲ୍ୟାବ୍ ସମ୍ବନ୍ଧିତ ସମସ୍ୟା ଦୂର ହୋଇଯିବ ।